ହେଡଲାଇନସ୍:

ପ୍ରାର୍ଥନା ସଭାରେ ଆଣ୍ଠେଇଲେ ଛାତ୍ର: ଶିକ୍ଷକ -ଅଭିଭାବକ ମୁହାଁମୁହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

-ଅପମାନିତ ଛାତ୍ର ଆତ୍ମହତ୍ୟା କରିବାକୁ କହୁଥିବା ଅଭିଯୋଗ ଆଣିଲେ ଛାତ୍ରଙ୍କ

-ମା’ ବିଦ୍ୟାଳୟରେ ଶୃଙ୍ଖଳା ରକ୍ଷା ନିମନ୍ତେ ଏପରି କରାଯାଇଥିବା କହିଲେ ପ୍ରଧାନଶିକ୍ଷୟିତ୍ରୀ

ବାରିପଦା,(ଦିଲ୍ଲୀପ ମହାନ୍ତି) : ଆଜି ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର(ଏମ୍‌କେସି) ଉଚ୍ଚବିଦ୍ୟାଳୟରେ କିଛି ଛାତ୍ରଙ୍କୁ ପ୍ରାର୍ଥନା ସଭାରେ ଆଣ୍ଠେଇବା ଦଣ୍ଡଦେବାକୁ ନେଇ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରଙ୍କ ମା’। ନବମ ଶ୍ରେଣୀ ଛାତ୍ର ସୁମିତ କୁମାର ସାହୁଙ୍କ ମା’ ତଥା ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ସଦସ୍ୟା ସସ୍ମିତା ବେହେରାଙ୍କ ଅଭିଯୋଗ ଅନୁସାରେ ଏମ୍‌କେସି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତାଙ୍କ ପୁଅଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରାର୍ଥନା ସଭାରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ଆଣ୍ଠେଇବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପୁଅର ଚୁଟିକୁ ନେଇ କଟୁ ମନ୍ତବ୍ୟ ଦେବା ସହିତ ସର୍ବସମ୍ମୁଖରେ ଆଣ୍ଠେଇବାର ଦଣ୍ଡ ଦେଇଥିଲେ। ଯାହାକି ତାଙ୍କ ପୁଅକୁ ମାନସିକଭାବେ ଆଘାତ ଦେଇଛି। ଆଜି ଇଂରାଜୀ ପରୀକ୍ଷା ଥିଲେ ମଧ୍ୟ ସୁମିତ କିଛି ଲେଖିପାରିନଥିଲେ। ଏପରିକି ମାନସିକପୀଡ଼ାର ଶିକାର ଛାତ୍ରଜଣଙ୍କ ଆତ୍ମହତ୍ୟା କରିବାକୁ କହୁଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମା’। କେବଳ ତାଙ୍କ ପୁଅ ନୁହେଁ ଆହୁରି କିଛି ଛାତ୍ରଙ୍କୁ ମଧ୍ୟ ଏପରି ଆଣ୍ଠେଇବାକୁ ଦଣ୍ଡ ଦିଆଯାଇଛି। ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଥିଲେ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ ଜଣଙ୍କ ଏପରି ଦଣ୍ଡ ଦେଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସସ୍ମିତା। ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏମ୍‌କେସି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ଜେନା। ନିଜ ପ୍ରତିକ୍ରିୟାରେ ଶ୍ରୀମତୀ ଜେନା କହିଛନ୍ତି କି ଜଗଜ୍ଜୀବନ ସାହୁ ଏବଂ ସସ୍ମିତା ବେହେରା ସ୍ବାମୀ ସ୍ତ୍ରୀ ହୋଇଥିଲେ ମଧ୍ୟ କୌଶଳକ୍ରମେ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି)ରେ ସଦସ୍ୟ ଭାବେ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ଏବିଷୟରେ ଜଣାପଡ଼ିଲାପରେ ସସ୍ମିତାଙ୍କ ସ୍ବାମୀ ଜଗଜ୍ଜୀବନଙ୍କୁ ଏସ୍‌ଏମ୍‌ସିରୁ ବାହାର କରାଯାଇଥିଲା। ଯାହାର ପ୍ରତିଶୋଧ ନେବାକୁ ଭିନ୍ନଭିନ୍ନ ସମୟରେ ବିଦ୍ୟାଳୟର ଖ୍ୟାତିରେ ଆଞ୍ଚ ଆଣିବାକୁ ଉକ୍ତ ମହିଳା ଜଣଙ୍କ ଏପରି ଅନେକ କାମ କରିଛନ୍ତି। ପରୀକ୍ଷା ଦେବାକୁ ୭୫ପ୍ରତିଶତ ଉପସ୍ଥାନ ଆବଶ୍ୟକ ଥିଲେ ମଧ୍ୟ ଛାତ୍ର ସୁମିତଙ୍କର ମାତ୍ର ୧୪ ପ୍ରତିଶତ ଉପସ୍ଥାନ ରହିଛି। ବିଦ୍ୟାଳୟର ଶୃଙ୍ଖଳାକୁ ବାରମ୍ବାର ଭଙ୍ଗ କରୁଥିବାରୁ ଛାତ୍ରଙ୍କୁ ଶୃଙ୍ଖଳିତ କରିବାକୁ ଆକଟ କରାଯିବା ଉଦ୍ଦେଶ୍ୟରେ ଏପରି ଘଟଣା ଘଟିଯାଇଛି। କୌଣସି ଛାତ୍ରଙ୍କୁ ମାନସିକ କିମ୍ବା ଶାରିରୀକ ନିର୍ଯାତନା ଦିଆଯାଇନଥିବା ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ଜେନା ପ୍ରକାଶ କରିଛନ୍ତି। ସୁମିତଙ୍କ ସହିତ ଆଉ ୪ ଜଣ ଛାତ୍ରଙ୍କୁ ମଧ୍ୟ ଏପରି ଆକଟ କରାଯାଇଥିଲା। ପରେ ଛାତ୍ରମାନଙ୍କୁ କାଉନ୍‌ସେଲିଂ ମଧ୍ୟ କରାଯାଇଥିବା ଶ୍ରୀମତୀ ଜେନା ପ୍ରକାଶ କରିଛନ୍ତି। ତେବେ ଉକ୍ତ ଛାତ୍ରଙ୍କର ମା’ ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ପ୍ରଧାନଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି। ତେବେ ପ୍ରାର୍ଥନାସଭାରେ ଛାତ୍ରମାନଙ୍କୁ ଆକଟ କରିବା ଉଦ୍ଦେଶ୍ୟରେ ଆଣ୍ଠେଇବାକୁ କୁହାଯାଇଥିବା ସ୍ପଷ୍ଟ ହୋଇଛି। 

0
0
0
s2sdefault