ହେଡଲାଇନସ୍:

କରୋନା ଯୁଦ୍ଧ ଛାଡି ଯାଇପାରିଲେନି ବର : କନିଆଁ ଆସି ଥାନାରେ କଲେ ବିବାହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - ( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ନିଆର ବାହାଘର, ନଥିଲା ବରବେଶ, ନା ଥିଲେ ବରଯାତ୍ରୀ, ନା ଫୁଲବାଣ କି ନା ଜଲିଲା ରୋଶଣି ବିନା ଆଡମ୍ବରରେ ହେଲା ବାହାଘର । ଏପରି କି  ଉଭୟ ପରିବାର ସମସ୍ତ ଲୋକେ ମଧ୍ୟ  ଯୋଗ ଦେଇ ପାରିନଥିଲେ । ସରକାରଙ୍କ "କରୋନା" କଟକଣା ଯୋଗୁଁ ସାମାଜିକ ଦୂରତା, ମାସ୍କ ପରିଧାନ ଏସବକୁ ସମ୍ମାନ ଜଣାଇ ସଂମ୍ପୂର୍ଣ୍ଣ ନିରାଡମ୍ବର ଭାବେ ହେଲା ବାହାଘର । ବାଣ, ରୋଷଣୀ, ଭୋଜିଭାତ, ବେଦୀ କିଛି ବି ନଥିଲା । ଓଲଟା କରୋନାରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କୁ ସମ୍ବେଦନା ଜଣାଇ ମହମବତୀ ଜାଲି ନିରବ ପ୍ରାର୍ଥନା କରିଥିଲେ । ବରକନ୍ୟା ଥାନା ପରିସରରେ ବିନା ଫୁଲମାଲରେ କେବଲ କପୁର ମାଲଟିଏ ଲେଖାଏଁ ପିନ୍ଧାଇ ବାହାଘର ସାରିଦେଇଥିଲେ । ଏହା କୌଣସି ପ୍ରେମ ବିବାହ ନଥିଲା, ଏହା ଥିଲା ଖୋଦ ଜଣେ କରୋନା ଯୋଦ୍ଧାଙ୍କର ବାହାଘର । ଖାସ୍ କରି କରୋନା ପାଇଁ ନିଜ କର୍ତ୍ତବ୍ୟ ସ୍ଥଳରୁ ଘରକୁ ବାହାଘର ପାଇଁ ଘରକୁ ଯାଇନପାରିବାରୁ ଥାନା ପରିସରରେ ହିଁ ବିବାହ ହୋଇଥିଲା । ସଂପ୍ରତି ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଆମ ଦେଶ କିମ୍ୱା ରାଜ୍ୟ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏପରି ସ୍ଥିତିରେ ସମଗ୍ର ଦେଶ ଏବେ  ତାଲାବନ୍ଦି ଅବସ୍ଥାରେ ରହିଛି । ଘରୁ ବାହାରକୁ ନ ବାହାରିବା ପାଇଁ ସରକାରୀ ନିଦ୍ଦେର୍ଶ ରହିଛି । ଏ ସବୁ ନିୟମକୁ ମାନି  ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପୋଲିସ ସବଇନ୍ସପେକ୍ଟର ଦୀପ୍ତିରଞ୍ଜନ ଦିଗାଲଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଦୀପ୍ତିରଞ୍ଜନ କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜୋସ୍ନାରାଣୀ ଦିଗାଲଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି । ଜୋସ୍ନାରାଣୀଙ୍କ ପରିବାରଲୋକେ କନ୍ୟାକୁ  ଧରି ସୁବଳୟା ଥାନାକୁ ପହଞ୍ଚିଥିଲେ । ସେଠାରେ ବୀରମହାରାଜପୁର ପୋଲିସ ଏସ ଡି ପି ଓ ଧୀରଜ ଚୋପଦାର ଓ ସୁବଳୟା ଥାନା ଅଧିକାରୀ ପ୍ରଦୀପ ପ୍ରଧାନଙ୍କ ଉପସ୍ଥିତିରେ ଥାନା ଭିତରେ ବିବାହ ସମ୍ପନ୍ନ ହୋଇଥିଲା ।  ଦୀପ୍ତିରଞ୍ଜନଙ୍କ ଏହି କର୍ତ୍ତବ୍ୟ ନିଷ୍ଠାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

0
0
0
s2sdefault