ଶଂଖରେ ପଶୁଛି ପାଣି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  

 

ଲଗାତାର୍ କାର୍ଯ୍ୟକ୍ରମ କରି ବିଜେପି ଶିବିର ଚଳଚଞ୍ଚଳ ; ଆଶଙ୍କା ଭିତରେ ଶଙ୍ଖ !

 

ଚଳିତ ଦଶନ୍ଧିରେ ଖଣି, ଖାଦାନଭରା, ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାର ରାଜନୈତିକ ପ୍ରେକ୍ଷାପଟ୍ଟରେ କୌଣସି ସଶକ୍ତ ବିରୋଧି ଶକ୍ତିର ଅନୁପସ୍ଥିତିରେ, ମର୍ଯ୍ୟାଦାସମ୍ପନ୍ନ ଘଷିପୁରା ଆସନକୁ ରାଜ୍ୟ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ଶାସକ ବିଜେଡି ନେତା ତଥା ଜିଲ୍ଲାର ଏକମାତ୍ର ମନ୍ତ୍ରୀ, ବଦ୍ରି ପାତ୍ର, ଜିଲ୍ଲାର ସର୍ବ କ୍ଷମତା ସମ୍ପନ୍ନ ସମ୍ରାଟ୍ ଭାବେ ନିଜର ଆଧିପତ୍ୟ ଜାହିର୍ କରିଆସୁଥିବାର ଦେଖାଯାଉଥିଲା । ନିଜ ପୁତ୍ରଗଣ ଓ ଅନୁଗତଙ୍କ ଦୌରାତ୍ମ୍ୟରେ ଆତଙ୍କିତ ଲୋକେ, ତାଙ୍କୁ ବିରୋଧ କରିବାର ସାହସ କରିପାରୁନଥିଲେ ବୋଲି ବିଭିନ୍ନ ସମୟରେ ବରାବର୍ ଅଭିଯୋଗ ହୋଇଆସୁଛି । ଆନନ୍ଦପୁରର ପୂର୍ବତନ ଏମଏଲଏ ହୁଅନ୍ତୁ ବା ତେଲକୋଇର ଅଧୁନାତନ ଏମଏଲଏ ହୁଅନ୍ତୁ, ଯେକେହି ପାତ୍ର-ବିରୋଧି କଥା କହିଲେ, ଶାରିରୀକ ଆକ୍ରମଣର ଶିକାର ହେବା ଯେ ଥୟ, କଥା ବାରମ୍ବାର ପ୍ରମାଣିତ ହୋଇଥିଲେ ହେଁ ପାତ୍ର ମହାଶୟଙ୍କ ସାଂଗଠନୀକ ଦକ୍ଷତା ଆଳରେ ମୁଖ୍ୟମନ୍ତ୍ରୀ, ସବୁ ଶୁଣି, ସବୁ ଜାଣି ନୀରବ ବୋଲି, ଖୋଦ୍ ତାଙ୍କ ଦଳର ବିଧାୟକ ମଧ୍ୟ ଖେଦୋକ୍ତି ପ୍ରକାଶ କରନ୍ତି । ୨୦୦୯ ମସିହା ପର୍ଯ୍ୟନ୍ତ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିନିଧିତ୍ୱ ଅବଧି ମଧ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବା ପ୍ରଶାସନୀକ ଦୁର୍ନୀତିର ପ୍ରାଦୁର୍ଭାବ ନଥିଲା ପରେ ପରେ ବିଜେଡିର ଭୟାନକ ଖେଳ, ସାଧାରଣ ଲୋକଙ୍କ ପାଇଁ କାଳରେ ପରିଣତ ହୋଇଛି । ଶାସକ ଦଳ ଦ୍ୱାରା ପରିଚାଳିତ ହିଂସା ଭୟରେ ଲୋକେ ଚୁପ୍ ରହୁଥିବାର ଦେଖାଯାଉଥିଲା । ହେଲେ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳରେ ବେଶ୍ ଉତ୍ସାହୀତ ବିଜେପି, ସଂପ୍ରତି ବଦ୍ରିଙ୍କ ବିରୁଦ୍ଧରେ ଏକମାତ୍ର ଶକ୍ତି ରୂପେ ଧିରେ ଧିରେ ଅଗ୍ରସର ହେଉଥିବାର ପରିଲକ୍ଷିତ ହେଉଛି । ବଦ୍ରି ପରିବାରର ଅତିଶୟ ଏକଚତ୍ରବାଦରେ ଅତିଷ୍ଠ ସାଧାରଣ ଲୋକେ ବିଜେପିର କ୍ରମଶଃ ଅଭ୍ୟୁତଥାନ ଭିତରେ ଏକଛତ୍ରବାଦର ଅଧଃପତନ ଦେଖୁଥିବାଭଳି ଏଅଞ୍ଚଳରେ ପ୍ରତୀୟମାନ ହେଲାଣି । ଗତ ନିର୍ବାଚନରେ ବୁଥ୍-ରିଗିଂ ଭଳି ବେଆଇନ୍ କାର୍ଯ୍ୟ କରି ବଦ୍ରି ଜିତିଥିବାର ଗୁରୁତର ଅଭିଯୋଗ ଉଠାଇ ସେତେବେଳର କଂଗ୍ରେସ ପ୍ରାର୍ଥି, ପୃଥ୍ୱୀରାଜ କୁଅଁର, ମାନ୍ୟବର ଉଚ୍ଚ ନ୍ୟାୟାଳଙ୍କଠାରେ କରିଥିବା ମକଦ୍ଦମା, ଏବେବି ଚାଲୁଛି । ମନ୍ତ୍ରୀଙ୍କ ପୈତୃକ ଗ୍ରାମ ଗଡବାନ୍ଧଗୋଡାରେ ମନ୍ତ୍ରୀପୁତ୍ରଙ୍କ ଦ୍ୱାରା ସେହି ଗାଁର କାଜୁ ବାଡି ନିଲାମଧାରିଣୀ, ଜନୈକା ନିରୀହା ମହିଳାଙ୍କଠାରୁ ଯୋରଜବରଦସ୍ତି ବାଡି ଛଡାଇନେଇ ସଂପୃକ୍ତା ମହିଳାଙ୍କୁ ସପରିବାର ଗାଁରୁ ବିତାଡିତ କରିବାଭଳି ଦୁଷ୍କର୍ମ ବିରୁଦ୍ଧରେ ପୃଥ୍ୱୀରାଜ, ମାନବାଧିକାର କମିସନଙ୍କଠାରେ ଅଭିଯୋଗ କରିଥିଲେ ହେଁ ଭୟରେ ଜଣେହେଲେ ଗ୍ରାମବାସୀ ସାକ୍ଷ୍ୟ ଦେବାର ସାହସ ଯୁଟାଇପାରିନଥିଲେ । ମନ୍ତ୍ରୀ ପରିବାରର ଯାବତୀୟ କାଣ୍ଡ-କାରଖାନା ବିରୁଦ୍ଧରେ ସବୁବେଳେ ସ୍ୱର ଉଠାଉଥିବା ଯୁବ ସଂଗଠକ ପୃଥ୍ୱୀରାଜ, ଗତ ପଞ୍ଚାୟତ ନିର୍ବାଚନ ପରେ ପରେ ଘଷିପୁରା ଅଞ୍ଚଳରେ ବିଜେପିର ମଙ୍ଗ ଧରିବା ଦିନଠାରୁ କେବଳ ସ୍ଥାନୀୟ ଗୈରୀକ  ଶିବିର ନୁହେଁ, ବରଂ ସମଗ୍ର ନିର୍ବାଚନମଣ୍ଡଳୀରେ ବିଜେଡି-ବିରୋଧି ଶକ୍ତି ସମୂହର ସତେ ଯେପରି ଏକ ଅଭୂତପୂର୍ବ ପୁନର୍ବିନ୍ୟାସ ଘଟିଛି ! ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଜେପିର ଦଳୀୟ ପ୍ରାର୍ଥିଙ୍କ ବିରୁଦ୍ଧରେ ଦଳର ସ୍ଥାନୀୟ ନେତାମାନଙ୍କର ବିଦ୍ରୋହ, ତଦାନୀନ୍ତନ ସ୍ୱାଧିନ୍ ପ୍ରାର୍ଥିଙ୍କୁ ଜିତାଇଥିଲା । ୨୦୦୫ ମସିହାରେ ଘୋଷିତ ଗୈରୀକ ପ୍ରାର୍ଥିଙ୍କ ଟିକେଟରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ଏପରିକି, ଗତ ପଞ୍ଚାୟତ ଭୋଟରେ ଘଷିପୁରା କ୍ଷେତ୍ରରେ ବିଜେପିର ସରପଞ୍ଚ ବା ସମିତି ସଭ୍ୟ ପ୍ରାର୍ଥି ମଧ୍ୟ ମୈଦାନରେ ନଥିଲେ । ସାଧାରଣରେ ପଦ୍ମ ପ୍ରତି କ୍ରମବର୍ଦ୍ଧିଷ୍ଣୁ ଆଗ୍ରହ ଦେଖିଲେ ଏହା ଅନୁଭୂତ ହେଉଛି କି, ପୃଥ୍ୱୀରାଜ ପୂର୍ବରୁ ଦଳକୁ ଆସିଥିଲେ ହୁଏତ ଘଟଗାଁ’ ଓ ଘଷିପୁରା ବ୍ଲକ୍ ଅଧ୍ୟକ୍ଷ ପଦବୀକୁ ବିଜେପି ହାସଲ କରିପାରିଥାଆନ୍ତା । ଗତ ସାଧାରଣ ନିର୍ବାଚନରେ ସ୍ୱଳ୍ପ ଭୋଟରେ ତେଲକୋଇରୁ ହାରିଥିବା କଂଗ୍ରେସ ପ୍ରାର୍ଥି ଧନୁର୍ଜୟ ସିଧୁ ଓ ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥି ସେଠୀ, ବିଜେପିରେ ମିଶିବାପରେ ମଧ୍ୟ ଦଳର ସାଂଗଠନୀକ ଶକ୍ତି ବେଶ୍ ବୃଦ୍ଧି ପାଇଥିବାର ଅନୁମିତ ହୁଏ । ନିଜ ନିର୍ବାଚନମଣ୍ଡଳୀ ରାଜନୀତିର ଏତାଦୃଶ ଅକସ୍ମାତ୍ ସମୀକରଣ ପରିବର୍ତ୍ତନରେ ବଦ୍ରି ଶିବିର ହତଭମ୍ବ ହୋଇ ଯେନତେନ ପ୍ରକାରେଣ, ପୃଥ୍ୱୀରାଜଙ୍କ ତୀବ୍ର ପରିବେଗ ଉପରେ ବ୍ରେକ୍ଲଗାଇବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା କରୁଥିବାର ଦେଖାଯାଉଛି । 

 

0
0
0
s2sdefault