ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଗ୍ରୀଡରେ ଆଜି ରାତ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ନିଜର ହକ ପାଇଁ ପଣ୍ଡରିପାଣି ଓ ବେଲମୁଣ୍ଡା ଗ୍ରାମର ଶତାଧିକ ଉପଭୋକ୍ତା ସଂଧ୍ୟାରୁ ବିଲମ୍ବିତ ରାତ୍ର ପର୍ଯ୍ୟନ୍ତ ଗ୍ରୀଡ ସମ୍ମୁଖରେ ଅପେକ୍ଷାରେ ଥିଲେ ମଧ୍ୟ କୌଣସି ବିଭାଗୀୟ କର୍ମଚାରୀ କିମ୍ବା ସେକସନାଲ ଅଫିସରଙ୍କ ଦେଖାଦର୍ଶନ ମିଳି ନ ଥିଲା । ଗ୍ରିଡକୁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା ପରେ ମଧ୍ୟ କୌଣସି କର୍ମଚାରୀ କିମ୍ବା ସେକସନାଲ ଅଫିସର ଘଟଣା ସ୍ଥଳକୁ ନ ଆସିବାରୁ ଗ୍ରୀଡ ସମ୍ମୁଖରେ ଉପଭୋକ୍ତା ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଉପଭୋକ୍ତାଗଣ ଆଇନକୁ ହାତକୁ ନ ନେଇ ମେଲଛାମୁଣ୍ଡା ପୁଲିସକୁ ଘଟଣା ସଂପର୍କରେ ଅବଗତ କରିବାରୁ ମେଲଛାମୁଣ୍ଡା ପୁଲିସ ପଦ୍ମପୁର ଇଲେକ୍ଟ୍ରିକାଲ ଏସଡିଓଙ୍କୁ ଘଟଣା ସଂପର୍କରେ ଅବଗତ କଲା ପରେ ଏସଡିଓ ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ସହ ଗ୍ରୀଡକୁ କର୍ମଚାରୀ ପଠାଇ ଉଭୟ ଗ୍ରାମକୁ ବିଦ୍ୟୁତ ସରବରାହ ଚାଲୁ କରିଥିଲେ । ଗ୍ରୀଡରେ କୌଣସି ଗଣ୍ଡଗୋଲ ଯେପରି ନ ଘଟିବା ସେଥିପାଇଁ ମେଲଛାମୁଣ୍ଡା ଥାନା ଏସଆଇ ପ୍ରମୋଦ ସାହୁ ଉପସ୍ଥିତ ରହି ଉପଭୋକ୍ତାଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟୁତ ସରବରାହ ବନ୍ଦ ସଂପର୍କରେ ସେକସନ ଅଫିସରଙ୍କ ମୋବାଇଲ ନଂ ୯୪୩୭୨୬୨୪୨୩ ରେ କଲ କରିବାରୁ ସବୁ ଦିନ ପରି ସୁଇଚ ଅଫ ଥିବା ବେଳେ, ପଦ୍ମପୁର ଏସଡିଓ ଗ୍ରୀଡ ଦାୟୀତ୍ୱରେ ଥିବା ସେକସନାଲ ଅଫିସରର ଦାୟୀତ୍ୱ ହୀନତାକୁ ଭର୍ସନା କରିବା ସହ ଘଟଣାର ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ମେଲଛାମୁଣ୍ଡା ଗ୍ରୀଡ ଅଧିନସ୍ଥ ପଣ୍ଡରିପାଣି ଏବଂ ବେଲମୁଣ୍ଡା ଗ୍ରାମରେ ସାମାନ୍ୟ ଫ୍ୟୁଜ ନ ବାନ୍ଧିବାରୁ ସକାଲ ୯ଟାରୁ ବିଦ୍ୟୁତ ସରାବରାହ ବନ୍ଦ ଥିଲା | ମାତ୍ର ଗ୍ରୀଡ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ସଂଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ ନ ଆସିବାରୁ ଓାଡମେମ୍ବର ଜୟଦେବ ମେହେରଙ୍କ ନେତୃତ୍ୱରେ ଶତାଧିକ ଉପଭୋକ୍ତା ଗ୍ରୀଡକୁ ଆସି ଘେରାଉ କରିଥିଲେ । ହେଳେ ଦୁଃଖର ବିଷୟ ଯେ ଗ୍ରୀଡରେ କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ କିମ୍ବା ସେକସନାଲ ଅଫିସର ଘଟଣା ସ୍ଥଳକୁ ଆସିବାକୁ ହେୟ ଜ୍ଞାନ ମନେ କରିଥିଲେ । ଏହି ଘଟଣା ପ୍ରଥମ ନୁହେଁ ଆଗରୁ ମଧ୍ୟ ମେଲଛାମୁଣ୍ଡା ଗ୍ରୀଡ ଦୟିତ୍ୱରେ ଥିବା ସେକସନାଲ ଅଫିସର ଉପଭୋକ୍ତାଙ୍କ ସେବା ଯୋଗାଇବା ବଦଳରେ ନାଲି ଆଖି ଦେଖାଇବାର ଅନେକ ଅଭିଯୋଗ ରହିଛି । ଦାୟୀତ୍ୱରେ ଥିବା ସେକସନ ଅଫିସର ମନୋମୁଖି କାର୍ଯ୍ୟକଳାପ ପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବା ପାଇଁ ଜନସାଧାରଣରେ ଦାବୀ ହୋଇଛି ।