ମୁଖ୍ୟମନ୍ତ୍ରୀ ଟେଲିପ୍ରଂପଟର ସହାୟତାରେ ଥଙ୍ଗେଇ ଥଙ୍ଗେଇ ଓଡିଆରେ ଭାଷଣ ଦେଲେ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସରକାରଙ୍କ ଶିଶୁ ଦିବସ କାର୍ଯ୍ୟକ୍ରମ କୁ ବିଜେପିର ବିରୋଧ 

 

ଭୁବନେଶ୍ୱର:  ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଉଭୟେ କେବଳ ଘୋଷଣା ଓ ପ୍ରଚାର ସର୍ବସ୍ୱ । ରାଜ୍ୟର ସମସ୍ତ ବର୍ଗ ଲୋକେ ଆଜି ଦୁର୍ଦିନରେ ବାସ କରୁଥିବାବେଳେ, ନିଜର ଅପାରଗତା ଓ ସ୍ଥାଣୁତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର ମାଧ୍ୟମରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛନ୍ତି । ରାଜ୍ୟର ବିକାଶ କିମ୍ବା ଭ୍ରଷ୍ଟାଚାର ମୁକ୍ତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ପ୍ରତିବଦ୍ଧତା ନଥିବା ମୁଖ୍ୟମନ୍ତୀ କେବଳ ଆତ୍ମପ୍ରଚାରରେ ଲାଗିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ମହାଆଡମ୍ବରରେ ଶିଶୁ ଦିବସ ପାଳନ ଅବସରରେ ଓଡିଆ ଭାଷା ସବୁଠୁ ଭଲ ଏବଂ ଓଡିଶାବାସୀଙ୍କୁ ଓଡିଆ ଭାଷାର ଟେକ ରଖିବାକୁ ମୁଖ୍ୟମନ୍ତ୍ରୀ ଭାଷଣ ଦେଇଛନ୍ତି । ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ସହ ମନର କଥା କହିବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ଟେଲିପ୍ରଂପଟର ସହାୟତାରେ ଥଙ୍ଗେଇ ଥଙ୍ଗେଇ ଓଡିଆରେ ଭାଷଣ ଦେବାକୁ ରାଜ୍ୟବାସୀ ଭଲ ଭାବେ ବୁଝି ସାରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ଡ୍ରାମାବାଜି କରି ରାଜ୍ୟବାସୀଙ୍କୁ ଆଉ ବିଭ୍ରାନ୍ତ କରିବାର ଅପଚେଷ୍ଟା କରନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀ ଯଦି ଗଣମାଧ୍ୟମ ସମ୍ମୁଖରେ ୨୦ରୁ ୨୫ ପୃଷ୍ଟାର ଏକ ଓଡିଆରେ ଲିଖିତ ପୁସ୍ତକକୁ ବିନା ଟେଲିପ୍ରଂପଟର ସହାୟତାରେ ପଢି ଦିଅନ୍ତି, ଆମେ ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରିବୁ ବୋଲି ଚାଲେଂଜ ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ।

ରାଜ୍ୟରେ ସାଂପ୍ରତିକ ମରୁଡି ଓ ପୋକ ଜନିତ ଫସଲ ହାନୀ କାରଣରୁ ଚାଷୀକୁଳ ହନ୍ତସନ୍ତ ହେବା ସହ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି । ବିଦ୍ୟାଳୟମାନଙ୍କରେ ପାଖାପାଖି ୪୪ ହଜାର ଶିକ୍ଷକ ବଦ ଖାଲି ପଡିଥିବା କାରଣରୁ ପାଠ ପଢା ବାଧାପ୍ରାପ୍ତ ହେଉଛି । ୬୬ ପ୍ରତିଶତ ବିଦ୍ୟାଳୟମାନଙ୍କରେ ସଠିକ ଭିତିଭୂମି ଅଭାବ ରହିଛି । ଶିକ୍ଷକମାନେ ତାଙ୍କ ନ୍ୟାର୍ଯ୍ୟ ହକ୍ ପାବାକୁ ବଂଚିତ ହେବା କାରଣରୁ ରାଜରାସ୍ତାକୁ ଓହ୍ଲାଇ ଧାରଣା ଦେବା ସହ ଆନେ୍ଦାଳନ କରୁଛନ୍ତି । ଏପରିକି ଏ ସମସ୍ତ କାରଣରୁ ଗତ ୨ ବର୍ଷ ହେଲା ସରକାରୀ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃତ ହ୍ରାସ ପାଇଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ମୈାଳିକ ବ୍ୟବସ୍ଥା ମଧ୍ୟ ନାହିଁ । ମାତ୍ର ୨ ପ୍ରତିଶତ ଗ୍ରାମାଂଚଳରେ ପାନୀୟ ଜଳର ବ୍ୟବସ୍ଥା ରହିଛି । ପୃଷ୍ଟିହୀନ ଖାଦ୍ୟ କାରଣରୁ ରାଜ୍ୟର ୧୧୦୦ରୁ ଉର୍ଦ୍ଧ ଗ୍ରାମାଂଚଳ ବାସିନ୍ଦା ପ୍ରଭାବିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ଆରମ୍ଭ କରି, ନରେଗା, ସ୍ୱଚ୍ଚ ଭାରତ ଯୋଜନା ଆଜି ଦୁର୍ନୀତିର ଗନ୍ତା ଘର ସାଜିଛି । କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ୱେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ । ଏ ସମସ୍ତ ସମସ୍ୟାର ସମାଧାନ ଏବଂ ଉତରକୁ ସମୁହ ରାଜ୍ୟବାସୀ ଆଶା କରୁଥିବାବେଳେ ଆଜି ୨୦୦ ଶହ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ଅର୍ଥ ବ୍ୟୟରେ ଅନୁଷ୍ଠିତ ହୋଇଥିବା ଶିଶୁଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏ ସମସ୍ତ ପ୍ରଶ୍ନର ଉତର ନଦେଇ କେବଳ ଆତ୍ମପ୍ରଚାର କରିଥିଲେ । ଏହା ଅତ୍ୟନ୍ତ ନୀନ୍ଦନୀୟ ଏବଂ ଗଣତନ୍ତ୍ରର ଅପବ୍ୟବହାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ମଙ୍ଗଳବାର ସକାଳେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଶିକ୍ଷା, କୃଷି, ପାନୀୟ ଜଳ, ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଚଭାରତ, ନରେଗା ଆଦି ସମସ୍ତ ଲୋକହିତାକାରୀ ଯୋଜନାର କାର୍ଯ୍ୟକାରିତାରେ ରାଜ୍ୟ ସରକାରଙ୍କ ବିଫଳତା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ସଂପାଦକ କାଳନ୍ଦୀ ସାମଲ, ଦିଲୀପ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର, ମୁଖପାତ୍ର ସଜ୍ଜନ ଶର୍ମା, ସୁଦୀପ୍ତ ରାୟ, ଗୋଲକ ମହାପାତ୍ର ଓ ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକର ରଣଜିତ ଦାଶ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

 

 

0
0
0
s2sdefault