ହେଡଲାଇନସ୍:

ପୁଣି ମଣିଷ ପଣିଆର ଆଉ ଏକ ଫର୍ଦ୍ଦ ଯୋଡି଼ଲା ‘ଓଡ଼ିଶା-ମୋ ପରିବାର’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କ ମରଶରୀର ଆଣି ପହଂଚାଇଲା ତାଙ୍କ ଜନ୍ମ ମାଟିରେ 

ଭୁବନେଶ୍ୱର (ଶାସକ ପ୍ରଶାସକ) ପୁଣି ମାନବିକତାର ନୂଆ ଏକ ଫର୍ଦ୍ଦ ଯୋଡିଛି ‘ଓଡ଼ିଶା-ମୋ ପରିବାର’  ଅଭିଯାନ । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଫେରାଇ ଆଣି ନିଜ ନାମକରଣର ସାର୍ଥକତା ଦିଗରେ ଆଉ ପାଦେ ଆଗକୁ ଯାଇଛି | 

ଅଭିମନ୍ୟୁ ଦୋରା | ବୟସ ୨୫ ବର୍ଷ |  ଘର ଗଜପତି ଜିଲ୍ଲା ଘୋରଣୀ ଗାଁର ଲାଲୁ ସାହିରେ | ପେଟ ପାଟଣା ପାଇଁ ଚାଲିଯାଇଥିଲେ ସୁଦୂର ଉତ୍ତରପ୍ରଦେଶର ନୋଏଡାକୁ | ସେଠି ସେ ଦିନ ମଜୁରିଆ ଭାବେ କାମ କରୁଥିଲେ | ହେଲେ ହଠାତ ହୃଦରୋଗରେ ତାଙ୍କ ମୃତ୍ୟୁ ହୋଇଗଲା | ପୁଅର ମୃତ୍ୟୁ ଖବର ପାଇ ଅଭିମନ୍ୟୁଙ୍କ ଗରିବ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ିଥିଲେ | ପୁଅର ମୃତଦେହ କେମିତି  ସେ ନେଇ ଚିନ୍ତାରେ ପଡିଯାଇଥିଲେ । ସେଠାରୁ ଗାଁକୁ ଶବ ଆଣିବା ସେମାନଙ୍କ ପକ୍ଷେ ଆଦୌ ସମ୍ଭବ ନ ଥିଲା । ପୁଅର ମୃତ୍ୟରେ ଭାଙ୍ଗି ପଡିଥିବା ପରିବାର ବର୍ଗ  ନିରୁପାୟ ହୋଇ ଭଗବାନଙ୍କୁ ଡାକୁଥିବା ବେଳେ ସେ ଅବେଳରେ ଦେବଦୁତ ଭଳି ଉଭା ହୋଇଥିଲା "ଓଡିଶା-ମୋ ପରିବାର " | ନିଜ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଅଭିମନ୍ୟୁଙ୍କ ବିଷୟରେ ଆଉ ତାଙ୍କ ପରିବାରର ଅସହାୟତା ବିଷୟରେ ଅବଗତ ହେବ ପରେ ସହାୟତା ପାଇଁ ଆଗେଇ ଆସିଥିଲା  ‘ଓଡ଼ିଶା-ମୋ ପରିବାର’ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଅବଗତ ହେଲା ପରେ ତତ୍ପରତା ପ୍ରକାଶ ପାଇଥିଲା । ତୁରନ୍ତ ନୋଇଡ଼ା କର୍ତ୍ତୃପକ୍ଷଙ୍କ  ସହ ଯୋଗାଯୋଗ କରାଯାଇ ଶବ ଫେରାଇ ଆଣିବାର ବନ୍ଦୋବସ୍ଥ କରାଯାଇଥିଲା । ଦିଲ୍ଲୀରେ ରହୁଥିବା କିଛି ଓଡ଼ିଆ ଯୁବକ ଏବଂ ଭଦ୍ରବ୍ୟକ୍ତି ମଧ୍ୟ ଏଥିରେ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ  ଏବଂ ‘ଓଡ଼ିଶା-ମୋ ପରିବାର’ ର ଆବାହକ ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ  ଆଜି ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା ଭୁବନେଶ୍ୱର । ‘ଓଡ଼ିଶା-ମୋ ପରିବାର’ ର ଉପଦେଷ୍ଟା ବିବେକ ପଟ୍ଟନାୟକ, ସଭ୍ୟ ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସଭ୍ୟ ଭାରତୀ ସିଂ ଙ୍କ ସମେତ ଅନ୍ୟମାନେ ଶବାଧାରକୁ ବିମାନବନ୍ଦରରୁ ଆଣିବା ସହ  ଆମ୍ବୁଲାନସ୍ ଯୋଗେ ତାଙ୍କ ଜନ୍ମମାଟି ଘର ଗଜପତି ଜିଲ୍ଲା ଘୋରଣୀ ଗାଁର ଲାଲୁ ସାହିକୁ ପଠାଇଥିଲେ ।

‘ଓଡ଼ିଶା-ମୋ ପରିବାର’ ର ଏହି ବଦାନ୍ୟ କାର୍ଯ୍ୟରେ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଲାଣି । 

0
0
0
s2sdefault