ହେଡଲାଇନସ୍:

କରୋନା କଟକଣା : ଏପ୍ରିଲ 20 ତାରିଖ ପରେ କିଛି ନିର୍ଦ୍ଦିଷ୍ଟ ଜାଗାରେ ହେବ ସୀମିତ କୋହଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ଆସନ୍ତାକାଲି କେନ୍ଦ୍ର ସରକାର କାରି କରିବେ କରୋନା ମୁକାବିଲା ପାଇଁ ପରିବର୍ତ୍ତିତ ସଂପୂର୍ଣ୍ଣ ନିର୍ଦ୍ଦେଶାବଳୀ  • କଡା ନଜରରେ ରହିବ ହଟ ସ୍ପଟ ଅଞ୍ଚଳ • ଏପ୍ରିଲ 20ରୁ ହଟ ସ୍ପଟ ଘୋଷିତ ହୋଇନଥିବା ଅଞ୍ଚଳରେ ସର୍ତ୍ତମୂଳକ ଜରୁରିକାଳୀନ ଯାତାୟାତ ସୁବିଧା • କୋଭିଡ-19ର ମୁକାବିଲା ଲାଗି 7ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦେଶବାସୀଙ୍କ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) "କରୋନା ବୈଶ୍ଵିକ ମହାମାରୀ ବିରୁଦ୍ଧରେ ଭାରତ ଏବେ ଅଦମ୍ୟ ସାହସ ଓ ଶକ୍ତିର ସହ ମୁକାବିଲା କରୁଛି । ଏହା କେବଳ ଆମର ସଂଯମ, ତ୍ୟାଗ ଓ ତପସ୍ୟା ଯୋଗୁଁ ବହୁ ପରିମାଣରେ ପ୍ରତିହତ ହୋଇପାରିଛି । ଆପଣମାନେ ନିଜର ଦେଶ ତଥା ଭାରତବର୍ଷକୁ ରକ୍ଷା କରିବା ପାଇଁ ଅନେକ ଯନ୍ତ୍ରଣା ସହିଛନ୍ତି । ମୁଁ ଜାଣେ ଆପଣମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିଏ ଖାଦ୍ୟ ପାଇଁ ତ କିଏ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ ଏବଂ କିଏ ନିଜ ଘରଦ୍ଵାର ଛାଡି ଦୂରରେ ରହୁଥିବା ଯୋଗୁଁ । ତେବେ ଆପଣମାନେ ଦେଶ ପାଇଁ ଜଣେ ଶୃଙ୍ଖଳିତ ସୈନିକ ଭାବେ କେବଳ କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛନ୍ତି । ଏହା ହେଉଛି ଆମର ସାମୁହିକ ଶକ୍ତି । ଆମେ ଭାରତୀୟ ଆମ ସମ୍ବିଧାନରେ ସନ୍ନିବେଶିତ ହୋଇ ରହିଛେ । ଭାରତବାସୀଙ୍କ ଦ୍ଵାରା ଏହିଭଳି ଏକତା ପ୍ରଦର୍ଶନ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି । ବାବାସାହେବଙ୍କ ଜୀବନ କଠିନ ପରିଶ୍ରମ ଓ ଦୃଢ ପ୍ରତିଜ୍ଞ ମନୋଭାବ ନେଇ ସମସ୍ତ ଆହ୍ଵାନ ବିରୁଦ୍ଧରେ ଲଢେଇ କରିବାକୁ ପ୍ରେରଣା ଦେଇଥାଏ । ଦେଶବାସୀଙ୍କ ପକ୍ଷରୁ ମୁଁ ବାବାସାହେବଙ୍କ ନିକଟରେ ନତମସ୍ତକ ହେଉଛି ।" ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

ଆଜି ଜାତି ଉଦ୍ଦେଶ୍ୟରେ ଚତୁର୍ଥ ଉଦବୋଧନରେ କହିଛନ୍ତି ଯେ "ଦେଶର ବିଭିନ୍ନ ଭାଗରେ ଏବେ ବିଭିନ୍ନ ପର୍ବପର୍ବାଣୀର ସମୟ । ବୈଶାଖୀ, ପୋହେଲା ବୈଶାଖ, ପୁଥାନ୍ଦୁ ଏବଂ ବିଷୁ ଭଳି ପର୍ବ ବିଭିନ୍ନ ରାଜ୍ୟରେ ନୂଆ ବର୍ଷ ଭାବେ ପାଳନ କରାଯାଉଛି । ଲକଡାଉନ କାଳରେ ଲୋକମାନେ ଯେପରି ଆଇନ କାନୁନ ମାନି ନିଜେ ଘରେ ରହି କଠୋର ସଞ୍ଜମର ସହ ପର୍ବ ପର୍ବାଣି ପାଳନ କରୁଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ । ନୂଆ ବର୍ଷ ଅବସରରେ ମୁଁ ଆପଣ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି  | ଆପଣମାନେ ସମସ୍ତେ ବିଶ୍ଵବ୍ୟାପୀ କରୋନା ମହାମାରୀର ପ୍ରଭାବ ସମ୍ପର୍କରେ ଅବଗତ । ଅନ୍ୟ ଦେଶଗୁଡିକ ତୁଳନାରେ ଭାରତ କିଭଳି ସଂକ୍ରମଣ ରୋକିବାରେ ଅନେକାଂଶରେ ସଫଳ ହୋଇଛି, ଆପଣମାନେ ତାହାର ପ୍ରତ୍ୟକ୍ଷ ସାକ୍ଷୀ । ଦେଶରେ ଜଣେ ମଧ୍ୟ ସଂକ୍ରମିତ ହେବା ପୂର୍ବରୁ ଭାରତ କରୋନା ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଂ ବିମାନବନ୍ଦରରେ ଆରମ୍ଭ କରିଦେଇଥିଲା । କରୋନା ସଂକ୍ରମିତଙ୍କ ସଂଖ୍ୟା 100 ପହଞ୍ଚିବା ପୂର୍ବରୁ ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ଭାରତ 14 ଦିନିଆ ଏକାନ୍ତବାସ ବାଧ୍ୟତାମୂଳକ କରିଥିଲା । କ୍ଲବ, ମଲ ଓ ବ୍ୟାୟାମଶାଳାଗୁଡିକୁ ଅଧିକାଂଶ ଜାଗାରେ ବନ୍ଦ କରିଦିଆଯାଇଥିଲା । ଯେତେବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି 500ରେ ପହଞ୍ଚିଲା, ସେତେବେଳେ ଭାରତ 21 ଦିନିଆ ସଂପୂର୍ଣ୍ଣ ଲକଡାଉନ ଭଳି ବିରାଟ ପଦକ୍ଷେପ ନେଇଥିଲା । ଭାରତ ସମସ୍ୟା ବେଶୀ ବଢିବାକୁ ଦେଇ ନଥିଲା ବରଂ ତ୍ଵରିତ ନିଷ୍ପତ୍ତି ନେଇ ସମସ୍ୟାକୁ ଆରମ୍ଭରୁ ହିଁ ସମାଧାନ କରିବା ପାଇଁ ଆମେ ପ୍ରୟାସ ଆରମ୍ଭ କରିଥିଲୁ" | 

"ଏଭଳି ଏକ ଜଟିଳ ସ୍ଥିତିରେ ଆମକୁ ଅନ୍ୟ ଦେଶର ପରିସ୍ଥିତି ସହିତ ତୁଳନା କରିବା ଠିକ ନୁହେଁ ।  ଏକଥା ସତ୍ୟ ଯେ, ଯଦି ଆମେ ବିଶ୍ଵର ବୃହତ ଶକ୍ତିଶାଳୀ ଦେଶମାନଙ୍କର ସଂକ୍ରମଣ ହାରକୁ ତୁଳନା କରୁ, ତେବେ ଭାରତ ଆଜି ଏକ ଭଲ ସ୍ଥିତିରେ ଅଛି । ପ୍ରାୟ ମାସେ ଦେଢ ମାସ ପୂର୍ବରୁ ଅନେକ ଦେଶର କରୋନା ସଂକ୍ରମଣ ସଂଖ୍ୟା ଭାରତ ସହିତ ପ୍ରାୟ ସମାନ ଥିଲା । କିନ୍ତୁ ଆଜି ଭାରତ ତୁଳନାରେ ସେସବୁ ଦେଶରେ ଏହି ସଂଖ୍ୟା ପ୍ରାୟ 25 ରୁ 30 ଗୁଣ ଅଧିକ ହୋଇଛି । ଏସବୁ ଦେଶରେ ହଜାର ହଜାର ଲୋକଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ଭାରତ ଯଦି ଏକ ସମନ୍ଵିତ ଢାଞ୍ଚାରେ ଶୀଘ୍ର ଓ ନିଷ୍ପତ୍ତିମୂଳକ ପଦକ୍ଷେପ ନେଇନଥାନ୍ତା, ତେବେ ଭାରତର ପରିସ୍ଥିତି ଆଜି ସଂପୂର୍ଣ୍ଣ ଭିନ୍ନ ହୋଇଥାନ୍ତା । ଅହୋରାତ୍ର ପରିଶ୍ରମ କରି ଦେଶର ରାଜ୍ୟ ସରକାରଗୁଡିକ ମଧ୍ୟ ପରିସ୍ଥିତିକୁ ସମ୍ଭାଳିବାରେ ଦାୟିତ୍ଵବାନ ଭାବେ କାର୍ଯ୍ୟ କରିଛନ୍ତି । ତେବେ ବନ୍ଧୁଗଣ, ସମସ୍ତ ପ୍ରଚେଷ୍ଟା ସତ୍ଵେ କରୋନା ମହାମାରୀ ଯେପରି ତାହାର କାୟା ବିସ୍ତାର କରି ଚାଲିଛି ତାହା ବିଶ୍ଵର ସ୍ୱାସ୍ଥ୍ୟ ବିଶାରଦ ଓ ସରକାରଗୁଡିକୁ ଅଧିକ ସତର୍କ କରାଇଛି । କରୋନାର ସଂକ୍ରମଣ ଯେପରି ରୋକିହେବ ସେନେଇ ମୁଁ ରାଜ୍ୟଗୁଡିକ ସହିତ ନୀରବଚ୍ଛିନ୍ନ ଭାବେ ସମ୍ପର୍କରେ ରହିଛି । ସମସ୍ତେ ଲକଡାଉନକୁ ବଳବତ୍ତର ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ଅନେକ ରାଜ୍ୟ ଲକଡାଉନ ଅବଧି ବଢାଇବାର ନିଷ୍ପତ୍ତି ନେଇସାରିଛନ୍ତି । ସମସ୍ତ ପ୍ରସ୍ତାବକୁ ଦୃଷ୍ଟିରେ ରଖି, ଭାରତରେ ଏହି ଲକଡାଉନ ଅବଧିକୁ ମେ’ 3 ତାରିଖ ପର୍ଯ୍ୟନ୍ତ ବଢାଯାଉଛି । ତା’ର ଅର୍ଥ ମେ’ 3 ତାରିଖ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଲକଡାଉନ ଭିତରେ ରହିବାକୁ ପଡିବ । ଏହି ସମୟ ମଧ୍ୟରେ ବର୍ତ୍ତମାନ ଯେପରି କରୁଛୁ, ସେହିପରି ଶୃଙ୍ଖଳା ଆମକୁ ମାନିବାକୁ ହେବ ।" ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | 

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ "ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ ତଥା ପ୍ରାର୍ଥନା ଯେ, ଆମେ କୌଣସି ନୂଆ ଅଞ୍ଚଳକୁ କରୋନା ଭୂତାଣୁ ବ୍ୟାପିବାକୁ ଦେବା ନାହିଁ । ଏକ କ୍ଷୁଦ୍ରାତି କ୍ଷୁଦ୍ର ସ୍ଥାନରେ ମଧ୍ୟ ଗୋଟିଏ ନୂଆ ରୋଗୀ ଚିହ୍ନଟ ହେଲେ ତାହା ଆମ ପାଇଁ ଗମ୍ଭୀର ସମସ୍ୟା ହେବ । କରୋନା ଭୂତାଣୁ ଜନିତ ଜଣେ ରୋଗୀର ମୃତ୍ୟୁ ଆମର ଏହି ଗମ୍ଭୀରତାକୁ ଆହୁରି ବୃଦ୍ଧି କରିବ । ସେ ଦୃଷ୍ଟିରୁ ହଟ ସ୍ପଟ ଗୁଡିକୁ ନେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଯେଉଁ ଅଞ୍ଚଳଗୁଡିକ ହଟ ସ୍ପଟ ହେବାର ସମ୍ଭାବନା ରହିଛି ସେଗୁଡିକ ଉପରେ ଆମକୁ ତୀକ୍ଷଣ ନଜର ରଖିବାକୁ ପଡିବ । ନୂଆ ହଟ ସ୍ପଟ ବାହାରିଲେ ତାହା ଆମର କଠିନ ପରିଶ୍ରମ ଓ ତପସ୍ୟା ପ୍ରତି ଏକ ଆହ୍ଵାନ ସୃଷ୍ଟି କରିବ । ତେଣୁ ଆଗାମୀ ସପ୍ତାହରେ ଆସନ୍ତୁ ଆମେ ସମସ୍ତ ସତର୍କତା ଓ କଠୋରତାର ସହ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିବା । ଏପ୍ରିଲ 20 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସହର, ଥାନା, ଜିଲ୍ଲା ଓ ପ୍ରତ୍ୟେକ ରାଜ୍ୟରେ ଲକଡାଉନ କିପରି ପାଳନ କରାଯାଉଛି ତାହାର ଆକଳନ କରାଯିବ । କେତେଦୂର ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡିକ କରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିଛନ୍ତି ତାହାର ଅନୁଧ୍ୟାନ କରାଯିବ । ଏହି କଠିନ ପରୀକ୍ଷାରୁ ଯେଉଁ ଅଞ୍ଚଳ ମୁକୁଳିବ ବା ହଟ ସ୍ପଟ ଶ୍ରେଣୀରେ ନରହିବ ବା ହଟ ସ୍ପଟ ହେବାର ସମ୍ଭାବନା ନଥିବ ସେଠାରେ 20 ଏପ୍ରିଲ ଠାରୁ ସାଧାରଣ କାର୍ଯ୍ୟକଳାପ ଆରମ୍ଭ କରିବାକୁ ସୁଯୋଗ ଦିଆଯାଇପାରେ । ତେବେ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ, ଏହି ଅନୁମତି ସର୍ତ୍ତମୂଳକ ଏବଂ ବାହାରକୁ ବାହାରିବାର ନିୟମ ଖୁବ କଡା କଡି ହେବ । ଲକଡାଉନ ନିୟମ ଭଙ୍ଗ ହେଲେ କିମ୍ବା ପୁନଃସଂକ୍ରମଣର କୌଣସି ସମ୍ଭାବନା ଦେଖାଦେଲେ ସଙ୍ଗେ ସଙ୍ଗେ ଅନୁମତି ପ୍ରତ୍ୟାହାର କରିନିଆଯିବ । ସେ ଦୃଷ୍ଟିରୁ ଆମକୁ ନିଶ୍ଚିତ ହେବାକୁ ପଡିବ ଯେ, ଆମେ ନିଜେ ନିଜକୁ କୋହଳ କରିବା ନାହିଁ ବା ସେପରି କାହାକୁ ହେବାକୁ ଦେବା ନାହିଁ । ଏଦିଗରେ ଏକ ସବିଶେଷ ନିୟମାବଳୀ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୫ ତାରିଖରେ  ସରକାର ଜାରି କରିବେ ।" 

" ଏପ୍ରିଲ 20 ତାରିଖ ପରେ କେତେକ ନିର୍ଦ୍ଦିଷ୍ଟ ଜାଗାରେ ଏହି ସୀମିତ ଛାଡ ପ୍ରକ୍ରିୟା ଆମର ହଜାର ହଜାର ଭାଇଭଉଣୀମାନଙ୍କ ଜୀବନଜୀବିକାକୁ ଆଖିଆଗରେ ରଖି କରାଯାଇଛି । ଯେଉଁମାନେ ସବୁଦିନ ଖଟିଲେ ଖାଆନ୍ତି, ସେମାନେ ମୋ ପରିବାର ଭଳି । ସେମାନଙ୍କ ଜୀବନରେ ଏହି ବାଧାବିଘ୍ନକୁ ଦୂର କରିବା ମୋର ସର୍ବୋଚ୍ଚ ପ୍ରାଥମିକତା । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରିଛନ୍ତି । ନୂଆ ନିର୍ଦ୍ଦେଶାବଳୀ ସେମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଜାରି କରାଯାଇଛି । ଏବେ ହେଉଛି ରବି ଫସଲ ଅମଳର ସମୟ । ଚାଷୀମାନଙ୍କର ସମସ୍ୟା ଯଥାସମ୍ଭବ ହ୍ରାସ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଚେଷ୍ଟା କରୁଛନ୍ତି ।ଦେଶରେ ପର୍ଯ୍ୟାପ୍ତ ଔଷଧ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ଓ ସେଗୁଡିକର ଯୋଗାଣ ଦିଗରେ ଥିବା ବାଧାବିଘ୍ନକୁ ନୀରବଚ୍ଛିନ୍ନ ଭାବେ ଦୂର କରାଯାଉଛି । ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାଧାବିଘ୍ନଗୁଡିକୁ ଦୂର କରିବା ଦିଗରେ ମଧ୍ୟ ଦ୍ରୁତ ପ୍ରଗତି ହାସଲ କରିଛୁ । ଜାନୁଆରୀ ମାସରେ ଗୋଟିଏ ମାତ୍ର କରୋନା ଭୂତାଣୁ ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ଏହା 220କୁ ବୃଦ୍ଧି ପାଇଛି । ବିଶ୍ଵବ୍ୟାପୀ ମହାମାରୀକୁ ଅନୁଧ୍ୟାନ କଲେ ପ୍ରତି 10 ହଜାର ରୋଗୀଙ୍କ ପାଇଁ 1500 ରୁ 1600 ଶଯ୍ୟା ଦରକାର ହୋଇଥାଏ । ଭାରତରେ ଆଜିସୁଦ୍ଧା ଆମେ 1 ଲକ୍ଷ ଶଯ୍ୟାର ବ୍ୟବସ୍ଥା କରିପାରିଛୁ । କେବଳ ସେତିକି ନୁହେଁ, କରୋନା ଚିକିତ୍ସା ପାଇଁ 600ରୁ ଅଧିକ ଉତ୍ସର୍ଗୀକୃତ ହସ୍ପିଟାଲ ଆମର ଏବେ ରହିଛି । କହିବାକୁ ଗଲେ, ଏହି ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।" 

" ଭାରତର ସୀମିତ ସମ୍ବଳ ଯୋଗୁଁ ଆଜି ମୁଁ ଦେଶର ଯୁବ ବୈଜ୍ଞାନିକମାନଙ୍କୁ ସ୍ଵତନ୍ତ୍ର ଭାବେ ଅନୁରୋଧ କରୁଛି, ବିଶ୍ଵ ତଥା ସମଗ୍ର ମାନବ ଜାତିର କଲ୍ୟାଣ ଦିଗରେ ସେମାନେ କରୋନା ଭୂତାଣୁ ଭାକ୍ସିନ ବାହାର କରିବା ଲାଗି ଶୀଘ୍ର ଆଗେଇ ଆସନ୍ତୁ । ଆମେ ଯଦି ଧୈର୍ଯ୍ୟର ସହିତ ନିୟମ ପାଳନ କରିବା ତେବେ କରୋନା ମହାମାରୀକୁ ନିଶ୍ଚିତ ହରାଇବାରେ ସମର୍ଥ ହେବା । ଏହି ବିଶ୍ଵାସର ସହ ମୁଁ ପରିଶେଷରେ ଆପଣମାନଙ୍କ ଠାରୁ 7ଟି ବିଷୟରେ ସମର୍ଥନର ଆଶା କରୁଛି" ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | 

ପ୍ରଧାନମନ୍ତ୍ରୀ କରିଥିବା ଅନୁରୋଧ ଗୁଡିକ ନିମ୍ନମତେ 

ପ୍ରଥମ ବିଷୟ: ଘରେ ଥିବା ବୟସ୍କ ଓ ବିଶେଷ କରି ନୀରବଚ୍ଛିନ୍ନ ବ୍ୟାଧିରେ ପୀଡିତ ବ୍ୟକ୍ତିମାନଙ୍କର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ । କରୋନା ସଂକ୍ରମଣରୁ ସେମାନଙ୍କୁ ନିରାପଦ ରଖିବା ପାଇଁ ଆମକୁ ଅତିରିକ୍ତ ଯତ୍ନ ନେବାକୁ ପଡିବ ।

ଦ୍ଵିତୀୟ ବିଷୟ: ଲକଡାଉନର ଲକ୍ଷ୍ମଣ ରେଖା ଓ ସାମାଜିକ ଦୂରତ୍ଵର କଡାକଡି ଅନୁପାଳନ। ଘରତିଆରି ମାସ୍କର ନିଶ୍ଚିତ ବ୍ୟବହାର । 

ତୃତୀୟ ବିଷୟ: ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ରୋଗ ପ୍ରତିଷେଧକ ନିୟମାବଳୀର ଅନୁପାଳନ । ନିୟମିତ ଭାବେ ଗରମ ପାଣି ଓ କାଢା ପିଇବାର ଅନୁପାଳନ ।

ଚତୁର୍ଥ ବିଷୟ: କରୋନା ସଂକ୍ରମଣର ପ୍ରସାର ରୋକିବା ଦିଗରେ ଆରୋଗ୍ୟ ସେତୁ ଆପ କୁ ଡାଉନଲୋଡ କରିବା ଓ ଅନ୍ୟମାନଙ୍କୁ ଏହାକୁ ଡାଉନଲୋଡ କରିବା ପାଇଁ ପ୍ରବର୍ତ୍ତାଇବା ।

ପଞ୍ଚମ ବିଷୟ:ଯଥା ସମ୍ଭବ ଗରିବ ପରିବାରଗୁଡିକୁ ସାହାଯ୍ୟ କରିବା । ବିଶେଷକରି ସେମାନଙ୍କର ଖାଦ୍ୟ ଆବଶ୍ୟକତାକୁ ପୁରଣକରିବା ।

ଷଷ୍ଠ ବିଷୟ:ବ୍ୟବସାୟ ଓ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି ଦୟା ପ୍ରଦର୍ଶନ କରି ସେମାନଙ୍କୁ ଜୀବିକାରୁ ବଞ୍ଚିତ ନକରିବା ।

ସପ୍ତମ ବିଷୟ: ଆମର ଡାକ୍ତର, ନର୍ସ, ସଫେଇ ଓ ପୁଲିସ କର୍ମଚାରୀମାନଙ୍କ ଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ।

0
0
0
s2sdefault