ହେଡଲାଇନସ୍:

କାହା ବଳରେ ବଳିୟାନ ଏ ଜଙ୍ଗଲ ମାଫିଆ : ପ୍ରଶାସନ ଏତେ ଅସହାୟ କାହିଁକି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବନବିଭାଗ ଠାରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଶାଳଗଣ୍ଡି ଛଡାଇନେଲେ ମାଫିଆ 

ଓଡ଼ଗାଁ( : ରବିବାର ବିଳମ୍ଭିତ ରାତିରେ ଏକ ଅଭାବନୀୟ ଘଟଣାକ୍ରମରେ ୩ ଟି ଟ୍ରାକ୍ଟର ଡାଲାରେ ବୋଝେଇ ହୋଇଥିବା ଆନୁମାନିକ ୩ ଲକ୍ଷ ଟଙ୍କାର ଶାଳଗଣ୍ଡି ନାଟକୀୟ ଢଙ୍ଗରେ ସରକାରୀଦଳ ସମର୍ଥିତ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ହସ୍ତକ୍ଷପେ ପରେ ପୋଲିସ ଏବଂ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ଯୋର ଜବରଦସ୍ତ ଛଡାଇନେଲେ କାଠ ମାଫିଆ । ଫଳରେ ବାହାଡ଼ାଝୋଲା ଅନ୍ତର୍ଗତ ବନ୍ଧାଭୁଇଁ ଗାଁରୁ ବନଖଣ୍ଡ ଅଧିକାରୀଙ୍କ ସହିତ ସମସ୍ତ ବନକର୍ମଚାରୀ ନିରାଶ ହୋଇ ଫେରିଲେ । ବିଶେଷ ସୁତ୍ରରୁ ଖବରପାଇ ରବିବାର ବିଳମ୍ବିତ ରାତିରେ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ମକରାପଲ୍ଲୀ ସଂରକ୍ଷିତ  ଜଙ୍ଗଲରୁ ୩ଟି ଟ୍ରାକ୍ଟରରେ ବହୁଳ ପରିମାଣର ଶାଳଗଣ୍ଡି ବୋଝେଇ ହୋଇ ଆସୁଥିବା ସଂକ୍ରାନ୍ତରେ  ବାହାଡ଼ାଝୋଲା ବନପାଳ ସରିତା ବରାଳ ଘଟଣାସ୍ଥଳରେ ପହଂଚିଥିଲେ ।  ଓଡି ୨୫ଜି ୬୬୯୧, ଓଆର ୦୨କେ ୨୪୦୭ ଏବଂ ଓଆର ୨୫ବି ୬୧୪୩ ନମ୍ବର ବିଶିଷ୍ଟ ଟ୍ରାକ୍ଟର ସହିତ ଶାଳଗଣ୍ଡି ଜବତ କରିଥିଲେ । ଘଟଣା ସ୍ଥଳରେ ଜନୈକ ନିର୍ବାଚିତ ପ୍ରତିନିଧିଙ୍କ ପରିବାର ସହିତ ବନ୍ଧାଭୂଇଁ ଗ୍ରାମର କେତେକ ସମର୍ଥକ ପହଂଚି ଜବତ କାଠ ଓ ଅଟକ ଟ୍ରାକ୍ଟରକୁ ଛାଡି ଦେବାକୁ ମହିଳା ବନପାଳଙ୍କ ଉପରେ ଚାପ ପକାଇ କାଠ ବୋଝେଇ ଟ୍ରାକ୍ଟର ଗୁଡିକୁ ନେବାକୁ ଉଦ୍ୟମ କରୁଥିଲା ବେଳେ ଓଡ଼ଗାଁ ବନାଂଚଳ ଅଧିକାରୀ ରବିନ୍ଦ୍ର ପଣ୍ଡା, ପଂଚରିଡ଼ା, ମହିପୁର ସ୍ୱତନ୍ତ୍ର ମୋବାଇଲ ସ୍କ୍ୱାଡ ଏବଂ କର୍ମଚାରୀଙ୍କ ସହିତ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ ଏଚଡି ଘଟଣା ସ୍ଥଳରେ ପହଁଚିଥିଲେ । ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା ପରେ କାଠ ବୋଝେଇ ଟ୍ରାକ୍ଟର ଗୁଡ଼ିକ ଓଡ଼ଗାଁ ବନାଂଚଳ କାର୍ଯାଳୟକୁ ଆସୁଥିବା ବେଳେ ପୂର୍ବ ପ୍ରସ୍ତୁତି ଓ ଯୋଜନା ଅନୁସାରେ ବନ୍ଧାଭୁଇଁ ଗାଁ ରାସ୍ତାରେ ଟାୟାର ଜାଳି କିଛି ମହିଳା ଟ୍ରାକ୍ଟର ଗୁଡିକୁ ଅଟକାଇଥିଲେ । ଏହାର ସୁଯୋଗ ନେଇ ବନକର୍ମଚାରୀ ଚାଳକ ମାନଙ୍କୁ ଯୋରଜବରଦସ୍ତ ଟ୍ରାକ୍ଟରରୁ ଓହ୍ଲାଇ ମାଫିଆମାନେ ନିଜେ ଟ୍ରାକ୍ଟର ନେଇ ଘଟଣା ସ୍ଥଳରୁ କେଉଁଆଡେ ଚାଲି ଯାଇଥିଲେ । ଏହାପରେ ଅଟକ ଥିବା ଚାଳକ ଓ ହେଲପରମାନଙ୍କୁ ଛାଡିଦେବା ପାଇଁ ରାସ୍ତା ଅବରୋଧକାରୀମାନେ ସମସ୍ତ ବନକର୍ମଚାରୀଙ୍କୁ ପୋଲିସ ଉପସ୍ଥିତିରେ ଅଟକାଇ ଥିଲେ । ପରିସ୍ଥିତି ଏପରି ହେଲା  ଅଟକମାନଙ୍କୁ ଛାଡିବା ବଦଳରେ ବନକର୍ମଚାରୀମାନେ ସେଠାରୁ ମୁକୁଳିଥିଲେ । ଏହି ଘଟଣା ଘଟିବାର ଗୋଟିଏ ଦିନ ବିତି ଯାଇଥିଲେ ସୁଦ୍ଧା ଥାନା କିମ୍ବା ବନବିଭାଗରେ ବିଭାଗୀୟ ମାମଲା ରୁଜୁ ହେବାନେଇ  କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ଓଡ଼ଗାଁ ବନାଂଚଳ ଅନ୍ତର୍ଗତ ଗୟଳସିଂ ସରଂକ୍ଷିତ ଜଙ୍ଗଲ ଓସ୍ତିଆ ଠାରେ ୨୦୧୯ ମସିହା ମାର୍ଚ ୨ ତାରିଖ ସନ୍ଧ୍ୟାରେ ଓଡ଼ଗାଁ ବନପାଳ ଏବଂ ତାଙ୍କ ସହେଯାଗୀ କର୍ମାଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ସେହିମାସ ୧୦ ତାରିଖରେ ଓଡ଼ଗାଁ ପୋଲିସକୁ ଚକମା ଦେଇ ଦୁର୍ବୁତମାନେ ଖସିଯାଇ ଥିଲେ । ଏବେ ସେମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି । ସେହିପରି କିଛିଦିନ ପୂର୍ବେ ବାହାଡ଼ାଝୋଲା ଆମ୍ବପଡା ବିଟ୍ ବନପାଳଙ୍କୁ ଦୁର୍ବୁତମାନେ ମରଣାନ୍ତକ ଆକ୍ରମଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ଦୃଷ୍ଟାନ୍ତ ମୁଳକ କାର୍ଯାନୁଷ୍ଠାନ  ଗ୍ରହଣ କରାଯାଇନାହିଁ । ଫଳରେ ଦିନକୁ ଦିନ ମାଫିଆାଙ୍କ ମନୋବଳ ବୃଦ୍ଧି ପାଉଛି । ପରିଣାମ ସ୍ୱରୁପ ଆାଗକୁ ଏହିପରି ଅନେକ ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇଦିଆଯାଇନପାରେ । ଅଥବା ବନକର୍ମଚାରୀମାନେ ଜଙ୍ଗଲ ଲୁଟ ସମୟରେ ନିଜର ସୁରକ୍ଷା ପାଇଁ କର୍ତବ୍ୟରେ ଅବହେଳା କରିପାରନ୍ତି । 

0
0
0
s2sdefault