ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଚେତଗାଁ ପଞ୍ଚାୟତ କୁତୁରାମାଲ କାଂସଡା ପଞ୍ଚାୟତ ବରପାଲି ଗ୍ରାମର ୧୨ ଜଣ ଦାଦନ ଶ୍ରମିକ ଇଟା ଗଢିବାକୁ ଯାଇ ପୁରୀ ଜିଲ୍ଲା ଗୋପ ବ୍ଲକର ଅଚ୍ୟୁତପୁର ଗ୍ରାମରେ ଏକ ଅସୁରକ୍ଷିତ ଜାଗାରେ ବସବାସ କରୁଥିଲେ । ଲକଡାଉନ ଯୋଗୁଁ କାମ ବନ୍ଦ ପଡ଼ିଥିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏପରିକି ସେମାନଙ୍କ ପାଉଣା ମଧ୍ୟ ଦେଉନଥିବା ଫୋନ ମାଧ୍ୟମରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ସମାଜିକ କର୍ମୀ ଦିବସ କୁମାର ସାହୁଙ୍କୁ ଜଣେଇଥିଲେ । ତାଙ୍କ ଦୁଃଖ ବୁଝିବା ପରେ ଶ୍ରୀ ସାହୁ ତୁରନ୍ତ ତାଙ୍କୁ ସରକାରୀ ସ୍ତରରେ ଥଇଥାନ ଏବଂ ରାସନ ସହାୟତା ପ୍ରଦାନ କରିବାକୁ ଟ୍ୱିଟର ମାଧ୍ୟମରେ ପୁରୀ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଥିଲେ । ଯାହାର ଫଳସ୍ୱରୂପ ସେଠାକାର ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥାନୀୟ ସରପଞ୍ଚ ସେଠାକୁ ଯାଇ ଇଟା ଭାଟି ମାଲିକକୁ ତାଗିଦ କରି ତାଙ୍କ ପାଉଣା କୁ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଗୋଟିଏ ପ୍ୟାକେଟ ଚାଉଳ ପ୍ରଦାନ କରିବା ସହ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହା ଛଡ଼ା ଶ୍ରମିକଙ୍କ ବକେୟା ପାଉଣା ମଧ୍ୟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଦାନ କରିବା ପାଇଁ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରମିକ ମାନେ ଦିବସଙ୍କୁ ଫୋନ ଯୋଗେ ଧନ୍ୟବାଦ ଦେବା ସହ ଲକଡାଉନ ପରେ ଘରକୁ ନେବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ଯେଉଁଥିପାଇଁ ତାଙ୍କୁ ସରକାରୀ ପୋର୍ଟାଲ ରେ ପଞ୍ଜିକରଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।