ହେଡଲାଇନସ୍:

ନବୀନ ସରକାର ଭ୍ରଷ୍ଟ ସରକାର, ଏଥର ଆମେ ଜିତିବୁ  : ଜାଭଡେ଼କର ////////// ଜାଭଡେ଼କର ଏବେ ଭ୍ରମଣରେ ଆସୁଛନ୍ତି, ଯଦି ୨୦୦୦ ଆଗରୁ ଆସିଥାନ୍ତେ ବୁଝିଥାନ୍ତେ ବିକାଶ କାହାକୁ କୁହାଯାଏ :  ସସ୍ମିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ଭୁବନେଶ୍ୱରରୁ ଚକ୍ରଧର ମାଝି :ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ପରିଚାଳିତ ବିଜୁ ଜନତା ଦଳ ସରକାର ଗରିବ ବିରୋଧୀ କାମ କରୁଛି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେ଼କର ରବିବାର କହିଛନ୍ତି । ଭୁବନେଶ୍ୱର ଗସ୍ତ କାଳରେ ଜାଭଡେ଼କର କହିଛନ୍ତି, ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିପୁଳ ପରିମାଣରେ ବିଜୟୀ ହେବ ଓ ବିଜେଡି ହାରିବ । ଗ୍ରାମୀଣ ଗରିବ ଜନତା ଆମ ସାଥୀରେ ଅଛନ୍ତି। ନବୀନବାବୁଙ୍କ ଭ୍ରଷ୍ଟ ସରକାରଙ୍କୁ ଆମେ ହଟାଇବୁ। ୧୨୦ ଲକ୍ଷ୍ୟ ପଥରେ ଆମେ ଅଗ୍ରସର ହେଉଛୁ । ପୁରୀ-ଭୁବନେଶ୍ୱରରେ ଆମେ ବିଜୟୀ  ହେବୁ ବୋଲି ଜାଭଡେ଼କର କହିଛନ୍ତି ।

ହେଲେ କେନ୍ଦ୍ର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେ଼କରଙ୍କ ଏଇ ମନ୍ତବ୍ୟର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଡ ଶସ୍ମିତ ପାତ୍ର ।  ଡ଼ ପାତ୍ର କହିଛନ୍ତି ଯେ, ଯଦି ୨୦୦୦ ମସିହା ପୂର୍ବରୁ ଓଡ଼ିଶା ଆସିଥାନ୍ତେ, ତେବେ ୧୭ବର୍ଷରେ ଓଡ଼ିଶା କେତେ ବିକାଶ ହୋଇଛି ତା’ର ଏକ ପୂର୍ଣ୍ଣାଙ୍ଗ ଚିତ୍ର ପାଇଥାନ୍ତେ । ଗତ ୧୭ବର୍ଷ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦ୍ରୁତଗତିରେ ପ୍ରଗତି କରିଛି । କିନ୍ତୁ ଯେହେତୁ ଶ୍ରୀ ଜାଭଡେ଼କର ଏଇ କିଛିଦିନ ହେଲା ଓଡ଼ିଶା ଭ୍ରମଣରେ ଆସୁଛନ୍ତି, ସେଥିପାଇଁ ଓଡ଼ିଶାର ସର୍ବାଙ୍ଗୀନ ବିକାଶର ପ୍ରକୃତ ଜ୍ଞାନ ତାଙ୍କର ନାହିଁ ।

 ଡ଼ ପାତ୍ର କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ହେଉଛନ୍ତି ଭାରତବର୍ଷର ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ଦୃଢ଼ତାର ସହିତ ପିସିକୁ ପ୍ରତ୍ୟେକଟି ସ୍ତରରେ ବନ୍ଦ କରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣି ଦୋଷୀଙ୍କୁ କଡ଼ା ଦଣ୍ଡବିଧାନ କରାଉଛନ୍ତି । ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ଏବଂ ତାଙ୍କର ଅଧ୍ୟକ୍ଷଙ୍କ ଉପରେ ବିଗତ କିଛିଦିନ ହେଲା ଯେଉଁ ପ୍ରଶ୍ନ ଉଠିଥିଲା, ତା’ର ଉତ୍ତର ଭାରତୀୟ ଜନତା ପାର୍ଟି ନଦେଇ ନିରବ ରହିଛି । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି, ଭାରତୀୟ ଜନତା ପାର୍ଟିର ପିସି ସଂପର୍କରେ ଆଭିମୁଖ୍ୟ କ’ଣ?

ଡ଼ ପାତ୍ର କହିଛନ୍ତି ଯେ,ସମୟ କହିବ, ଓଡ଼ିଶାର ଜନସାଧାରଣ ନବୀନବାବୁଙ୍କୁ କେତେ ଭଲ ପାଆନ୍ତି । ଗତ ୧୭ବର୍ଷ ହେଲା ନିରଙ୍କୁଶ ଭାବେ ବିଜୁ ଜନତା ଦଳ ଏବଂ ନବୀନବାବୁଙ୍କୁ ଓଡ଼ିଶାର ଲୋକେ ପ୍ରେମ, ସ୍ନେହ, ଶ୍ରଦ୍ଧା ଓ ସମର୍ଥନ ଜଣାଇଛନ୍ତି ଏବଂ ଏହା ଅବ୍ୟାହତ ରହିଛି । ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ଯେଉଁ ବାହାସ୍ପୋଟ ମାରି କ୍ଷମତାକୁ ଆସିଥିଲା ୩ବର୍ଷରେ ତା’ର ଫସର ଫାଟିଗଲାଣି । ବୋଧହୁଏ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେ଼କରଙ୍କର ହୃଦସ୍ପନ୍ଦନ ବଢ଼ିଯାଇଛି, କାରଣ ଭାରତବର୍ଷର ଲୋକେ ଏବେ ତାଙ୍କ ସରକାରକୁ ପ୍ରଶ୍ନ ପଚାରୁଛନ୍ତି ଏବଂ ସେହି ଭାରତୀୟ ଜନତା ପାର୍ଟିର ଛବି ମଳିନ ପଡିଗଲାଣି । ଏହି ଆଶଙ୍କା ବୋଧେ ଶ୍ରୀ ଜାଭଡେ଼କରଙ୍କୁ ଘେରିଛି, ଯେଉଁଥିପାଇଁ ସେ ଏଭଳି ଉକ୍ତି ରଖିଛନ୍ତି ।

ଡ଼ ପାତ୍ର କହିଛନ୍ତି ଯେ,ନବୀନବାବୁ ଓଡ଼ିଶାବାସୀଙ୍କ ସହିତ ୧୭ବର୍ଷ ହେଲା ରହିଛନ୍ତି ଏବଂ ଆଗକୁ ମଧ୍ୟ ରହିବେ । କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର କେନ୍ଦ୍ର ସରକାର ଗରିବଙ୍କ ସହିତ ଅଛନ୍ତି ତ? ଓଡ଼ିଶା ପାଇଁ ବିକାଶର କେଉଁ ବାର୍ତ୍ତା କେନ୍ଦ୍ର ସରକାର ଗତ ୩ବର୍ଷ ମଧ୍ୟରେ ଦେଇଛନ୍ତି? ମହାନଦୀ ଓ ପୋଲାଭରମ୍‍ ପ୍ରସଂଗରେ କେନ୍ଦ୍ରର ଟାଳଟୁଳ ନୀତି ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଂଗରେ ଗୃହ କମିଟିକୁ ସମୟ ନଦେବା ଭାରତୀୟ ଜନତା ପାର୍ଟି ସରକାରଙ୍କର ଓଡ଼ିଶା ପ୍ରତି ଆନ୍ତରିକତା କେତେ ତାହା ପ୍ରମାଣିତ କରୁଛି । ଶ୍ରୀ ଜାଭଡେ଼କର ତୃଣମୂଳ ସ୍ତରର ସ୍ଥିତି ଓ ଲୋକଙ୍କ ମାନସିକତାକୁ ତର୍ଜମା ନକରି ଯେଉଁ ବାହାସ୍ପୋଟ ମାରୁଛନ୍ତି, ଏଥିରେ ତାଙ୍କର ଦଳୀୟ କର୍ମୀଙ୍କୁ ଆଶ୍ୱାସନା ଦେଇପାରନ୍ତି, କିନ୍ତୁ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।

ଶ୍ରୀ ଜାଭଡେ଼କର ବସ୍ତିବାସିନ୍ଦାଙ୍କ ସଂପର୍କରେ ଯେଉଁ ମିଥ୍ୟା ପ୍ରଚାର କରୁଛନ୍ତି, ତାହା ଆଦୌ ସତ୍ୟ ନୁହେଁ । ବସ୍ତିବାସିନ୍ଦାଙ୍କ ପାଇଁ ନବୀନ ପଟ୍ଟନାୟକ ସରକାର ସକାରାତ୍ମକ ଚିନ୍ତାଧାରା ସହିତ ସେମାନଙ୍କ ଜୀବନ ଜୀବିକାକୁ ଆହୁରି ଉନ୍ନତମାନର କରିବାକୁ ଚେଷ୍ଟା କରୁଛନ୍ତି । ଯେହେତୁ ଶ୍ରୀ ଜାଭଡେ଼କର ଜଣେ କେନ୍ଦ୍ରମନ୍ତ୍ରୀ, ସେ ସ୍ମାର୍ଟସିଟି ଗାଇଡ୍‍ଲାଇନ୍‍ ସହିତ ନିଶ୍ଚିତ ଅବଗତ ଥିବେ । ଭୁବନେଶ୍ୱରକୁ ଯେହେତୁ ନମ୍ବର-୧ ସ୍ମାର୍ଟସିଟିର ମାନ୍ୟତା ଦିଆଯାଇଛି, ତଦନୁଯାୟୀ ଆହୁରି ଉନ୍ନତଧରଣ ଜୀବନଯାପନ କରିବା ପାଇଁ ବସ୍ତିବାସିନ୍ଦାଙ୍କୁ ଘର ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉଛି । ଏସବୁ ତଥ୍ୟ ଶ୍ରୀ ଜାଭଡେ଼କର ଅବଗତ ଥିଲେ ମଧ୍ୟ ଏପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ପ୍ରଚାର କରି ବସ୍ତିବାସିନ୍ଦାଙ୍କୁ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ପାତ୍ର କହିଛନ୍ତି ।

0
0
0
s2sdefault