ହେଡଲାଇନସ୍:

ଲକ୍ ଡ଼ାଉନ କଟକଣା: ମାନିବାକୁ ପ୍ରସ୍ତୁତ ନୁହନ୍ତି ସରକାରୀ କର୍ମଚାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ରୀନ ଜୋନ ମୟୂରଭଞ୍ଜ ପାଇଁ ରେଡ଼ ୱାର୍ଣ୍ଣିଂ

ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ୨୬ ରବିବାର ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ ବଗିଚାସାହି(ହୁଡ଼କୋ କଲୋନୀ)ରେ ଭଦ୍ରଖ ଜିଲ୍ଲା ମଞ୍ଜରୀରୋଡ଼ ଅଞ୍ଚଳ କୁଳନା ଗ୍ରାମର ଭରତ ଚନ୍ଦ୍ର ଦାସ ଭଡ଼ାଟିଆ ଭାବେ ଏକାକୀ ରହି ବାରିପଦା ମୁଖ୍ୟ ଡ଼ାକ ଘରରେ ସହକାରୀ ପୋଷ୍ଟ ମାଷ୍ଟର(ମେଲ) ଭାବେ କାର୍ଯ୍ୟ କରୁଥିଲେ । ମାତ୍ର ସହକାରୀ ପୋଷ୍ଟ ମାଷ୍ଟର ଭରତ ୩/ ୪ ଦିନ ପୂର୍ବରୁ ନିଜ ଗ୍ରାମକୁ ଯାଇଥିଲେ । ଆଜି ଭୋର ସମୟରେ ଏକ ଯୁବତୀକୁ ସାଥୀରେ ଧରି ଫାଟକ ଖୋଲି ଘର ଭିତରକୁ ପ୍ରବେଶ କରିଥିବାର ସ୍ଥାନୀୟ ବାସୀନ୍ଦା ଦେଖି ଆଶାଦିଦି, ୱାଡର଼୍ର ନୋଡ଼ାଲ ଅଧିକାରୀ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ୧୦୪ ହେଲପ୍ ଲାଇନ, ପୁଲିସ ଓ ତହସିଲଦାର ଆଦିଙ୍କୁ ସୂଚନା ଦେଇଥିଲେ । ଲକ୍ ଡ଼ାଉନ କଟକଣା ଅନୁସାରେ କରୋନା ସଂକ୍ରମିତ ଜିଲ୍ଲା ଭଦ୍ରଖ ଅଞ୍ଚଳରୁ ଆସିଥିବା ଭରତ ଚନ୍ଦ୍ର ଦାସଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଇବା  ସହ ତାଙ୍କର କୋଭିଡ଼-୧୯ ପରୀକ୍ଷା ନିମନ୍ତେ ୱାଡର଼୍ବାସୀ ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ  ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ନିମନ୍ତେ ପରାମର୍ଶ ଦେଇ ଫେରି ଯାଇଥିଲେ । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଏହି ପ୍ରକାରର ଦୁଇ ମୁହାଁ ନୀତିକୁ  ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ସ୍ଥାନୀୟ ବାସୀନ୍ଦା ପ୍ରଶାନ୍ତ କୁମାର ବେହେରା ନିଜ ପ୍ରତିକ୍ରୟାରେ କହିଛନ୍ତି ଯେ, ଭରତ ଚନ୍ଦ୍ର ଦାସ ପ୍ରତ୍ୟେକ ୪/ ୫ ଦିନ ବ୍ୟବଧାନରେ ବାରିପଦା ମୁଖ୍ୟ ଡ଼ାକ ଘରର ଏକ ପରିଚୟପତ୍ର ଧରି ଭଦ୍ରଖକୁ ଯାଇ ୨/ ୩ ଦିନ ରହି ପୁଣି ଫେରି ଆସିଥାନ୍ତି । ଲକ୍ ଡ଼ାଉନ ସମୟରେ ସ୍ଥାନୀୟ ଜନସାଧାରଣ ଭରତଙ୍କ ଯାତାୟତ ବିରୋଧ କରି ବାରିପଦା କିମ୍ବା ଭଦ୍ରଖ ଯେଉଁଠାରେ ହେଉ ଗୋଟାଏ ସ୍ଥାନରେ ଲକ୍ ଡ଼ାଉନର ମାର୍ଗଦର୍ଶୀକାକୁ ପାଳନ କରି ରହିବା ନିମନ୍ତେ ଦାବି କରିଥିଲେ ।  ୱାଡର଼୍ର ଆଶା ଦିଦି ଶାନ୍ତି ପ୍ରମାଣିକ ମଧ୍ୟ ତାଙ୍କୁ ତାଗିଦ କରିଥିଲେ । ଆଜି ପ୍ରଥମେ ଭରତ ପ୍ରଥମେ ଏକା ଫେରି ଆସିଥିବାର କହିବା ପରେ ପରବର୍ତ୍ତୀ ସମୟରେ ସାଥୀରେ ନିଜର ଝିଅକୁ ଧରି ଫେରିଥିବାର ସ୍ୱିକାର କରିଥିଲେ । ଭଦ୍ରଖ ଓ ବାଲେଶ୍ୱର ଜିଲ୍ଲାରେ କୋଭିଡ଼- ୧୯ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ସରକାର ୬୦ ଘଣ୍ଟା ସଟ୍ ଡ଼ାଉନ ଘୋଷଣା କରିଛନ୍ତି । ଏହି ସମୟରେ ଭରତ ଚନ୍ଦ୍ର ଦାସ ବାଇକରେ ଭଦ୍ରଖରୁ ବାହାରି ପ୍ରାତଃ ସମୟରେ ବାରିପଦାରେ ପହଁଞ୍ଚିଲେ କିପରି । ପୁଣି ମୟୂରଭଞ୍ଜ ସୀମା ପ୍ରବେଶ ପଥକୁ ସିଲ କରାଯାଇଥିବା ବେଳେ ସାଥୀରେ ଏକ ଯୁବତୀଙ୍କୁ ଧରି ଜିଲ୍ଲାର ସୀମା କଳମାଠାରୁ ବାରିପଦା ମଧ୍ୟରେ ବୈଶିଙ୍ଗା, ବେତନଟୀ ଥାନା,  କେସିପୁର ଫାଣ୍ଡି ସହିତ ବାରିପଦା ସଦର ଏସଡ଼ିପିଓଙ୍କ କାର୍ଯ୍ୟାଳୟ ଅତିକ୍ରମ କରି ବାରିପଦାରେ ପହଁଞ୍ଚିଲେ କିପରି । ଯଦି ପହଁଞ୍ଚିଲେ ତେବେ ଖବର ପାଇବା ମାତ୍ରେ ଭରତଙ୍କୁ କ୍ୱାରେଣ୍ଟାଇନରେ ଭର୍ତ୍ତି ଓ ସ୍ୱାବ ପରୀକ୍ଷାର ବ୍ୟବସ୍ଥା କରାନଯାଇ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେବା ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସୀନ୍ଦା ପ୍ରଶାନ୍ତ କୁମାର ବେହେରା । ସେହିପରି ୧୦୪କୁ ଫୋନ କରିବା ପରେ ଭରତ ଚନ୍ଦ୍ର ଦାସଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କହିବା ସହିତ ଥାନାରେ ତାଙ୍କ ବିରୋଧରେ ଏଫଆଇଆର ଦେବା ନିମନ୍ତେ ଅପର ପାଶ୍ୱର୍ରୁ ଫୋନ ଧରିଥିବା ବ୍ୟକ୍ତିଙ୍କ ନିକଟରୁ ଉତ୍ତର ମିଳିଥିଲା । ଆଇନ ସମସ୍ତଙ୍କ ନିମନ୍ତେ ସମାନ । ଭଦ୍ରଖ ଜିଲ୍ଲାରୁ ଆସିଥିବା ଭରତଙ୍କ ଶରୀରରେ କୋଭିଡ଼-୧୯ ଭୂତାଣୁ ନ ଥିବ ଏହାର ଗ୍ୟାରେଣ୍ଟି କିଏ ଦେବ । ଯଦି ସେ କରୋନା ସଂକ୍ରମିତ ହୋଇଥିବେ ତେବେ ତାହା କେବଳ ମଧୁବନ ବଗିଚାସାହି ପାଇଁ ନୁହେଁ ଏହା ଗ୍ରୀନ ଜୋନରେ ଥିବା ସମଗ୍ର ଜିଲ୍ଲାପାଇଁ ରେଡ଼ ୱାର୍ଣ୍ଣିଂ ବୋଲି ସ୍ଥାନୀୟ ବାସୀନ୍ଦା ଶ୍ରଦାସ ସୂଚନା ଦେବା ସହିତ ଗଭୀର ଉଦବେଗ ପ୍ରକାଶ କରିଥିଲେ । କେବଳ ଭରତ ଚନ୍ଦ୍ର ଦାସ ନୁହନ୍ତି ଏହି ପରି ଅନେକ ସରକାରୀ ଚାକିରିଆ ଲକ୍ ଡ଼ାଉନ ନିୟମକୁ ଅଣଦେଖା କରି ବାରିପଦା ସହରରେ ଖୁଲମ ଖୋଲା ବିଚରଣ କରୁଥିବା ବେଳେ ପ୍ରଶାସନର ନାଲି ଆଖି କେବଳ ସାଧାରଣ ଜନତାଙ୍କ ଉପରେ ରହିଥିବା ବିଷୟକୁ ନେଇ ସହରରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

0
0
0
s2sdefault