ହେଡଲାଇନସ୍:

ଆପଣମାନେ କଡ଼ା ରହିଲେ, କରୋନା ଗାଁରେ ପଶିପାରିବ ନାହିଁ : ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକ ସ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶପଥ ନେଲେ ୬୭୯୮ ସରପଂଚ :"ପଞ୍ଚାୟତକୁ କରୋନା ପ୍ରବେଶ କରାଇବାକୁ ଦେବୁ ନାହିଁ"

ଭୁବନେଶ୍ୱର (ଶାସକ ପ୍ରଶାସକ)- "ମୋ ପଞ୍ଚାୟତରେ କରୋନାକୁ ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ, ଲୋକମାନଙ୍କ ମଙ୍ଗଳ ପାଇଁ ନିଷ୍ଠାର  ସହିତ ପାଳନ କରିବି । ସେହିପରି ଅନ୍ୟ ରାଜ୍ୟଗୁଡ଼ିକରୁ ପଞ୍ଚାୟତକୁ ଫେରିଆସୁଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ରଖିବି ଓ ସେମାନଙ୍କର ରହିବା, ଖାଇବା ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି । କରୋନା ରୋକିବା ନିମନ୍ତେ ସରକାରଙ୍କର ସମସ୍ତ ପଦକ୍ଷେପକୁ ପଞ୍ଚାୟତବାସୀମାନଙ୍କ ମଙ୍ଗଳ ନିମନ୍ତେ କଡ଼ାକଡ଼ି ଭାବେ ପାଳନ କରିବି । ଏଥି ସହିତ ପଞ୍ଚାୟତରେ କରୋନାକୁ ପ୍ରବେଶ କରିବାକୁ ଦେବି ନାହିଁ "  ଏମିତି ଶପଥ ଆଜି ରାଜ୍ୟର ସରପଞ୍ଚମାନଙ୍କୁ ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏ ଶପଥ ପାଇଁ ରାଜ୍ୟର ୩୧୪ ବ୍ଲକ କାର୍ଯ୍ୟାଳୟଠାରେ ସରପଞ୍ଚମାନେ ଉପସ୍ଥିତ ରହିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ଶପଥ ଗ୍ରହଣ କରିଥିଲେ | କୋଭିଡ଼-୧୯ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଜି ରାଜ୍ୟର ୬୭୯୮ ସରପଞ୍ଚଙ୍କୁ  ଶପଥ ପାଠ କରାଇଥିଲେ  ।  ସୂଚନାଯୋଗ୍ୟ ଯେ କରୋନା ମୁକାବିଲାରେ ସରପଂଚ ମାନଙ୍କୁ ଜିଲ୍ଲାପାଳଙ୍କ ପାଖରେ ନ୍ୟସ୍ତ ଥିବା କିଛି କ୍ଷମତା ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ |
ସରପଞ୍ଚମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନେ ଏହି ରୋଗ ବିଷୟରେ ଭଲ ଭାବରେ ଜାଣନ୍ତି । ଏହି ରୋଗର ମେଡ଼ିସିନ୍ ବା ପ୍ରତିଷେଧକ ଟୀକା  ଏ ପର୍ଯ୍ୟନ୍ତ ଆସିନାହିଁ । କେବଳ ସଚେତନତା ଓ ସାମାଜିକ ଦୂରତା ଦ୍ୱାରା ହିଁ ଆମେ ଏହାକୁ ରୋକିପାରିବା । ଆପଣମାନଙ୍କ ଦକ୍ଷତା ଉପରେ ମୋର ପୁରା ଭରସା ଅଛି । ଏଥିପାଇଁ ମୁଁ ଆପଣମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛି । ଆପଣମାନେ କଡ଼ା ରହିଲେ, କରୋନା ଗାଁରେ ପଶିପାରିବ ନାହିଁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଛି  ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ ଓ  ପଞ୍ଚାୟତରେ ସେମାନଙ୍କ ପ୍ରସ୍ତୁତି କିଭଳି ଅଛି ସଂପୃକ୍ତ ସରପଞ୍ଚମାନଙ୍କଠାରୁ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ମୁଖ୍ୟତଃ ସଚେତନ କରାଇଥିଲେ । ନିଜ ପଞ୍ଚାୟତରେ ବାହାର ରାଜ୍ୟ ଫେରନ୍ତାଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ପଂଚାୟତ  କ୍ୱାରେଣ୍ଟାଇନ୍ ସେଣ୍ଟରରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗାଁକୁ ଫେରିଥିବା ଏବଂ ଫେରିବାକୁ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି  ସଚିବ ଭି.କେ. ପାଣ୍ଡିଆନ୍ ସରପଞ୍ଚମାନଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ |

0
0
0
s2sdefault