ଓଡଗାଁ ଶ୍ରୀରାମନବମୀ ଯାତ୍ରାର ୪ର୍ଥ ସନ୍ଧ୍ୟା
ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ମର୍ଯ୍ୟଦା ପୁରୁଷୋତମ ପ୍ରଭୁ ରାମଚନ୍ଦ୍ର କେବଳ ଦୁଷ୍ଟ ମାନଙ୍କୁ ଦମନ କରିବା ପାଇଁ ନୁହେ, ଯୁଗ ଯୁଗ ଧରି ପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ଅପେକ୍ଷାରତ ଭକ୍ତମାନଙ୍କ ମଧ୍ୟ ଇଚ୍ଛାପୂର୍ଣ୍ଣ ପାଇଁ ଧରାବତରଣ କରିଥାନ୍ତି । ସର୍ବଦା ଭକ୍ତି ମାର୍ଗର ଅନୁସରଣରତ କୈବର୍ତ୍ତ ଘାଟରେ ଡଙ୍ଗାରଖି ଅପେକ୍ଷା କରିଥାଏ । କେହି ଦିବ୍ୟ ପୁରୁଷଙ୍କ ପଦସ୍ପର୍ଶ ଯୋଗୁଁ ପଥର ନାରୀରେ ପରିଣତ ହେବାକଥା ଶୁଣିଥାଏ। ମହାମୁନି ବିଶ୍ୱାମିତ୍ରଙ୍କ ସହିତ ଦୁଇ ବାଳକ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଦେଖି କୈବର୍ତ୍ତ ବିଶ୍ୱାସ ଭାବପ୍ରବଣତାରେ ପରିଣତ ହୋଇଥିଲା । ଇଷ୍ଟଙ୍କର ପଦପ୍ରକ୍ଷାଳନ କରିବାର ଇଚ୍ଛାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲା । ଭକ୍ତର ଭାବନାକୁ ଭଗବାନ ବୁଝି ପାରିଥିଲେ ମଧ୍ୟ ତାର ଧର୍ଯ୍ୟକୁ ପରୀକ୍ଷା କରିବାପାଇଁ ବିଭିନ୍ନ ଆଳ ଦେଖାଇ ପାଦଧୈାତକୁ ଏଡାଇ ଯାଇଥିଲେ । ମାତ୍ର ଚତୁର କୈବର୍ତ ପଦଧୁଳିପଡି ନୈାକାଟି ନାୟିକା ହେଲେ ପରିବାର ପୋଷଣ ଦୁର୍ବିସହ ହେବାର ଦ୍ୱାହି ଦେଇ ଭଗବାନଙ୍କୁ ବିବସ କରିଦେଇଥିଲା । ଏକଥା ଶୁଣି ଭକ୍ତ ନିକଟରେ ହାରିବାକୁ ଭଲପାଉଥିବା ଭଗବାନ ନିଜର ପାଦକୁ ବଢାଇ ଦେଇଥିଲେ । ସେମାନଙ୍କୁ ତା ଡଙ୍ଗାରେ ବସାଇବା ପୂର୍ବରୁ ସେମାନଙ୍କ ପାଦ ଧୌତ କରିଥିଲା କୈବର୍ତ୍ତ | ଆଉ ରାମ ଲକ୍ଷ୍ମଣଙ୍କୁ ଡ଼ଙ୍ଗାରେ ବାହି ନେଇ ନଦୀ ପାରି କରାଇଥିଲା |
ଏହି ବିଷୟ ବସ୍ତୁ ଉପରେ ଆଧାରିତ ହୋଇଥିଲା ସ୍ଵର୍ଣ କଳସ କ୍ଷେତ୍ର ଓଡଗାଁରେ ବିଜେ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଚତୁର୍ଥ ସନ୍ଧ୍ୟାର ବେଶ | ନିରାଡ଼ମ୍ବର ଭାବେ ତଥା କେବଳ ନୀତିକାନ୍ତି ଭିତରେ ଚାଲିଥିବା ଶ୍ରୀ ଶ୍ରୀ ରଘୁନାଥଙ୍କ ଶ୍ରୀରାମ ନବମୀ ଯାତ୍ରା ଭକ୍ତଙ୍କ ବିନା ଦର୍ଶନରେ ତଥା ପାଳିଆ ସେବାୟତ ଓ ମନ୍ଦିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି |