ହେଡଲାଇନସ୍:

ଜାନୁଆରୀ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଭୁବନେଶ୍ୱର(ଶାସକ ପ୍ରଶାସକ):ଆଜି ଭୁବନେଶ୍ୱରସ୍ଥିତ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା-୨୦୧୯-୨୦ର ଚୂଡ଼ାନ୍ତ ପ୍ରାକ୍ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ବେହେରା କହିଲେ ଯେ, ଖୋର୍ଦ୍ଧା ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକଙ୍କୁ ଏହି ମେଳାରେ ସମ୍ପୃକ୍ତ କରାଯିବା ଜରୁରୀ । ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷିତ ଯୁବକ ଯୁବତୀମାନେ କିଭଳି ସଫଳ ଉଦ୍ୟୋଗୀ ହୋଇପାରିବେ ସେ ସମ୍ବନ୍ଧରେ ସାଧାରଣ ପରିଚାଳକ ଆବଶ୍ୟକୀୟ ସୂଚନା ପ୍ରଦାନ କରିବେ । ଉଦ୍ୟାନ କୃଷି, ମତ୍ସ୍ୟ ଚାଷ ଓ ବିଭିନ୍ନ ପ୍ରାଣୀ ପାଳନର ଷ୍ଟଲମାନ ଖୋଲି ଏ ସମ୍ବନ୍ଧୀୟ ଉଦ୍ୟୋଗ ପ୍ରତିଷ୍ଠା ଓ ସବ୍ସିଡ଼ିର ପୂର୍ଣ୍ଣାଙ୍ଗ ସୂଚନା ଏହି ନିଯୁକ୍ତି ମେଳାର ଅନ୍ୟତମ ଅଂଶ ହେବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ ।

ଏହି ନିଯୁକ୍ତି ମେଳା ସମ୍ବନ୍ଧୀୟ ପର୍ଯ୍ୟାପ୍ତ ସୂଚନା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବା, ଶାନ୍ତିଶୃଙ୍ଖଳା ସହ ମେଳାର ଆୟୋଜନ, ମେଳା ସ୍ଥାନରେ ଅସ୍ଥାୟୀ ଭିତ୍ତିଭୂମି ପ୍ରସ୍ତୁତ କରାଯିବା, ନିରବଚ୍ଛିନ୍ନ ବିଦ୍ୟୁତ   ସଂଯୋଗ, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ମେଳା ପରିସରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା , ଡ଼ାକ୍ତର, ଆମ୍ବୁଲାନ୍ସ ଓ ଜୀବନରକ୍ଷାକାରୀ ଔଷଧ ଆଦିର ବ୍ୟବସ୍ଥା, ଅଗ୍ନି ନିରୋଧ ବ୍ୟବସ୍ଥା, ପର୍ଯ୍ୟାପ୍ତ ସଂଖ୍ୟାରେ ଆବେଦନ ପତ୍ର ପ୍ରସ୍ତୁତ କରି ରଖିବା , କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଫଟୋଗ୍ରାଫି ଓ ଡକୁମେଣ୍ଟେସନ୍ ଆଦି ସମ୍ବନ୍ଧରେ ବିଶଦ ଆଲୋଚନା କରାଯାଇଥିଲା ।

ସୂଚନାଯୋଗ୍ୟ ଏହି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରୀଙ୍କ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଖୋର୍ଦ୍ଧା, ଭୁବନେଶ୍ୱର ତଥା କେନ୍ଦ୍ର ସରକାରଙ୍କ ଶ୍ରମ ଏବଂ ନିୟୋଜନ ବିଭାଗଙ୍କ ଅନ୍ତର୍ଗତ ଆଦର୍ଶ ବୃତ୍ତି କେନ୍ଦ୍ର, ଏନ.ସି.ଏସ.ସି.ଡ଼ି.ଏ ର ମିଳିତ ସହଯୋଗରେ ଚଳିତ ଜାନୁଆରୀ ୯ ତାରିଖରେ ସକାଳ ୯ ଘଟିକା ଠାରୁ ଏନ.ସି.ଏସ.ସି.ଡ଼ି.ଏ, ମଧୁସୂଦନ ପାର୍କ ସାମନା, ପ୍ଲଟ୍ ନଂ-୧,୨,୫, ଓ ୬, ଗଣ୍ଡମୁଣ୍ଡା, ଖଣ୍ଡଗିରି, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳର ପଞ୍ଚମ ଶ୍ରେଣୀ ଠାରୁ ୩, ଆଇ.ଟି.ଆଇ ଏବଂ ଡିପ୍ଲୋମା ପାସ, ୧୮-୩୫ ବର୍ଷ ବୟସ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଅଂଶ ଗ୍ରହଣ କରିପାରିବେ । ଉକ୍ତ ମେଳାରେ ମଧ୍ୟ ଦକ୍ଷତା ବିକାଶ ତାଲିମ ପାଇଁ ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଆବେଦନ କରିପାରିବେ ।

ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ନିଯୁକ୍ତି ପ୍ରଦାନକାରି ଘରୋଇ ସଂସ୍ଥା ଯଥା ଏଲ୍ ଆଣ୍ଡ ଟି ଫାଇନାନ୍ସ, ଆଇସିଆଇସିଆଇ ବ୍ୟାଙ୍କ, ସୁର୍ୟୋଦୟ  କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ, ସ୍ୱତନ୍ତ୍ର ମାଇକ୍ରା ଫାଇନାନ୍ସ, ସମ୍ବନ୍ଧ ଫିନ୍ସର୍ଭ, ପିପୁଲ୍ସ ଫୋରମ୍, ଇଣ୍ଡିଆ ବୁଲ୍ସ, ତତ୍ତ୍ୱ ଟେକ୍ନୋଲୋଜି,ୟୁରେକା ଫୋର୍ବସ, ଆପେସ୍ କନ୍ସଲଟାନ୍ସି, ଏସ୍ବିଆଇ ଲାଇଫ୍ ଇନ୍ସୁରାନ୍ସ , ଏମବି ହସ୍ପିଟାଲିଟି, ଟାଟା ମୋଟର୍ସ, ଏଡ଼ିଫାଏ ସ୍କିଲସ୍, ଡିଭାଇନ୍ ନର୍ସିଂ କେୟାର, ଲୟାଲ ଟେକ୍ସଟାଇଲ, ମେଡ଼ପ୍ଲସ୍, ଗଡ଼ରେଜ୍ ଆଣ୍ଡ ବଏସ୍, ସ୍କାଏ ଅଟୋମୋବାଲଇସ୍ ଆଦି ଯୋଗଦେଇ ଏହି ନିଯୁକ୍ତି ମେଳାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ ଚୟନ କରିବେ । 

ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ସେମାନଙ୍କର ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ର, ଆଧାରକାଡର଼୍ ଓ ପାସପୋର୍ଟ ଫଟୋ ସହିତ ଉକ୍ତ ନିଯୁକ୍ତି ମେଳାରେ ନିର୍ଦ୍ଧାରିତ ତାରିଖରେ ସକାଳ ୯ ଘଟିକାଠାରୁ ଅପରାହ୍ନ ୪ ଘଟିକା ମଧ୍ୟରେ ଯୋଗ ଦେଇ ନିଯୁକ୍ତି ତଥା ଦକ୍ଷତା ବିକାଶ ତାଲିମର ସୁଯୋଗ ନେବେ । ବୈଠକରେ ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ବିଏମ୍ସିର ଡେପୁଟି କମିଶନର, କ୍ୟାପିଟାଲ ହସ୍ପିଟାଲର ସୁପରିଟେଣ୍ଡେଟ୍, ସାଧାରଣ ପରିଚାଳକ ଓ୍ୱାଟ୍କୋ, ଭୁବନେଶ୍ୱର ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଏହି ନିଯୁକ୍ତି ମେଳା କୌଣସି ସରକାରୀ ଚାକିରୀ ନିମନ୍ତେ ଉଦ୍ଦିଷ୍ଟ ନୁହେଁ । 

 

0
0
0
s2sdefault