ଓଡ଼ଗାଁ, ୫।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଅବହେଳିତ ଅବସ୍ଥାରେ ରହିଆସୁଛି। ଏହି ସମସ୍ୟାର ସମାଧାନ ପାଇଁ ଶରଣକୁଳ ବିକାଶ ମଞ୍ଚ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପୂର୍ବରୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରତ୍ୟକ୍ଷ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ପ୍ରତିବାଦ କରି ଗୁରୁବାର ଶରଣକୁଳ ବିକାଶ ମଞ୍ଚର ଆହ୍ୱାନକ୍ରମେ ୧୮ଟି ପଞ୍ଚାୟତର ଜନସାଧାରଣ ଏକତ୍ରିତ ହୋଇ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶରଣକୁଳ ଅଞ୍ଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନ ସ୍ୱତଃସ୍ଫୂର୍ତ୍ତ ଭାବେ ବନ୍ଦ ରହିଥିଲା। ଏହି ବନ୍ଦକୁ ଶରଣକୁଳ ବଣିକ ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ବନ୍ଦ ସମୟରେ ଲୋକମାନଙ୍କର ପ୍ରଧାନ ଦାବିଗୁଡ଼ିକ ହେଲା— ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀଗୁଡ଼ିକ ଶୀଘ୍ର ପୂରଣ କରାଯାଉ, ଚାଲୁଥିବା ପାଳି ବ୍ୟବସ୍ଥାକୁ ବନ୍ଦ କରାଯାଉ, ପୂର୍ବରୁ ଡାକ୍ତରଙ୍କୁ ମାଡ଼ ମାରା ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ସ୍ପଷ୍ଟ କରାଯାଉ, ଭାରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଜାରି ହୋଇଥିବା ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଉ, ଡାକ୍ତରଖାନା ପରିସରରେ ଚାଲିଥିବା ନୂତନ ଗୃହ ନିର୍ମାଣ କାମକୁ ଶୀଘ୍ର ସମାପ୍ତ କରାଯାଉ ଏବଂ ବିଭିନ୍ନ ରୋଗ ନିର୍ଣ୍ଣୟ ପାଇଁ ଆବଶ୍ୟକ ଯନ୍ତ୍ରପାତି ତୁରନ୍ତ ଯୋଗାଇ ଦିଆଯାଉ। ଏହି ଅବସରରେ ବିକାଶ ମଞ୍ଚର ସଦସ୍ୟ ଓ ଅଞ୍ଚଳବାସୀ ଡାକ୍ତରଖାନା ଗେଟ୍ ସମ୍ମୁଖରୁ ଏକ ଶୋଭାଯାତ୍ରା କରି ଲଡୁବାବାଙ୍କ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରେ ଗୋଲକ ବିହାରୀ ମୁଦୁଲିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିକାଶ ମଞ୍ଚର ଆବାହକ ପବିତ୍ର ଇନ୍ଦ୍ରଜିତ, ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ଛାତ୍ର କଂଗ୍ରେସ ସଭାପତି ଶିବ ପ୍ରସାଦ ସାହୁ, ଯୁବ କଂଗ୍ରେସ ନେତା ବିଭୁପ୍ରସାଦ ମିଶ୍ର, ସମିତି ସଭ୍ୟ ପ୍ରତୀକ ମହାପାତ୍ର, ରବିନ୍ଦ୍ର ଚୌଧୁରୀ, ଜ୍ୟୋତିପ୍ରଭା ଜେନା, ତ୍ରିଲୋଚନ ମହାପାତ୍ର, ଆଲୋକ ପ୍ରଧାନ, କିଶୋର ମହାପାତ୍ର ଓ ନାରୀ ନେତ୍ରୀ ସୁଜାତା ଦାସ ସହ ଦଳମତ ନିର୍ବିଶେଷରେ ବିଭିନ୍ନ ନେତୃବୃନ୍ଦ ଉପସ୍ଥିତ ରହି ଦାବି ପୂରଣ ପାଇଁ ନିଜ ମତାମତ ପ୍ରକାଶ କରିଥିଲେ। ସଭାରେ ନେତୃବୃନ୍ଦ ସଚେତନ କରାଇଥିଲେ ଯେ, ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ୭ ଦିନ ମଧ୍ୟରେ ଦାବିଗୁଡ଼ିକ ପୂରଣ ନ କରାଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ଏହି ସମୟରେ ସ୍ଥାନୀୟ ବିଧାୟିକା ସୁରମା ପାଢ଼ୀଙ୍କ ନିରବତା ପ୍ରତି ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକାରୀମାନେ ତାଙ୍କର କୁଶପୁତ୍ତଳିକାକୁ ମନ୍ଦିର ସମ୍ମୁଖରେ ଦାହ କରିଥିଲେ। ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ରାଜ୍ୟ
ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟା ସମାଧାନରେ ବିଳମ୍ବକୁ ନେଇ ୧୨ ଘଣ୍ଟିଆ ବନ୍ଦ
- Hits: 25








