ହେଡଲାଇନସ୍:

"ଭାରତୀୟ ସାହିତ୍ୟର ଜଳରାଶି ନକାରାତ୍ମକ ରାଜନୈତିକ, ଧାର୍ମିକ, ଏବଂ ସ୍ୱାର୍ଥକୈନ୍ଦ୍ରିକ ଅର୍ଥନୈତିକ ଶକ୍ତି ଦ୍ୱାରା କଳୁଷିତ ହେଉଛି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦୁଇ ଦିନିଆ ସାହିତ୍ୟ ମହାକୁମ୍ଭ "ସୋଆ ସାହିତ୍ୟ ଉତ୍ସବ" ଉଦ୍ଘାଟିତ : ସାହିତ୍ୟର ପରିସରକୁ ଉନ୍ମୁକ୍ତ କରିବା ନିମନ୍ତେ ଡଃ ୟଶଶ୍ଚନ୍ଦ୍ରଙ୍କ ଗୁରୁତ୍ୱ

  • ଆମ ଭାଷା ସାହିତ୍ୟର ପରିସର ସଂକୁଚିତ ହୋଇଗଲା ଭଳି ଲାଗୁଛି 

  • ଯୁବପିଢ଼ି ନିଜ ଭାଷାର ଉନ୍ନତି କରିବା ପାଇଁ ଆଗେଇ ଆସିବା ଆବଶ୍ୟକ

  • ଅଧିକାଂଶ ପରିବାରରେ ଏବେ ପୁସ୍ତକର ସ୍ଥାନ ଟେଲିଭିଜନ୍ ମାଡିବସିଛି

  • ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଲାଇବ୍ରେରୀ ରହିବା ଜରୁରୀ 

  • ସାହିତ୍ୟ ବାସ୍ତବରେ ସମାଜର ଦର୍ପଣ ନୁହେଁ, ଏହା ବାସ୍ତବତା ସହ କଳ୍ପନାର ମିଶ୍ରଣ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ମତ ଦେଇଛନ୍ତି ବିଶିଷ୍ଟ ଗୁଜୁରାଟି କବି ଡଃ ସିତାଂଶୁ ୟଶଶ୍ଚନ୍ଦ୍ର । 

"ଆମ ଚତୁର୍ଦ୍ଦିଗର ଘଟଣା ପ୍ରବାହକୁ ଲକ୍ଷ୍ୟ କଲେ ଏହି ପରିସର ସଂକୁଚିତ ହୋଇଗଲା ଭଳି ଲାଗୁଛି । ତେବେ ଆମ ସମୟର ସମସ୍ୟା ଓ ଆମ ସାହିତ୍ୟିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷିତ ହେବା ଆବଶ୍ୟକ" ବୋଲି ଶନିବାର ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍ଘାଟନ କରି ଡଃ ୟଶଶ୍ଚନ୍ଦ୍ର ଏହି ମତ ଦେଇଛନ୍ତି । 

ଡଃ ୟଶଶ୍ଚନ୍ଦ୍ର କହିଲେ ଯାହା ଆକର୍ଷିତ କରୁଛି ତାହା ବିଶ୍ୱାସଯୋଗ୍ୟ ବୋଲି ପ୍ରତିପାଦିତ କରାଯାଉଛି ଯଦିଓ ଯାହାକୁ ‘ଚମତ୍କାର’ ଓ ‘ଚିତାକର୍ଷକ’ ବୋଲି କୁହାଯାଉଛି ତାହା ‘ଯୁକ୍ତିଯୁକ୍ତ’ ଓ ‘ଗୁରୁତ୍ୱପୂର୍ଣ୍ଣ’ ନୁହେଁ । ତେବେ କିଭଳି ଭାବରେ ଭାରତୀୟ ସାହିତ୍ୟ ଓ ଭାଷା ଏଭଳି ସମସ୍ୟାର ସମାଧାନ କରିପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଚଳିତବର୍ଷ ମର୍ଯ୍ୟାଦାସମ୍ପନ୍ନ ସରସ୍ୱତୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ ସିନ୍ଧି କବି ଡଃ ଭାସଦେବ ମୋହି ଏବଂ ବିଶିଷ୍ଟ ଲେଖକ ଡଃ ଜ୍ଞାନେଶ୍ୱର ମୁଲେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । 

ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ୍ (ସେଂଟର ଫର ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଣ୍ଟ  ଇଣ୍ଡିଆନ୍ କଲଚର ଆଣ୍ଡ ହେରିଟେଜ୍) କେନ୍ଦ୍ର ପକ୍ଷରୁ ଆୟୋଜିତ ହୋଇଥିବା ଏହି ଦୁଇ ଦିନିଆ ସାହିତ୍ୟ ମହାକୁମ୍ଭରେ୨୭ଟି ଅଧିବେଶନ ରହିଛି ।  ଭାଷା ସାହିତ୍ୟର  ଏହି ମହାକୁମ୍ଭରେ ସାରା ଦେଶରୁ ୧୦୦ ଜଣ ବିଶିଷ୍ଟ ଲେଖକ, କବି, ସମାଲୋଚକ, ଅନୁବାଦକ, ଭାଷ୍ୟକାର ଯୋଗ ଦେଇଛନ୍ତି । ସୋଆର କୁଳପତି ପ୍ରଫେସର ଆର୍.କେ. ଚୌହାନ  ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାଚୀନର  ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଉତ୍ସବରେ ମଧ୍ୟ ଡଃ ପଣ୍ଡାଙ୍କ ଲିଖିତ ପୁସ୍ତକ ‘ବିଚାର ବିମର୍ଶ’ ଉନ୍ମୋଚିତ ହୋଇଥିଲା । 

ଓଡ଼ିଶାର ପ୍ରସିଦ୍ଧ ଚିଲିକା ହ୍ରଦ ବିଷୟରେ ଉଲ୍ଲେଖ କରି ଡଃ ୟଶଶ୍ଚନ୍ଦ୍ର କହିଥିଲେ ଯେ ଏହାର ନୀଳ ଜଳରାଶି ପାଇଁ ଏହି ହ୍ରଦଟି ବେଶ ପ୍ରସିଦ୍ଧ । ଓଡ଼ିଆ କବି ରାଧାନାଥ ରାୟ ଚିଲିକାକୁ ପ୍ରକୃତିର ବରଦାନ କହି ଏହାକୁ ନୀଳାମ୍ବୁ ଚିଲିକା ବୋଲି ବର୍ଣ୍ଣନା କରିଥିବା କଥା ନିଜ ଅଭିଭାଷଣରେ ଡଃ ୟଶଶ୍ଚନ୍ଦ୍ର ଉଲ୍ଲେଖ କରିଥିଲେ । ସେ ଉଦବେଗ  ପ୍ରକାଶ କରିଥିଲେ ଭାରତୀୟ ସାହିତ୍ୟର ଜଳରାଶି ନକାରାତ୍ମକ ରାଜନୈତିକ, ଧାର୍ମିକ, ଏବଂ ସ୍ୱାର୍ଥକୈନ୍ଦ୍ରିକ  ଅର୍ଥନୈତିକ ଶକ୍ତି ଦ୍ୱାରା କଳୁଷିତ ହେଉଛି । ଏଭଳି ଦୃଶ୍ୟପଟ ଦକ୍ଷିଣ ଏସିଆରେ ଦେଖିବାକୁ ମିଳୁଛି । ତେବେ ସାହିତ୍ୟ ଚିଲିକା ପରି ସ୍ୱଚ୍ଛ ହେବା ଆବଶ୍ୟକ ବୋଲି ସେ କହିଥିଲେ । 

ଗଣମାଧ୍ୟମକୁ ମତ ଦେବା ଅବସରରେ ଡଃ ୟଶଶ୍ଚନ୍ଦ୍ର ଯୁବପିଢ଼ିଙ୍କ ସାହିତ୍ୟ ଏବଂ ଭାଷା ପ୍ରତି ଆଗ୍ରହ ରହୁନାହିଁ ବୋଲି ଉଲ୍ଲେଖ କରି ଉଦ୍ବେଗ ପ୍ରକାଶ କରିଥିଲେ । ଯୁବପିଢ଼ି ସାହିତ୍ୟ କ୍ଷେତ୍ରରେ ଆଗ୍ରହ ଦେଖାଉ ନଥିବାରୁ ଏହା ଏକ ସମସ୍ୟା ଅଟେ । ଯୁବପିଢ଼ି ଆଗକୁ ଆସିବା ଦରକାର ଏବଂ ନିଜ ଭାଷାର ଉନ୍ନତି କରିବା ଦିଗରେ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ ଡଃ ମୋହି କହିଥିଲେ ଯେ ଯଦିଓ ସାହିତ୍ୟକୁ ସମାଜର ଦର୍ପଣ ବୋଲି କୁହାଯାଏ ତେବେ ବାସ୍ତବତାରେ ଏଭଳି ହୁଏ ନାହିଁ । କାରଣ ଦର୍ପଣ ସତ୍ୟତା ପ୍ରତିଫଳିତ କରାଏ ମାତ୍ର ସାହିତ୍ୟ ସତ୍ୟତା ଏବଂ କଳ୍ପନାର ଏକ ମିଶ୍ରଣ । ତେଣୁ ସାହିତି୍ୟକମାନେ ସତ୍ୟତା ଓ କଳ୍ପନା ମଧ୍ୟରେ ଭାରସାମ୍ୟ ରଖିବାର ଆବଶ୍ୟକତା ରହିଛି । ଓଡ଼ିଆ ସାହିତ୍ୟ ଖୁବ୍ ଉକ୍ରୃଷ୍ଟ ଏବଂ ଓଡ଼ିଶାରେ ମଧ୍ୟ ସାହିତ୍ୟ ପାଇଁ ଖୁବ୍ ଭଲ ପାଇବା ରହିଛି ବୋଲି ସେ ମତ ଦେଇଥିଲେ । 

ବିଶିଷ୍ଟ କୁଟନୀତିଜ୍ଞ ଡଃ ମୁଲେ କହିଥିଲେ " ସାହିତ୍ୟକୁ କୋଣ ଅନୁକୋଣରେ ପହଂଚାଇବା ପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ସୁଯୋଗ ନେବାର ଆବଶ୍ୟକତା ରହିଛି । ବର୍ତମାନ ପ୍ରତ୍ୟେକ ଭାରତୀୟ ଭାଷାରେ ସଫ୍ଟୱେୟାର ରହିଛି । ତେଣୁ ଆମେ ଏହାର  ଉପଯୋଗ କରିବା ଆବଶ୍ୟକ । ତେବେ ଅଧିକାଂଶ ପରିବାରରେ ଏବେ ପୁସ୍ତକର ସ୍ଥାନ ଟେଲିଭିଜନ୍ ମାଡିବସିଛି "ବୋଲି ସେ ଦୁଃଖ ପ୍ରକାଶ କରିଥିଲେ । ପୁସ୍ତକର ପରମ୍ପରା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରି ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଲାଇବ୍ରେରୀ ରହିବା ଜରୁରୀ  ବୋଲି ସେ କହିଥିଲେ ।

ଚଳିତ ବର୍ଷ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୁଇ ବିଶିଷ୍ଟ ସାହିତି୍ୟକ ଶ୍ରୀ ତରୁଣକାନ୍ତି ମିଶ୍ର ଏବଂ ଶ୍ରୀ କାଳୀ ଚରଣ ହେମ୍ବ୍ରମଙ୍କୁ ଏହି ସାହିତ୍ୟ ଉତ୍ସବରେ ସୋଆ କୁଳପତି ପ୍ରଫେସର ଚୈାହନ୍ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ବିଶିଷ୍ଟ କବି ଶ୍ରୀ ଜୟନ୍ତ ମହାପାତ୍ର, ଡଃ ବିକ୍ରମ ସମ୍ପତ, ଶ୍ରୀ ଏଚ୍.ଏସ୍ ଶିବପ୍ରକାଶ, ଶ୍ରୀ ଜୟନ୍ତ ପାରମାର, ଡଃ ରିତାନାଥ କେଶରୀ, ଶ୍ରୀ ଅରୁଣ କମଲ୍, ଶ୍ରୀ ଏ.ଜେ ଥୋମାସ୍, ଶ୍ରୀ ଉଦୟନ୍ ବାଜପେୟୀ, ଶ୍ରୀ ଅମନଦୀପ୍ ସାନ୍ଧୁ, ଶ୍ରୀମତି ଯଶୋଧାରା ରାୟଚୌଧୁରୀ, ଶ୍ରୀ ହରପ୍ରସାଦ ଦାସ, ଡଃ ରାଜେନ୍ଦ୍ର ପ୍ରସାଦ ମିଶ୍ର ଓ ଶ୍ରୀମତି ରାନୁ ଉନିଆଲଙ୍କ  ସମେତ ଅନେକ ଲେଖକ ଲେଖିକା ଯୋଗ ଦେଇଛନ୍ତି

0
0
0
s2sdefault