ଭିଜିଲାନ୍ସ ଟ୍ରାପରେ ଧରାପଡ଼ିଲେ ବିଦ୍ୟୁତ ବିଭାଗ ଓପିଟିସିଏଲର ଡ଼ିଜିଏମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା ଦିଲ୍ଲୀପ ମହାନ୍ତି  : ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ବାରିପଦା ବିଦ୍ୟୁତ  ବିଭାଗ ଓପିଟିସିଏଲର ଡ଼ିଜିଏମ । ଏକ ଘରୋଇ ବୋଲେରୁ ଗାଡ଼ିକୁ କାର୍ଯ୍ୟାଳୟ ଭଡ଼ା ସୂତ୍ରରେ ଆଣି ବ୍ୟବହାର କରୁଥିବା ବେଳେ ଉକ୍ତ ଗାଡ଼ିର ଦୁଇ ମାସର ଭଡ଼ା ବିଲ ପାଶ କରାଇବା ନିମନ୍ତେ ୩ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ବାରିପଦା ଭିଜିଲାନ୍ସ ୟୁନିଟର ଡ଼ିଏସପି ସଞ୍ଜୟ କୁମାର ଦାସମହାପାତ୍ରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ମୟୂରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ଗାଙ୍ଗରାଜ କାହ୍ନୁପୁର ଗ୍ରାମର କାର୍ତ୍ତିକେଶ୍ୱର ଦତ୍ତ ତାଙ୍କର ବୋଲେରୁ ଗାଡ଼ିକୁ ବାରିପଦା ସହରରେ ଥିବା ବିଦ୍ୟୁତ ବିଭାଗର ଓପିଟିସିଏଲ କାର୍ଯ୍ୟାଳୟରେ ଭଡ଼ା ସୂତ୍ରରେ ଲଗାଇ ଆସୁଥିବା ବେଳେ ଦୁଇ ମାସର ଭଡ଼ା ପାଇ ନ ଥିଲେ । ତେଣୁ ଏହି ଦୁଇ ମାସର ଭଡ଼ା ଟଙ୍କା ପ୍ରାୟ ୪୫ ହଜାର ପାଖାପାଖି ନେବା ପାଇଁ କାର୍ଯ୍ୟାଳୟରେ ବାରମ୍ବାର ଚକ୍କର ମାରୁଥିଲେ । ଏହି ସମୟରେ ବିଦ୍ୟୁତ ବିଭାଗ ଓପିଟିସିଏଲର ଡ଼ିଜିଏମ ତଥା ବାରିପଦା ରଘୁନାଥପୁରରେ ଭଡ଼ା ନେଇ ରହୁଥିବା ଭୂବନେଶ୍ୱର ରସୁଲଗଡ଼ ନିକଟ ପଳାଶବଣି ଅଞ୍ଚଳର ଯଶୋବନ୍ତ ନାରାୟଣ ଚୌଧୁରୀ ୫ ହଜାର ଟଙ୍କା ଲାଞ୍ଚ ଦେଲେ ବିଲ ପାଶ କରାଇ ଦେବେ ବୋଲି କାର୍ତ୍ତିକେଶ୍ୱର ଦତ୍ତଙ୍କୁ କହିବା ପରେ ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ ୩ ହଜାର ଟଙ୍କାରେ କଥା ଛିଣ୍ଡିଲା ; ମାତ୍ର ଏହି ଲାଞ୍ଚୁଆ ଡ଼ିଜିଏମ୍ ଯଶୋବନ୍ତ ଚୌଧୁରୀକୁ ଉଚିତ ଶିକ୍ଷା ଦେବା ନିମନ୍ତେ କାର୍ତ୍ତିକେଶ୍ୱର ମନରେ ସ୍ଥିର କରି ବାରିପବା ଭିଜିଲାନ୍ସ ୟୁନିଟ ଡ଼ିଏସପିଙ୍କ ଦ୍ୱାରସ୍ଥ ହୋଇ ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ଅନୁସାରେ କାର୍ତ୍ତିକେଶ୍ୱର ବୁଧବାର ପ୍ରାୟ ସାଢେ଼ ୧୧ଟା ପାଖାପାଖି ବିଦୁ୍ୟତ୍ ବିଭାଗ ଓପିଟିସିଏଲ କାର୍ଯ୍ୟାଳୟରେ ଡ଼ିଜିଏମ ଯଶୋବନ୍ତଙ୍କୁ ସାକ୍ଷାତ କରି ଭିଜିଲାନ୍ସରୁ ନେଇ ଯାଇଥିବା ରଙ୍ଗ ବୋଳା ୩ ହଜାର ଟଙ୍କା ଦେଇଥିଲେ । ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ କାର୍ତ୍ତିକେଶ୍ୱର ନିକଟରୁ କାର୍ଯ୍ୟ ସଫଳର ସଙ୍କେତ ପାଇବା ପରେ ଅତର୍କିତ ଭାବେ ବିଦ୍ୟୁତ ବିଭାଗ ଓପିଟିସିଏଲର ଡ଼ିଜିଏମ ଯଶୋବନ୍ତ ଚୌଧୁରୀଙ୍କ ଉପରକୁ ଝାମ୍ପିପଡ଼ି କାବୁ କରି ନେଇଥିଲେ । ଏହାପରେ ତଲାସୀ ନେବା ପରେ ତାଙ୍କ ନିକଟରୁ ଭିଜିଲାନ୍ସର ରଙ୍ଗବୋଳା ୩ ହଜାର ଟଙ୍କା ଜବତ କରାଯାଇ ଥିଲା । ଏହି ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ୫୩/୧୭ରେ ଏକ ମାମଲା ରଜୁ କରାଯାଇ ଅଭିଯୁକ୍ତ ଯଶୋବନ୍ତଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତିଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ପ୍ରକାଶ ଥାଉକି ବିଦ୍ୟୁତ ବିଭାଗ ଓପିଟିସିଏଲର ଡ଼ିଜିଏମ ଯଶୋବନ୍ତ ଚୌଧୁରୀଙ୍କୁ ଭିଜିଲାନ୍ସ ଲାଞ୍ଚ ନେଉଥିବା ବେଳେ ରଙ୍ଗବୋଳା ହାତରେ ଗିରଫ କରିବା ପରେ ସେ ମାତ୍ରାଧିକ ଭାବେ ଉତ୍ତେଜିତ ହୋଇ ଉଠିଥିଲେ । ତାଙ୍କ କାର୍ଯ୍ୟାଳୟରେ କାଗଜପତ୍ର ସହିତ ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟରେ ମଧ୍ୟ ବିଭିନ୍ନ ନଥିପତ୍ରକୁ ଛିଣ୍ଡାଛିଣ୍ଡି କରିଥିଲେ । ବାରିପଦା ବିଦ୍ୟୁତ ବିଭାଗ ବର୍ତ୍ତମାନ ଦୁର୍ନୀତିର ଗନ୍ତାଘର ପାଲଟିଯାଇଥିବାର ଅଭିଯୋଗ ହେଉଛି । କାହାକୁ ବିଦ୍ୟୁତସଂଯୋଗ ନ ଥାଇ ବିଲ ଲଗାଯାଉଛି, କାହା ଉପରେ ମିଟର ଟେମ୍ପରିଂ କରିଥିବାର ମିଥ୍ୟା ଅଭିଯୋଗ ଆଣି ହଜାର ହଜାର ଟଙ୍କା ଫାଇନ କରାଯାଇ ଉଭୟଙ୍କ ମଧ୍ୟରେ ମୂଲଚାଲ ହୋଇ ମାମଲାର ସମାଧାନ ହେଉଛି । ପୁଣି କାହାକୁ ମନ ଇଚ୍ଛା ବିଦ୍ୟୁତ ବିଲ ଲଗାଯାଇ ମୂଲଚାଲ ହେଉଥିବାର ଅଭିଯୋଗ ହେଉଛି । 

 

 

0
0
0
s2sdefault