ହେଡଲାଇନସ୍:

ମଦ ମୋହ ଛାଡି ଆଖି ଖୋଲନ୍ତୁ ସରକାର, ରାଜସ୍ବ ଅଭାବ ହେବନି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅର୍ଥମନ୍ତ୍ରୀଙ୍କୁ ଗାନ୍ଧିବାଦୀଙ୍କ ଖୋଲା  ଚିଠି

ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଛନ୍ତି, ଅହିଂସାର ଅନ୍ୟତମ ଉତ୍ସ ମଦକୁ ଭୁଲିଯାଉଛନ୍ତି 

ଭୁବନେଶ୍ୱର : ମାନ୍ୟବର ଅର୍ଥମନ୍ତ୍ରୀଙ୍କୁ ଚିଠିଲେଖି ବୁଦ୍ଧି ଦେଇଛନ୍ତି  ଗାନ୍ଧିବାଦୀ ତଥା ରାଜ୍ୟସ୍ତରୀୟ ୧୫୦ତମ ଜନ୍ମବାର୍ଷିକୀ ପାଳନ କମିଟି ସଦସ୍ୟ | ମଦ ବିରୋଧରେ ରାଜ୍ୟ ସରକାର ପଦକ୍ଷେପ ନେଇନଥିବା ପ୍ରସଙ୍ଗରେ ଜାହିର କରିଛନ୍ତି ଅସନ୍ତୋଷ | ସେ ଯାହା ଲେଖିଛନ୍ତି ତାହା ପାଠକଙ୍କ ଅବଗତି ନିମନ୍ତେ ସିଧା ଥୋଇ ଦେଉଛୁ |   

 

ଶ୍ରୀ ନିରଞ୍ଜନ ପୂଜାରୀ

ଅର୍ଥମନ୍ତ୍ରୀ, ଓଡ଼ିଶା ସରକାର 

ଲୋକସେବା ଭବନ, ଭୁବନେଶ୍ୱର

ବିଷୟ: ୨୦୨୦-୨୧ ଆର୍ଥିକ ବର୍ଷର ଓଡ଼ିଶା ସରକାରଙ୍କ ବଜେଟ୍‍ ପାଇଁ ପ୍ରସ୍ତାବ

ମାନନୀୟେଷୁ,

ସକରାତ୍ମକ ଦୃଷ୍ଟିଭଙ୍ଗୀ ରଖି ସରକାର ସବୁବର୍ଷ ବଜେଟ୍‍ ପ୍ରସ୍ତୁତି ପୂର୍ବରୁ ବିଭିନ୍ନ ବର୍ଗର ପ୍ରସ୍ତାବ ଆହ୍ୱାନ କରିଥାନ୍ତି । ଏ ବର୍ଷ ବି ଏହା କରାଯାଇଛି । ଏ ପରିପ୍ରେକ୍ଷୀରେ ରାଜ୍ୟର ବୃହତ୍ତର ସ୍ୱାର୍ଥକୁ ଆଖି ଆଗରେ ରଖି ନିର୍ଦ୍ଧିଷ୍ଟ ପ୍ରସ୍ତାବ ଓଡ଼ିଶା ସରକାରଙ୍କ ସୁବିଚାର ପାଇଁ ରଖୁଛି । 

ଏବେ ଜାତିର ଜନକ ମହାମାନବ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ଏଥିଲାଗି ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି ଯେଉଁଥିରେ ମୋତେ ଜଣେ ସଦସ୍ୟ ଭାବେ ନିଆଯାଇଛି । ଦେଶର ବିକାଶକୁ ଆଖି ଆଗରେ ରଖି ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଉପରେ ଚାପ ପ୍ରୟୋଗ କରାଯିବା ଆବଶ୍ୟକ । କିନ୍ତୁ ଏଥିଲାଗି ହିଂସାର ଅନ୍ୟତମ ଉତ୍ସ ନିଶାକୁ ନିବାରିତ କରିବା ପାଇଁ ଓଡ଼ିଶା କିଛି କରିଦେଖାଇବା ଦରକାର । 

ଏକଦା ଗାନ୍ଧୀଜୀ କହିଥିଲେ, ‘ଭାରତର ଦାରିଦ୍ର୍ୟର ପ୍ରତିଛବି ହେଉଛି ଓଡ଼ିଶା ।’ ଓଡ଼ିଶାର ଦାରିଦ୍ର୍ୟ ଦୂର କରି ଏହାକୁ ଆଗୁଆ ରାଜ୍ୟରେ ପରିଣତ କରିବା ଲାଗି ନିଶା ଓ ଆଳସ୍ୟର କବଳରୁ ରାଜ୍ୟକୁ ଉଦ୍ଧାର କରିବା ପାଇଁ ମଧ୍ୟ ଗାନ୍ଧୀଜୀ ଖୋଲା ମତବ୍ୟକ୍ତ କରିଥିଲେ । ଆପଣ ଜାଣନ୍ତି ୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କ ରଘୁରାମ ରାଜନ କମିଟି ଦେଇଥିବା ରିପୋର୍ଟରେ ଓଡ଼ିଶା ଦେଶର ଅନ୍ୟତମ ଅନଗ୍ରସର ରାଜ୍ୟ ବୋଲି ଉଲ୍ଲେଖ କରିଛନ୍ତି । ବିଗତ ବର୍ଷମାନଙ୍କରେ ରାଜ୍ୟରେ ଅନେକ ପ୍ରଗତିମୂଳକ କାର୍ଯ୍ୟ ହୋଇଛି । ଏହାସତ୍ତେ୍ୱ ତୁଳନାତ୍ମକ ଭାବେ ଆମ ରାଜ୍ୟ ଦେଶର ଅନଗ୍ରସର ରାଜ୍ୟ ଭାବେ ପରିଗଣିତ ହେଉଛି । ବ୍ୟକ୍ତି, ପରିବାର, ଗାଁ ଓ ସମାଜର ସମନ୍ୱିତ ବିକାଶ ନ ଘଟିଲେ ରାଜ୍ୟର ସର୍ବାଙ୍ଗୀନ ବିକାଶ ହୋଇପାରିବ ନାହିଁ । ତୃଣମୂଳ ସ୍ତରରେ ବିକାଶର ଅନ୍ୟତମ ପ୍ରତିବନ୍ଧକ ଯେ ନିଶାର ପ୍ରସାର ଓ ଆଳସ୍ୟ ଏହା ଆପଣ ଅଧିକ ଜାଣନ୍ତି । 

ସରକାରୀ ତଥ୍ୟ ମୁତାବକ ୨୦୦୦-୦୧ ବର୍ଷରେ ଓଡ଼ିଶାର ଅବକାରୀ ରାଜସ୍ୱ ପରିମାଣ ୧୩୫ କୋଟି ୩୫ ଲକ୍ଷ ଟଙ୍କା ଥିବା ବେଳେ ଏହା ବଢ଼ି ବଢ଼ି ୨୦୧୮-୧୯ ବର୍ଷରେ ୩୯୨୫ କୋଟି ୪୧ ଲକ୍ଷ ଟଙ୍କାରେ ପହଞ୍ଚିଥିଲା ଏବଂ ଚଳିତବର୍ଷ ଏହାର ପରିମାଣ ୪,୬୦୦ କୋଟି ଟଙ୍କାକୁ ବଢ଼ାଇବା ପାଇଁ ଅବକାରୀ ବିଭାଗ ଲକ୍ଷ୍ୟ ରଖିଛି । ନବେ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଦେଶୀ ଓ ମହୁଲି ମଦ ଉପରେ ନିଷିଦ୍ଧାଦେଶ ଜାରି କରାଯିବା ସହ ବିଦେଶୀ ମଦ ଓ ବିଅର୍‍ର ବ୍ୟବହାରକୁ ନିୟନ୍ତ୍ରିତ କରାଯାଉଥିଲା ଏବଂ ମଦ ଏବଂ ନିଶା ବିନାଶର ଅନ୍ୟତମ ଆୟୁଧ ହୋଇଥିବାରୁ ନିଜେ ବିଜୁ ବାବୁ ଏହା ବିରୋଧରେ ମାତିବା ପାଇଁ ମହିଳାମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭିତରୁ କେତେକଙ୍କୁ ସ୍ୱତନ୍ତ୍ର ପୋଲିସ କ୍ଷମତା ଦେଇଥିଲେ ଏବଂ ମଦୁଆମାନଙ୍କୁ ନିଜ ଘରେ ଓ ଗାଁରେ ଜବତ କରିବା ଲାଗି ମଧ୍ୟ ଆହ୍ୱାନ ଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ ୧୯୯୨ ମେ’ ମାସରେ କଟକରେ ଦୁଃଖଦ ମଦମୃତୁ୍ୟ ଦୁର୍ଘଟଣା ହୋଇଥିଲା । ବିଜୁ ବାବୁ ସରକାରରୁ ଯିବାପରେ ମହୁଲି ଓ ଦେଶୀ ମଦ ଉପରୁ ସରକାର କଟକଣା ଉଠାଇ ନେବା ସହ ବିଦେଶୀ ମଦ ଓ ବିଅର୍‍ର ବ୍ୟାପକ ପ୍ରସାର କରାଇଥିବା ବିଧାନସଭାରେ ଉପସ୍ଥାପିତ ସିଏଜିଙ୍କ ଏକ ରିପୋର୍ଟରୁ ଜଣାଯାଏ । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୦୬ରୁ ୨୦୧୧ ମଧ୍ୟରେ ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ହାର ବାର୍ଷିକ ମାତ୍ର ୧.୪ ପ୍ରତିଶତ ଥିବା ବେଳେ ଏହି ସମୟରେ ଅଭିବୃଦ୍ଧି ହାର ବିଅର୍‍ କ୍ଷେତ୍ରରେ ୬୨.୭୬ ପ୍ରତିଶତ, ବିଦେଶୀ ମଦ କ୍ଷେତ୍ରରେ ୪୮.୧୮ ପ୍ରତିଶତ ଓ ଦେଶୀ ମଦ କ୍ଷେତ୍ରରେ ୩୧.୭୦ ପ୍ରତିଶତ ଥିଲା । ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଆମ ରାଜ୍ୟରେ ବାର୍ଷିକ ୫ରୁ ୮ ପ୍ରତିଶତ ଥିବା ବି ସିଏଜି ରିପୋର୍ଟରେ ଦର୍ଶାଯାଇଛି । ଏମିତିକି ଗୋଟିଏ ଗୋଟିଏ ବର୍ଷରେ ଦଣ୍ଡବିଧାନ ହାର ୧ ପ୍ରତିଶତରୁ ବି କମ୍‍ ହେବାର ନଜିର୍‍ ଅଛି । ସରକାର ଗୋଟିଏ ପଟେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବଢ଼ାଇବା ସହିତ ସେମାନଙ୍କର ଏମ୍‍ଜିକୁ୍ୟ ବଢ଼ାଉଛନ୍ତି । ଏହା ସହିତ ତାଳଦେଇ ସମନ୍ତରାଳ ଭାବେ ଚୋରା ନିଶା କାରବାର ବଢ଼ି ଚାଲିବା କଥା କାହାକୁ ଅଛପା ନାହିଁ । ନିଶା ନିବାରଣ ହେଲେ ଚୋରା ମଦ କାରବାର ବଢ଼ିବ ବୋଲି କୁହାଯିବା ମଦ ବେପାରୀଙ୍କ ନିକଟରେ ଆତ୍ମସମର୍ପଣ କରିବା ଭଳି । ଅପରାଧ ବଢ଼ିଲେ ବସ୍ତୁତଃ ଏହାକୁ ନିୟନ୍ତ୍ରିତ କରିବା ପରିବର୍ତ୍ତେ କ’ଣ ଅପରାଧ ଘଟାଇବାକୁ ଅପରାଧୀଙ୍କୁ ଲାଇସେନ୍ସ ଦିଆଯିବ? ଏହି ଗମ୍ଭୀର ପରିସ୍ଥିତି ଘେନି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ଓଡ଼ିଶା ଯୁବ ନୀତିରେ ବି ଉଦ୍‍ବେଗ ପ୍ରକାଶ କରାଯିବା ସହ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା  ଉପରେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ଅଧିକରୁ ଅଧିକ ଲୋକ ନିଶାଯୁକ୍ତ ହେଉଥିବା ବେଳେ ଅବକାରୀ ବିଭାଗ ଗୋଟିଏ ହେଲେ ଗାଁକୁ ନିଶାମୁକ୍ତ କରିନାହିଁ । ଅନ୍ୟପକ୍ଷରେ ଯେଉଁଠି ସହିବାର ସମସ୍ତ ସୀମା ସରହଦ ଟପିଯିବା ପରେ ମହିଳାମାନେ ଗାଁକୁ ମଦମୁକ୍ତ କରୁଛନ୍ତି ସେଠି କିଭଳି ନିଶାର ପ୍ରସାର ଘଟିବ ସେ ଦିଗରେ ଓଲଟା କାମ କରାଯାଉଛି । 

ଓଡ଼ିଶାରେ ଯେତେ ସଡ଼କ ଦୁର୍ଘଟଣା ହେଉଛି ତାହାର ଅନ୍ୟୁନ ୬୦ ପ୍ରତିଶତ ନିଶାଜନିତ ବୋଲି କୁହାଯାଉଛି । ଗତ ୧୦ ବର୍ଷ ମଧ୍ୟରେ ଅନୁ୍ୟନ ୩୦ ହଜାର ଲୋକ ସଡ଼କ ଦୁର୍ଘଟଣାରେ ଆମ ରାଜ୍ୟରେ ପ୍ରାଣ ହରାଇଥିବା ବେଳେ ୬୦ହଜାରରୁ ଅଧିକ ପଙ୍ଗୁ ହୋଇଛନ୍ତି । ଏ ପରିପ୍ରେକ୍ଷୀରେ ନିଶାଜନିତ ସଡ଼କ ଦୁର୍ଘଟଣା ଯୋଗୁ ଏହି ସମୟ ମଧ୍ୟରେ ଅନୁ୍ୟନ ୨୪ ହଜାର ଲୋକ ମରିଛନ୍ତି ଓ ୩୬ ହଜାର ଲୋକ ପଙ୍ଗୁ ହୋଇଛନ୍ତି । ନିଶା ଯୋଗୁ କେତେ କିସମର ରୋଗ ବଢ଼ୁଛି, କେତେ ଅପରାଧ ଘଟୁଛି, ନାରୀ ଓ ଶିଶୁ ନିର୍ଯାତନା କେତେ ବଢ଼ୁଛି ତାହା ସମସ୍ତଙ୍କୁ ଜଣା । ମଦ ଓ ଅନ୍ୟାନ୍ୟ ନିଶା ଯୋଗୁ କେତେ ସ୍ତ୍ରୀଙ୍କ ମଥାରୁ ସିନ୍ଦୁର ଲିଭୁଛି, କେତେ ପିଲା ବାପ ଛେଉଣ୍ଡ ହେଉଛନ୍ତି, କେତେ ବାପାମା ପୁତ୍ର ଶୋକ ଭୋଗୁଛନ୍ତି, କେତେ ସ୍ତ୍ରୀ ମଦୁଆ ସ୍ୱାମୀଙ୍କ ଦୈନନ୍ଦିନ ନିର୍ଯାତନାର ଶରବ୍ୟ ହେଉଛନ୍ତି, ଆଇନ ଶୃଙ୍ଖଳା ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ହେଉଛି ଏବଂ ସର୍ବୋପରି ସାମାଜିକ, ଆର୍ଥିକ, ନୈତିକ, ଆଧ୍ୟାତ୍ମିକ, ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥାରେ କେତେ ଅବକ୍ଷୟ ଘଟୁଛି ସେ ସଂକ୍ରାନ୍ତରେ ସମସ୍ତେ ଅବହିତ । ଏ ସବୁ ଯୋଗୁ ଯେତେ କ୍ଷତି ହେଉଛି ଓ ରାଜକୋଷରୁ ଯେତେ ଅର୍ଥ ବରବାଦ ହେଉଛି ତାହାର ପରିମାଣ ଯେ ରାଜ୍ୟ ବଜେଟ୍‍ରେ ବରାଦ ଅର୍ଥଠାରୁ ଢେର୍‍ ଅଧିକ ଏଥିରେ ସନେ୍ଦହର ଅବକାଶ ନାହିଁ । 

ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ସମ୍ବାଦ ଅନୁଯାୟୀ କେଉଁଠି ନିଶାଗ୍ରସ୍ତ ବାପ ଝିଅର ଇଜ୍ଜତ ଲୁଟୁଛି ତ ଆଉ କେଉଁଠି ନିଶାଡ଼ୀ ପୁଅ ମା’ ଭଉଣୀଙ୍କୁ ବଳାକ୍ରାର କରିବାକୁ ପଛଉ ନାହିଁ । ନିକଟ ଅତୀତରେ ଯେତେ ବଳାତ୍କାର  ସଂକ୍ରାନ୍ତୀୟ ଖବର ପ୍ରକାଶ ପାଇଛି, ଏମିତିକି ଛୋଟ ପିଲାଙ୍କୁ ଏହାର ଶିକାର କରାଯାଇଛି, ତାହାର ମୂଳରେ ନିଶା ରହିଛି । ଏମିତିକି ଦିଲ୍ଲୀର ନିର୍ଭୟା ଘଟଣାଠାରୁ ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକାଙ୍କୁ ଗଣଧର୍ଷଣ ଓ ହତ୍ୟା ଘଟଣାରେ ଯେଉଁମାନେ ଅଭିଯୁକ୍ତ ସେ ସମସ୍ତେ ନିଶାଗ୍ରସ୍ତ ଅବସ୍ଥାରେ ଏଭଳି ଅପରାଧ ଘଟାଇଥିଲେ । ଯେତେବେଳେ ବି ରାଜ୍ୟର କୌଣସି ଜେଲ୍‍ ଉପରେ ଚଢ଼ାଉ ହେଉଛି ସେତେବେଳେ ସେଠାରୁ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ ହେଉଛି । ଏ ପ୍ରସଙ୍ଗରେ ଆପଣଙ୍କ ଭଳି ଜଣେ ସମ୍ବେଦନଶୀଳ ମଣିଷ ଏକମତ ହେବେ ଯେ ନିଶା ସହ ଅପରାଧ ଓ ଭ୍ରଷ୍ଟାଚାରର ସମ୍ପର୍କ ରହିଛି । ବିହାର ଭଳି ରାଜ୍ୟ ଯଦି ମୋଟା ଅଙ୍କର ଅବକାରୀ ରାଜସ୍ୱକୁ ବଳିଦେଇ ନିଶା ନିବାରଣ ଘୋଷଣା କରିପାରିଲା ଓଡ଼ିଶା ଏ କ୍ଷେତ୍ରରେ ପଛାଇବ କାହିଁକି? ବିହାର-ଓଡ଼ିଶା ଅବକାରୀ ଆଇନ୍‍ର ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ନିଶା ନିବାରଣ କଥା ଉଲ୍ଲେଖ ରହିଛି । ଓଡ଼ିଶା ଅବକାରୀ ଆଇନ୍‍ ୨୦୦୮ର ୯୨ ଧାରାରେ ବି ନିଶା ନିବାରଣ କଥା କୁହାଯାଉଛି । ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇ ପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତିଲାଭ କରି ଆଇନର ରୂପ ନେଇଥିଲା ଓଡ଼ିଶା ନିଶା ନିବାରଣ ଆଇନ୍‍-୧୯୫୬ । ଏହା ଏବେ ବି କାର୍ଯ୍ୟକାରୀ ହେଉନାହିଁ । ଆମ ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ଥିଲା ନିଶା ନିବାରଣ । ଆମ ଦେଶର ସମ୍ବିଧାନର ମାର୍ଗନିଦେ୍ର୍ଧଶିକାରେ ବି ନିଶା ନିବାରଣ କଥା କୁହାଯାଇଛି । ଦୃଢ଼ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତି ଯୋଗୁ ଯଦି ରେଳଗାଡ଼ି ଓ ପ୍ଲାଟଫର୍ମଗୁଡ଼ିକରେ ଧୂମପାନ ନିଷିଦ୍ଧ ହୋଇପାରିଲା ତେବେ ଓଡ଼ିଶାରେ ନିଶା କାହିଁକି ନିବାରିତ ହୋଇପାରିବ ନାହିଁ? 

ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ଆର୍ଥିକ ବିକାଶ ଆଦି ଯୋଜନାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଥିରୁ ଯେତେ ସୁଫଳ ମିଳିବା କଥା ତାହା ମିଳିପାରୁନାହିଁ । ଆମ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରୁ ବି ନିଶା ଯୋଗୁ ଆଶାନୁରୂପ ଫଳ ମିଳୁନାହିଁ । କ୍ରମଶଃ ଅଧିକରୁ ଅଧିକ ଯୁବକ ନିଶାଡ଼ୀ ହେଉଥିବାରୁ ଆଳସ୍ୟ ଓ ଜଡ଼ତା ବଢ଼ିବା ସଙ୍ଗେ ସଙ୍ଗେ ଉପôାଦନ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପଡ଼ୁଛି ଏବଂ ଏହା ଆମ ରାଜ୍ୟର ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳିତ ହେବ । ସେତେବେଳକୁ କ’ଣ ଆମେ ନିଶାଡ଼ୀଙ୍କ ଦ୍ୱାରା ଉଜୁଡ଼ା ଓଡ଼ିଶାର ଚିତ୍ର ବିଶ୍ୱ ଆଗରେ ରଖିବା? ତେଣୁ ରାଜ୍ୟର ଦ୍ରୁତ ଆର୍ଥିକ ବିକାଶ ପାଇଁ ନିଶା ନିବାରଣ ଯେ ଏକାନ୍ତ ଅପରିହାର୍ଯ୍ୟ ଏ କଥାକୁ ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କୁ ସ୍ୱୀକାର କରିବାକୁ ପଡ଼ିବ । ତେଣୁ ବିକାଶ ପାଇଁ ନିଶା ନିବାରଣକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଁ ବିନମ୍ର ନିବେଦନ କରୁଛି । 

ପ୍ରଶ୍ନ ଉଠିପାରେ ଅବକାରୀରୁ ମିଳୁଥିବା ପ୍ରାୟ ୪ହଜାର କୋଟି ଟଙ୍କାର ରାଜସ୍ୱର ଭରଣା ହେବ କିପରି । ଏହାର ବିକଳ୍ପ ଆପଣ ଅଧିକ ଜାଣନ୍ତି । ତେବେ ଏ ସଂକ୍ରାନ୍ତରେ ଅଳ୍ପ କେତୋଟି କ୍ଷେତ୍ର ପ୍ରତି ଦୃଷ୍ଟି ଆକର୍ଷଣ କରୁଛି । ଗୋଟିଏ ସମୟରେ ବେଆଇନ୍‍ ଖଣି କାରବାର ଘଟଣାରେ ରାଜ୍ୟ ସରକାର ପ୍ରାୟ ୬୯ହଜାର କୋଟି ଟଙ୍କାର ଜରିମାନା ଆଦାୟ ପାଇଁ ନୋଟିସ୍‍ ଜାରି କରିଥିଲେ । ଏଥିରୁ ୧୯ ହଜାର କୋଟି ଟଙ୍କା ବି ମିଳିନାହିଁ । ଏ ଦିଗରେ ପଦକ୍ଷେପ ନିଆଯିବା ସହିତ ରାଜ୍ୟ ସରକାର ଯଦି ସିଧାସଳଖ ଭାବେ ଖଣି ନିଗମ ବା ଅନ୍ୟ କୌଣସି ସରକାରୀ ସଂସ୍ଥା ମାଧ୍ୟମରେ ଆବଶ୍ୟକତା ଅନୁଯାୟୀ  ଖଣିଜ ପଦାର୍ଥର କାରବାର କରିବେ ତେବେ ଏ ବାବଦରେ ରାଜକୋଷକୁ ବାର୍ଷିକ ୫୦ ହଜାର କୋଟି ଟଙ୍କାରୁ ଅଧିକ ଆସିପାରିବ । କୋଇଲା ରୟାଲ୍‍ଟିରେ ସଂଶୋଧନ ମଧ୍ୟ ଆବଶ୍ୟକ । 

ସ୍ୱାଧୀନତା ଆନେ୍ଦାଳନ ବେଳେ ୧୯୩୦ର ଲବଣ ସତ୍ୟାଗ୍ରହ ଏକ ନିର୍ଣ୍ଣାୟକ ଭୂମିକା ନେଇଥିଲା । ଓଡ଼ିଶାର ୪୮୦ କିମି ଦୈର୍ଘ୍ୟର ସାମୁଦ୍ରିକ ଉପକୂଳ ଓ ୧୧୦୦ ବର୍ଗକିଲୋମିଟର ପରିମିତ ଚିଲିକା ହ୍ରଦ ରହିଛି । ସରକାରୀ ରିପୋର୍ଟ ଅନୁଯାୟୀ ଓଡ଼ିଶା ପାଇଁ ବାର୍ଷିକ ସାଢେ଼ ୬ ଲକ୍ଷ ମେଟି୍ରକ୍‍ ଟନ୍‍ ଲୁଣ ଆବଶ୍ୟକ ହେଉଥିବା ବେଳେ ଉତ୍ପାଦିତ ହେଉଛି ୧୫ ହଜାର ମେଟି୍ରକ୍‍ ଟନ୍‍ରୁ କମ୍‍ । ଲବଣ କ୍ଷେତ୍ରର ଯଦି ପୂର୍ଣ୍ଣ ଉପଯୋଗ ହୋଇପାରନ୍ତା ଓଡ଼ିଶା ଅନ୍ୟ ରାଜ୍ୟକୁ ଲୁଣ ବିକିପାରନ୍ତା । ଏହା କରାଯାଇପାରିଲେ ବ୍ୟାପକ କର୍ମନିଯୁକ୍ତି ସହିତ ଲୋକଙ୍କର ଓ ସରକାରଙ୍କର ଆୟ ମଧ୍ୟ ଢେର୍‍ ବଢ଼ନ୍ତା । 

ସେହିପରି ଆମ ରାଜ୍ୟ ପାଇଁ ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କାର କପଡ଼ା ଦରକାର । ରାଜ୍ୟରେ କିନ୍ତୁ ୫୦୦ କୋଟି ଟଙ୍କାର କପଡ଼ା ଉତ୍ପାଦିତ ହେଉନାହିଁ । ଯେତିକି ହେଉଛି ତାହା ହସ୍ତତନ୍ତରୁ ଆସୁଛି । ହସ୍ତତନ୍ତର ଠିକଣା ବିକାଶ ହେଲେ ଏ କ୍ଷେତ୍ରରୁ କେବଳ ୫ ହଜାର କୋଟି ଟଙ୍କାର କପଡ଼ା ବ୍ୟବସାୟ ହୋଇପାରିବ । ବିଜୁବାବୁଙ୍କ ହାତଗଢ଼ା ଓଟିଏମ୍‍ ସମେତ ପ୍ରାୟ ସମସ୍ତ ଲୁଗାକଳ ଓ ସମବାୟ ସୂତାକଳ ବନ୍ଦ ରହିଛି । ଏହାର କୁପ୍ରଭାବ ସିଧାସଳଖ କପା ଚାଷୀଙ୍କ ଉପରେ ପଡ଼ୁଛି । ରାଜ୍ୟରେ ସରକାରଙ୍କ ଖଦି ବୋର୍ଡ ଥିଲେ ବି ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ଆମେ ଯେଉଁସବୁ ଖଦଡ଼ ପିନ୍ଧୁଛୁ ତାହାର ୯୫ ପ୍ରତିଶତରୁ ଅଧିକ ଅନ୍ୟ ରାଜ୍ୟରୁ ଆସୁଛି । କପଡ଼ା ଉତ୍ପାଦନ କ୍ଷେତ୍ରରେ ଯଦି ଓଡ଼ିଶାକୁ ସ୍ୱାବଲମ୍ବୀ କରିବା ସହିତ ଆମେ ଅନ୍ୟ ରାଜ୍ୟକୁ ଓ ବିଦେଶକୁ ଉନ୍ନତ କିସମର କପଡ଼ା ରପ୍ତାନି କରିପାରୁ ସେ କ୍ଷେତ୍ରରେ ବ୍ୟାପକ କର୍ମନିଯୁକ୍ତି ସହିତ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ଏବଂ ସରକାରଙ୍କର ରାଜସ୍ୱ ଢେର୍‍ ବଢ଼ିପାରିବ । 

ଓଡ଼ିଶାର ଚାହିଦା ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପିଆଜ ଆମ ରାଜ୍ୟରେ ଉତ୍ପାଦିତ ହେଉଛି । କିନ୍ତୁ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଉତ୍ପାଦନ ସମୟରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କିଲୋ ୫-୭ ଟଙ୍କାରେ ଏହା ସଂଗ୍ରହ କରିନେଉଛନ୍ତି । ଏବେ ତ ପିଆଜ କିଲୋ ହାରାହାରି ଶହେ ଟଙ୍କା । ସେହିପରି ଅଧିକାଂଶ ଶୀତଳ ଭଣ୍ଡାର ବନ୍ଦ ହୋଇ ପଡ଼ିଥିବା ବେଳେ ନୂଆ ଶୀତଳ ଭଣ୍ଡାର ନିର୍ମାଣ କ୍ଷେତ୍ରରେ ସେମିତି କିଛି ସଫଳତା ଦେଖାଯାଉନାହିଁ । ତେଣୁ ଅନ୍ୟ ରାଜ୍ୟରୁ ଆମକୁ ବାର୍ଷିକ ପ୍ରାୟ ୧୦ ଲକ୍ଷ ମେଟି୍ରକ ଟନ୍‍ ଆଳୁ ଓ ୩ ଲକ୍ଷ ମେଟି୍ରକ୍‍ ଟନ୍‍ ପିଆଜ ଆଣିବାକୁ ପଡ଼ୁଛି । ଆମେ ଯେଉଁସବୁ ଡାଲି ଓ ତେଲ ବ୍ୟବହାର କରୁଛୁ ତାହା ପ୍ରାୟତଃ ଅନ୍ୟ ରାଜ୍ୟରୁ ଆସୁଛି ମସଲା, ତେଲ ଓ ଡାଲି ଉତ୍ପାଦନ  କ୍ଷେତ୍ରରେ ଆମେ କାହିଁକି ନିଜକୁ ସ୍ୱାବଲମ୍ବୀ କରିପାରିବା ନାହିଁ? ଆମେ ପ୍ରଦୂଷଣ ବଢ଼ାଉଥିବା ବଡ଼ ବଡ଼ ଶିଳ୍ପ ଉପରେ ବେଶୀ ଗୁରୁତ୍ୱ ଦେଉଥିବା ବେଳେ ଗ୍ରାମ୍ୟ ଶିଳ୍ପ, କୂଟୀର ଶିଳ୍ପ ଓ ବିଶେଷ କରି କୃଷିଭିତ୍ତିକ ଶିଳ୍ପ ଡୁବି ଡୁବି ଯାଉଛି । ଏମିତିକି ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପ୍ରତିଷ୍ଠା  କରାଯାଇଥିବା ବ୍ଲକ୍‍ସ୍ତରୀୟ ପଞ୍ଚାୟତ ଶିଳ୍ପଗୁଡ଼ିକ ମଧ୍ୟରୁ ଅନେକ ନିଜର ଅସ୍ତିତ୍ୱ ହରାଇଲେଣି । ଏ ଦିଗଟି ପ୍ରତି ସରକାର ବଜେଟ୍‍ରେ ଦୃଷ୍ଟି ଦେଲେ କର୍ମନିଯୁକ୍ତି ସହିତ ଲୋକଙ୍କ ରୋଜଗାର ବଢ଼ିବ ଓ ସରକାର ମଧ୍ୟ ଟିକସ ଆକାରରେ ମୋଟା ଅଙ୍କର ଅର୍ଥ ପାଇବେ । ଏଭଳି ଆହୁରି ଅନେକ କ୍ଷେତ୍ର ଅଛି ଯାହାର ଆମେ ପୂର୍ଣ୍ଣ ଉପଯୋଗ କରିପାରିବା । ଏ ପ୍ରସଙ୍ଗରେ ସରକାରଙ୍କର ଯୋଜନା ପ୍ରଣୟନକାରୀମାନେ ନିଶ୍ଚିତ ଭାବେ ମୋ ଅପେକ୍ଷା ଅଧିକ ଜାଣିଥିବେ । 

୨୦୨୨ ମସିହାରେ ଭାରତବର୍ଷ ତାହାର ସ୍ୱାଧୀନତାର ପ୍ଲାଟିନମ୍‍ ଜୁବୁଲି ପାଳନ କରିବାକୁ ଯାଉଛି । ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଦେଇଥିଲା ଉଲ୍ଲେଖନୀୟ ଯୋଗଦାନ ଓ ବଳିଦାନ । ତେଣୁ ୨୦୨୦-୨୧ର ବଜେଟ୍‍ରେ ଓଡ଼ିଶା ସରକାର ଏଭଳି କିଛି କ୍ରାନ୍ତିକାରୀ ବ୍ୟବସ୍ଥା ରଖିବା ଦରକାର ଯାହା ୨୦୨୨ ଓ ୨୦୩୬ ବେଳକୁ ଆମକୁ ଅନଗ୍ରସରତାର କଳଙ୍କରୁ ମୁକ୍ତ କରି ଓଡ଼ିଶାକୁ ଦେଶର ଅନ୍ୟତମ ଆଗୁଆ ରାଜ୍ୟ ଭାବେ ପରିଚିତି ଦେଇପାରିବ । ଆପଣ ଜାଣନ୍ତି କଣା ମାଠିଆରେ ଯେତେ ପାଣି ଢାଳିଲେ ତାହା ରହିବ ନାହିଁ । ତେଣୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ଏ ଦୁଇଟିର ଜନନୀ ବୋଲି କୁହାଯାଉଥିବା ନିଶା ରାକ୍ଷସ କବଳରୁ ଆମକୁ ମୁକ୍ତି ନ ମିଳିଲେ ପ୍ରଗତି ଆସିବ ନାହିଁ । ହିଂସା ଓ ନିଶା ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ୨୦୨୦-୨୧ର ବଜେଟ୍‍ରେ ଏଭଳି କିଛି ଝଲକ ଦେଖାଇବେ ଯେଉଁଥିରେ ନିଶା ନିବାରଣ ସହିତ ରାଜ୍ୟ ପ୍ରଗତିର ନୂଆ ନକ୍ସା ପ୍ରଦର୍ଶିତ ହେବ ବୋଲି ମୋ ଭଳି ଅନେକ ଆଶା କରନ୍ତି । ସାଂସଦ ପ୍ରମିଳା ବିଶୋୟୀଙ୍କ ସମେତ ଗାଁ ଗହଳର ମା’ ଭଉଣୀମାନେ ବି ଏହା ଚାହାଁନ୍ତି । ନ ହେଲେ ମିଶନ୍‍ ଶକ୍ତି ହେଉ କିମ୍ବା ପୌର ଓ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ପ୍ରତିନିଧିତ୍ୱ ବଢ଼ାଇବା କଥା ହେଉ, ସରକାରଙ୍କ ଏ ସବୁ ଜନହିତକାରୀ ଯୋଜନାର ଯେତେ ସୁଫଳ ମିଳିବା କଥା ତାହା ଆଦୌ ମିଳିବ ନାହିଁ । ନିଶା ନିବାରଣ ପାଇଁ ପ୍ରସ୍ତାବ ଦେବା ସହ ୨୦୨୦ ନବବର୍ଷ ଆମ ରାଜ୍ୟ, ରାଜ୍ୟବାସୀ, ରାଜ୍ୟ ସରକାର ଓ ଦେଶ ପାଇଁ ଶୁଭଙ୍କର ହେଉ-ଏହା କାମନା କରି ରହୁଛି । 

ଧନ୍ୟବାଦ ସହ

ଆପଣଙ୍କର

(ପ୍ରହଲାଦ କୁମାର ସିଂହ)

E-mail: This email address is being protected from spambots. You need JavaScript enabled to view it.

Cell: 9437017395

0
0
0
s2sdefault