ହେଡଲାଇନସ୍:

ପୂର୍ବତନ ବିଧାୟକ ସାମାୟ କିସ୍କୁ ଆଉ ନାହାନ୍ତି : ବାରିପଦାରେ ଶୋକର ଛାୟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା/ଦିଲ୍ଲୀପ ମହାନ୍ତି -ବାରିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସାମାୟ କିସ୍କୁ ଆଉ ନାହାନ୍ତି  । ୧୦୮ ବର୍ଷ ବୟସରେ ମଙ୍ଗଳବାର ଭୂବନେଶ୍ୱରସ୍ଥିତ କେୟାର   ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ  ତାଙ୍କ ନିକଟରେ ଧର୍ମପତ୍ନୀଙ୍କ ସହିତ ପୁଅ ବୀରେନ କିସ୍କୁ, ସୀତାନାଥ କିସ୍କୁ ଓ କନ୍ୟା ସୁବର୍ଣ୍ଣ ଲତା ହାଁସଦାଃ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ତାଙ୍କର ପାର୍ଥିବ ଶରୀରକୁ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ବାରିପଦା ସହରର ପାଲବଣିସ୍ଥିତ ବାସଭବନରେ  ରଖାଯାଇଥିଲା । ଖବରଟି ଆଖିପିଛୁଳାକେ ପ୍ରଚାରିତ ହେବା ପରେ ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ହୋଇ ସ୍ୱର୍ଗତ ସାମାୟ କିସ୍କୁଙ୍କ ମର ଶରୀରକୁ ଶେଷ ଦର୍ଶନ କରିବା ସଂଗେସଂଗେ ତାଙ୍କ ଅମର ଆତ୍ମାର ସଦଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଥିଲେ । ଶେଷରେ ପୈତୃକ ଗ୍ରାମ ଡ଼ିମିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇ ଥିଲା । ପ୍ରକାଶ ଥାଉକି, ସାମାୟ କିସ୍କୁ ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅନ୍ତର୍ଗତ ଡ଼ିମିଆ ଗ୍ରାମର ପିତା ବୀରୁ କିସ୍କୁ ଓ ମାତା ମାଇନ କିସ୍କୁଙ୍କ ଔରସରୁ ୧୯୦୯ରେ ଜନ୍ମ ହୋଇଥିଲେ । ଛାତ୍ର ଜୀବନରେ ତାଙ୍କର ରାଜନୀତିରେ ବିଶେଷ ଭାବେ ରୁଚି ରହିଥିଲା । ସମାଜସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରାଇ ଆସିଥିଲେ । ନିଶା ଦ୍ରବ୍ୟ ବ୍ୟବହାରକୁ ସଦାସର୍ବଦା ବିରୋଧ କରିଆସୁଥିଲେ । ଏଥି ସହିତ ବାରିପଦା(ସଂରକ୍ଷିତ)-୨ ଆସନରୁ ୧୯୫୭ ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜଣେ ମିଷ୍ଟ ଭାଷୀ , ମେଳାପି ଓ  ନିଷ୍ଠାପର ରାଜ ନେତା ଭାବେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରି ଥିଲେ । ତାଙ୍କ ବିୟୋଗରେ ପୈତୃକ ଅଞ୍ଚଳ ଶୁଳିଆପଦା ସହିତ ବାରିପଦା ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳାଇ ଯାଇଥିଲା ।

 

0
0
0
s2sdefault