ହେଡଲାଇନସ୍:

"କୁଷ୍ଠ ରୋଗୀଙ୍କ ପ୍ରତି ସାମାଜିକ ଭେଦଭାବ ଦୂରକରି ସମାଜର ମୁଖ୍ୟ  ସ୍ରୋତରେ ସାମିଲ କରିବା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ସ୍ତରୀୟ ବିଶ୍ୱ କୁଷ୍ଠ ନିରାକରଣ ଦିବସ --୨୦୨୦ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବାଲାଜୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟେ ଜିଲ୍ଲା ସ୍ତରୀୟ ବିଶ୍ଵ କୁଷ୍ଠ ନିରାକରଣ ଦିବସ --୨୦୨୦ ଅନୁଷ୍ଠିତ ହୋଇଯାଇଛି।

  ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ରନାଥ ବେହେରାଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ , ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଗୁନୁରାଣୀ ପଟ୍ଟନାୟକ , ଜିଲ୍ଲା କୁଷ୍ଠାଶ୍ରମ ଅଧିକାରୀ ରବିନାରାୟଣ ଦାଶ ମଞ୍ଚସୀନ ଅତିଥି ଭାବେ ଯୋଗ ଦେଇ କୁଷ୍ଠ ରୋଗକୁ ପୃଥିବୀର ସର୍ବ ପୁରାତନ ରୋଗ ଭାବରେ ପରିଗଣିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତ ସମେତ ଅନ୍ୟ ୨୦ ଗୋଟି ରାଷ୍ଟ୍ରରେ ଏହି ରୋଗ ସଂକ୍ରମିତ ରୋଗୀ ମାନଙ୍କର ଚିହ୍ନଟିକରଣ କରାଯାଇଛି।

ପୂର୍ବରୁ ଏହାକୁ ଏକ ଦୁରାରୋଗ୍ୟ ବ୍ୟାଧି ଭାବେ ପରିଗଣନା କରାଯାଉଥିଲା। ଭାରତରେ ଜାତିର ପିତା ମହାତ୍ମା ଗାନ୍ଧୀ ଏହି ରୋଗରେ ପୀଡିତ ରୋଗୀଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ସେମାନଙ୍କର  ସ୍ଵତନ୍ତ୍ର ସେବା ଯତ୍ନ  କରୁଥିଲେ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ପ୍ରୟାସ ମଧ୍ୟ ଜାରି ରଖିଥିଲେ ଯାହାକି ସମଗ୍ର ବିଶ୍ୱରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିପାରିଥିଲା। 

ତେଣୁ ୧୯୫୪ ମସିହାରେ ଫ୍ରାନ୍ସ ର ମାନବିକ କର୍ମୀ Raoul follereau ଗାନ୍ଧିଜୀଙ୍କର  ଶ୍ରାଦ୍ଧ ଦିବସକୁ ବିଶ୍ୱ କୁଷ୍ଠ ନିରାକରଣ ଦିବସ ରୂପେ ପାଳନ କରିବା ପାଇଁ  ପ୍ରସ୍ତାବ ଦେଇଥିଲେ ଏବଂ ସେହି ବର୍ଷ ଠାରୁ ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କର  ଶ୍ରାଦ୍ଧ ଦିବସକୁ ବିଶ୍ୱ କୁଷ୍ଠ ନିରାକରଣ ଦିବସ ରୂପେ ପାଳନ  କରାଯାଇଛି ବୋଲି ମଞ୍ଚସୀନ ଅତିଥି ମାନେ କହିଥିଲେ।

ଆମେ ଗଜପତି ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମରଣାର୍ଥେ ଏହା ଘୋଷଣା କରୁଅଛୁ କି ଆମ  ଗଜପତି ଜିଲ୍ଲାକୁ କୁଷ୍ଠମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଏବଂ ସହଯୋଗ ଜାରି ରଖିବୁ। 

   କୁଷ୍ଠ ରୋଗ ସହଜରେ ଚିହ୍ନଟ କରାଯାଇପାରେ ଏବଂ ଏହା ଆରୋଗ୍ୟସାଧ୍ୟ । ସମସ୍ତ ନୂତନ କୁଷ୍ଠ ରୋଗୀଙ୍କୁ ଯଥା ଶୀଘ୍ର ଚିହ୍ନଟ କରିବାପାଇଁ ଆମେ ସବୁପ୍ରକାର ଚେଷ୍ଟା କରିବୁ। ଏହି ଲକ୍ଷ୍ୟ ସାଧନ ପାଇଁ ଆମ ପାଖରେ ଉପଲବ୍ଧ ଥିବା ସମସ୍ତ ପ୍ରକାର ସମ୍ବଳର  ବିନିଯୋଗ କରିବୁ। ତତ୍ ସଙ୍ଗେ ସଙ୍ଗେ ଆମ୍ଭେ କୌଣସି ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ସହ ସାମାଜିକ ଭେଦଭାବ ରଖିବୁ ନାହିଁ  ଏବଂ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ବାରା କୁଷ୍ଠ ରୋଗାକ୍ରାନ୍ତଙ୍କ ପ୍ରତି ହେଉଥିବା ସାମାଜିକ ଭେଦଭାବକୁ  ପ୍ରଶ୍ରୟ ଦିଆଯିବ ନାହିଁ।

  ଆସନ୍ତୁ ଆମ୍ଭେ ବ୍ୟକ୍ତିଗତ ଏବଂ ସାମୁହିକ ଭାବେ କାର୍ଯ୍ୟ କରି ବାପୁଜୀଙ୍କ ସ୍ୱପ୍ନ "କୁଷ୍ଠ ରୋଗୀଙ୍କ ପ୍ରତି ସାମାଜିକ ଭେଦଭାବ ଦୂରକରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ  ସ୍ରୋତରେ ସାମିଲ କରିବା" ପାଇଁ ପ୍ରାଯତ୍ନଶୀଳ ହେବା ।ଏପରି ଏକ ବାର୍ତ୍ତାକୁ ନେଇ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା।

 ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ରବିନ୍ଦ୍ରନାଥ ବେହେରା ଅତିଥି ପରିଚୟ ଓ ବିବରଣୀ ଉପସ୍ଥାପନ କରିଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।  ଏଥି ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ବଣ୍ଟନ କରିଥିଲେ ଅତିଥି ମାନେ।

ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା କୁଷ୍ଠାଶ୍ରମର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

0
0
0
s2sdefault