ବଲାଙ୍ଗିର/ପାଟଣାଗଡ଼, ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ତା.୦୫.୦୩: ମହାନ ଜନନାୟକ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ପରିବାର ତରଫରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଇଛି। ଆଜି ସାରା ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରସ୍ଥ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏହି ଅବସରକୁ ଗରିମାମୟ ଭାବରେ ପାଳନ କରାଯାଇଥିଲା।
ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ତଥା ବିଜେଡି ସଭାପତି ଶ୍ରୀ ସରୋଜ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ମୃତି ସଭାରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରି ତାଙ୍କ ଅମର ଅବଦାନକୁ ସ୍ମରଣ କରାଯାଇଥିଲା।
ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମେହେର କହିଥିଲେ ଯେ, ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ ଦୃଷ୍ଟିକୋଣ ଆଜି ମଧ୍ୟ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନକୁ ପ୍ରେରଣା ଦେଉଛି। ଆସନ୍ତା ପଞ୍ଚାୟତ ନିର୍ବାଚନ ଓ ୨୦୨୯ ମସିହାର ନିର୍ବାଚନକୁ ଦୃଷ୍ଟିରେ ରଖି ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡା ବ୍ଲକରେ ପଞ୍ଚାୟତ ସ୍ତରରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ବିଜୁ ଜନତା ଦଳର ପାର୍ଥୀ ଓ ପାର୍ଥିନୀଙ୍କ ସଂଖ୍ୟା ବୃଦ୍ଧି କରିବା ଏବଂ ଦଳକୁ ଆହୁରି ଦୃଢ କରିବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ସେ ସଂକଳ୍ପବଦ୍ଧ କରାଇଥିଲେ। ସେ କହିଥିଲେ ଯେ, ଦଳ ଦୃଢ ହେଲେ ଅଞ୍ଚଳର ଉନ୍ନତି ଆହୁରି ତ୍ୱରାନ୍ବିତ ହେବ। ଏହି ଜନ୍ମ ଜୟନ୍ତୀ ଅବସରରେ ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡା ବ୍ଲକରୁ ଶତାଧିକ କର୍ମକର୍ତ୍ତା ଓ ସାହସ୍ରାଧିକ ଜନସାଧାରଣ ଉପସ୍ଥିତ ଥିବାରୁ କାର୍ଯ୍ୟକ୍ରମରେ ଉତ୍ସାହ ଓ ଉଦ୍ଦୀପନା ଦେଖାଯାଇଥିଲା ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଜେଡି ସଭାପତି ଶ୍ରୀ ସରୋଜ କୁମାର ମେହେରଙ୍କ ସହିତ ପାଟଣାଗଡ଼ NAC ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷ ନୀଳକଣ୍ଠ ବାଗ, ଜିଲ୍ଲା ପରିଷଦ ସଦସ୍ୟ ଜୟ ଧରୁଆ, ଆଇନଜୀବୀ ହିନ୍ଦୁ ଭୂଷଣ ଠାକୁର, ମୁନା ମେହେର, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପୁଟେଲ, ପବିତ୍ର ପୁଟେଲ, ହିମାଞ୍ଚଳ ପଧାନ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତେ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ସେବା ଓ ଅଞ୍ଚଳର ସମଗ୍ର ଉନ୍ନତି ପାଇଁ ଏକତାବଦ୍ଧ ହୋଇ କାମ କରିବାକୁ ସଂକଳ୍ପ ନେଇଥିଲେ।
ରାଜ୍ୟ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଟଣାଗଡ଼ରେ ଭବ୍ୟ ଭାବେ ପାଳିତ
- Hits: 44








