ହେଡଲାଇନସ୍:

ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆରମ୍ଭ ହେଲା ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ଗଜପତିଙ୍କ ଦେହାନ୍ତ ପରେ ଗଜପତି ଜିଲ୍ଲା ମହୋତ୍ସବକୁ ଜିଲ୍ଲା ପ୍ରଶାସନ ସ୍ଥଗିତ ରଖିଥିବା ବେଳେ ସ୍ଥାନୀୟ କଳାକାର, ମହିଳା ଏସଏଚଜି, ପାରମ୍ପରିକ କୁଶଳୀ କାରିଗର ମାନଙ୍କୁ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ସମେତ କୃଷି ପ୍ରଦର୍ଶନୀ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ  ଉଦ୍ ଘାଟିତ ହୋଇଯାଇଛି । ଦିବଂଗତ ଗଜପତିଙ୍କୁ ନିଁଆମ୍ର ଶ୍ରଦ୍ଧାଞ୍ଜଳି  ଜ୍ଞାପନ କରି ଗଜପତି  ଜିଲ୍ଲାପାଳ ଅନୁପମ ସାହା ଓ ଅନ୍ୟ ଅତିଥିମାନେ ଏହି ବହୁମୁଖୀ ପଲ୍ଲୀଶ୍ରୀ ମେଳାକୁ ଉଦ୍ଘାଟନ କରିଛନ୍ତି | 

     ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅତିଥି ଭାବେ ଯୋଗଦେଇ ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମକୁ ମିଳିତ ଭାବେ ଉଦ୍ ଘାଟନ କରିଥିବା ବେଳେ  ଉଦ୍ ଘାଟନ ପରେ ଜିଲ୍ଲାପାଳ ଶ୍ରୀ ସାହା ଏବଂ ଏସପି ସାରା ଶର୍ମା ଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ ଅଧିକାରୀ ମାନେ ଓରମାସ ପକ୍ଷରୁ ଖୋଲା ଯାଇଥିବା ବିଭିନ୍ନ ଷ୍ଟାଲ ସମେତ  ବିଭାଗୀୟ ଉନ୍ନୟନ  କାର୍ଯ୍ୟକ୍ରମ ପ୍ରଦର୍ଶନ ଷ୍ଟଲ , ଖାଦ୍ୟ ଓ ଅନ୍ୟାନ୍ୟ ଷ୍ଟଲ ସବୁ ପରିଦର୍ଶନ କରିଥିଲେ । ବିଭିନ୍ନ ଜିଲ୍ଲା ଅଞ୍ଚଳରୁ  ମିଶନ ଶକ୍ତି ଅଧିନସ୍ତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଆସି ଓରମାସ  ପକ୍ଷରୁ ଖୋଲା ଯାଇଥିବା ଷ୍ଟଲରେ ସେମାନଙ୍କ ପ୍ରସ୍ତୁତ  ସାମଗ୍ରୀର ବିକ୍ରିବଟା କରୁଛନ୍ତି । ସେମାନଙ୍କ ବ୍ୟବସାୟ ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ପଚାରି ବୁଝି  ଜିନିଷ କ୍ରୟ କରିଥିଲେ ।

    ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ପଲିଶ୍ରୀ ମେଳା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ଯେ ,  ଏହି ମେଳାରେ ମୋଟ ୨୩୧ ଟି ଷ୍ଟଲ ଖୋଲା ଯାଇଥିବା ବେଳେ ସେଥିମଧ୍ୟରୁ  ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପାଇଁ ଓରମାସ ପକ୍ଷରୁ  ୧୦୦ ଟି ଷ୍ଟଲ , ସେହିଭଳି ଖାଦ୍ୟ ବିକ୍ରିବଟା ପାଇଁ ୩୦ ଟି ଷ୍ଟଲ , ବିଭିନ୍ନ ବିଭାଗୀୟ ପକ୍ଷରୁ ସେମାନଙ୍କ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ୬୭ ଟି ଷ୍ଟଲ ଏବଂ ବାକି ସବୁ ଷ୍ଟଲ ଅନ୍ୟାନ୍ୟ ବ୍ୟବସାୟ ପାଇଁ  ଖୋଲା ଯାଇଛି । 

  ଏହିପରି ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମ ହେବା ଦ୍ୱାର ଜିଲ୍ଲାର ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସେମାନଙ୍କ ପ୍ରସ୍ତୁତି ସାମଗ୍ରୀର ଉଚିତ  ବିକ୍ରିବଟା କରି ବେଶ ଲାଭବାନ ହୋଇ ପାରିବା ସହ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ । ଏତଦ୍ ବ୍ୟତୀତ ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗୀୟ କାର୍ଯ୍ୟକ୍ରମ କ'ଣ ,  କିଭଳି କାର୍ଯ୍ୟକାରୀ ହେଉଛି , ପ୍ରତ୍ୟେକ ବିଷୟରେ ଲୋକମାନେ ଜାଣିବା ପାଇଁ ପ୍ରଦର୍ଶନୀ ଷ୍ଟଲ ସବୁ ଖୋଲାଯାଇଛି  ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ।

   ଏହି ମେଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆଚାର , ପାପଡ଼ ,  ମସଲା ସାମଗ୍ରୀ ଘର ସଜ୍ଜା ଜିନିଷ , ମାଣ୍ଡିଆ ହଳଦୀ , ଅଦା , ବିଭିନ୍ନ ବନ୍ୟଜାତ ସାମଗ୍ରୀ  ଓ ଘରୋଇ ଉପକରଣ ପ୍ରଭୃତି ବିକ୍ରିବଟା ପାଇଁ ଆଣିଛନ୍ତି ।  ସେହିଭଳି ଖାଦ୍ୟ ମେଳାରେ ବିଭିନ୍ନ ଅଞ୍ଚଳର ବିଭିନ୍ନ ପ୍ରକାରର ସୁସ୍ଵାଦ ଖାଦ୍ୟ ସାମଗ୍ରୀର ବିକ୍ରିବଟା  କରାଯାଉଛି ।

   ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କୃଷି ଓ ଉଦ୍ୟାନ କୃଷି ମେଳା ସମେତ ବିଭିନ୍ନ ବିଭାଗ ଯଥା ବନ ବିଭାଗ , ମତ୍ସ୍ୟ ବିଭାଗ , ଆଇଟିଡିଏ , ସ୍ବାସ୍ଥ୍ୟ , ବ୍ୟାଙ୍କ , ଶିଶୁ ସୁରକ୍ଷା , ସମନ୍ୱିତ ମହିଳା ଓ ଶିଶୁ ବିଭାଗ , ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରଭୃତି ପକ୍ଷରୁ ସେମାନଙ୍କ କାର୍ଯ୍ୟକ୍ରମ ଉପରେ ପ୍ରଦର୍ଶନୀ ଷ୍ଟଲ ସବୁ ଖୋଲିଛନ୍ତି ।ଏତଦ୍ ବ୍ୟତୀତ ମେଳାରେ ଛୋଟ ପିଲାଙ୍କ ଖେଳ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଖେଳ , ଦୋଳି ଖେଳ , ପାଣି ଡଙ୍ଗା , ସ୍ପଞ୍ଜ ଉପରେ ଡେଇଁବା ପ୍ରଭୃତି ରହିଛି । ସେହିଭଳି ଘର ପାଇଁ  ସାଜସଜ୍ଜା , ରାନ୍ଧିବା ଉପକରଣ , ଡ୍ରଇଂ ସେଟ ବସିବା ପାଇଁ  କାଠ ଓ ବେତ ବୁଣାର, ଖାଇବା ଓ ପିଇବା ପାତ୍ର , ଶୋଇବା ଓ ଘୋଡେଇବା ପ୍ରଭୃତି ଆବଶ୍ୟକ ପଡୁଥିବା ସାମଗ୍ରୀ ସବୁ ବିକ୍ରିବଟା ପାଇଁ ରହିଛି ।     ଏହି ମେଳାରେ ହଜାର ହଜାର ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା । 

   ଏହି ମେଳା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା , ଜିଲ୍ଲା ଓଏଲଏମର ପ୍ରିୟମ୍ବଦା ବିଶୋଇ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ , ଡିସିପିୟୁ ଅରୁଣ କୁମାର ତ୍ରିପାଠୀ  , ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଜିଲ୍ଲା ପଞ୍ଚାୟତ ଅଧିକାରୀ  ବସନ୍ତ କୁମାର ପ୍ରଧାନ , ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଏମଭିଆଇ ବସନ୍ତ କୁମାର ମହାପାତ୍ରଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

    

 

0
0
0
s2sdefault