ହେଡଲାଇନସ୍:

ତେଲଦର ବେଲଗାମ୍-କେନ୍ଦ୍ର ସ୍ଥାଣୁ , ଆମେରିକାକୁ ଦୋଷ ଦେଇ ମନ୍ତ୍ରୀ ଚୁପ୍  : ବିଜେଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ପିଟୁଣି ଟିକସ' ବସାଇ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି କେନ୍ଦ୍ର ସରକାର 

ଆସନ୍ତା ୭ରୁ ବିଜେଡିର ୩ ଦିନିଆ ଆନ୍ଦୋଳନ 

ଭୁବନେଶ୍ୱର(KUMAR ABHISEKH) : କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରାଳୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଫଳ ଏବେ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଗତ କିଛି ମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ' ହୁ' ହୋଇ ବଢ଼ି ·ଲିଥିବା ବେଳେ ସରକାର ସ୍ଥାଣୁ ପାଲଟି ଯାଇଛନ୍ତି । ଦର ଉପରେ ଲଗାମ କଷିବା ପରିବର୍ତ୍ତେ ଖୋଦ୍ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମେରିକାକୁ ଦୋଷ ଦେଇ ଚୁପ୍ ବସି ପଡ଼ିଛନ୍ତି । ଭାରତବର୍ଷରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ସାଢେ଼ ୪ ବର୍ଷରେ ସର୍ବାଧିକ ଓ ଡିଜେଲ ମୂଲ୍ୟ ବୃଦ୍ଧି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଅପରପକ୍ଷେ ଲଗାତାର ତୈଳଦର ବୃଦ୍ଧି ଯୋଗୁଁ ଖାଦ୍ୟପେୟଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ମଧ୍ୟ ଅହେତୁକ ବୃଦ୍ଧି ଘଟୁଛି । ଗତକାଲି (ସୋମବାର) ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୮.୦୨ଟଙ୍କା ରହିଥିବା ବେଳେ ଡିଜେଲ ଦର ୭୬.୩୪ ଟଙ୍କାରେ ପହଞ୍ଚିଛି । ତେଣୁ ଏହାର ପ୍ରତିବାଦରେ ଚଳିତ ମାସ ୭, ୮ ଓ ୯ ତାରିଖ ୩ ଦିନ ଧରି ପର୍ଯ୍ୟାୟକ୍ରମେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବଡ଼ଧରଣର ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ । ପୂର୍ବାହ୍ନ ୧୦ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ  ସ୍ଥାନରେ ଅନୁଷ୍ଠିତ  ହେବ । ପ୍ରମୁଖ ଛାମୁଆ ସଂଗଠନ ମହିଳା, ଯୁବ ଓ ଛାତ୍ର ବିଜେଡିର ଆହ୍ୱାନକ୍ରମେ ଅନୁଷ୍ଠିତ  ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହି ଏହାକୁ ସଫଳ କରାଇବେ । 

ପେଟ୍ରୋଲ, ଡିଜେଲର ଲଗାତାର ଦରବୃଦ୍ଧି ପ୍ରଭାବରେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷପତ୍ରର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଗୃହିଣୀଠାରୁ ଆରମ୍ଭ କରି ଖଟିଖିଆ ଗରିବ ଲୋକ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଅତିଷ୍ଠ  ହୋଇପଡ଼ିଲେଣି । ସାଧାରଣ ଓ ଗରିବ ଲୋକଙ୍କ ସରକାର କହି ୨୦୧୪ରେ କ୍ଷମତାକୁ ଆସିଥିବା ବିଜେପି ଏବେ କେବଳ କର୍ପୋରେଟ୍ ଓ ପୁଞ୍ଜିବାଦୀଙ୍କ ହାତବାରିସି ସାଜିଛି । ପେଟ୍ରୋଲ, ଡିଜେଲ ଦରବୃଦ୍ଧି କରି ସେମାନଙ୍କୁ ଫାଇଦା ଦେଉଛି । କିନ୍ତୁ ଆସନ୍ତା ର୍ନିବାଚନରେ ଦେଶବାସୀ ବିଜେପିକୁ ଏହାର ସଠିକ୍ ଜବାବ ଦେବେ । 

୨୦୧୪ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୦୫ ଡଲାର ଥିବା ବେଳେ ଆଜିକା ଦିନରେ ଏହା ୭୦ ଡଲାରକୁ ଖସି ଆସିଛି । କିନ୍ତୁ ପେଟ୍ରୋଲ ଓ ଡିଜେଲ ଦର ଗତ ୫୫ ମାସରେ ଲଗାତାର ବୃଦ୍ଧି ପାଇ ·ଲିଛି । ଏହି ଦରବୃଦ୍ଧି ପଛରେ ଏକମାତ୍ର କାରଣ ହେଉଛି କେନ୍ଦ୍ର ସରକାରଙ୍କ ଲାଭଖୋର୍ ମନୋବୃତ୍ତି । ଜନସାଧାରଣଙ୍କ ଉପରେ "ପିଟୁଣି ଟିକସ' ବସାଇ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ଅପରପକ୍ଷେ ରାଜ୍ୟ ସରକାରଙ୍କୁ ଭ୍ୟାଟ୍ ହ୍ରାସ ପାଇଁ ପରାମର୍ଶ ଦେଉଛନ୍ତି । ଓଡ଼ିଶାରେ ତେଳ ଉପରେ ଭ୍ୟାଟ୍ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ରହିଛି । ୨୦୧୮ ମାର୍ଚରୁ ମହାରାଷ୍ଟ୍ରରେ ବିଜେପି ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତ ଭାଟ୍ ସହ ଲିଟର ପିଛା ୯ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରୁଛନ୍ତି । ଆସାମରେ ସରକାର ପେଟ୍ରୋଲ ଉପରେ ଭାଟ୍ ୩୨.୬୬ ପ୍ରତିଶତ ଥିବା ବେଳେ ରାଜସ୍ଥାନରେ ୩୦ ପ୍ରତିଶତ ଭାଟ୍ ସହ ପ୍ରତି ହଜାର ଲିଟର ପିଛା ୧୫ଶହ ଟଙ୍କା ରାସ୍ତା ଉନ୍ନତିକରଣ ସେସ୍ ନେଉଛନ୍ତି । ସେହି ତୁଳନାରେ ଓଡ଼ିଶାରେ କମ୍ ଭାଟ୍‍ ରହିଛି ।

ତେଲ ଦରବୃଦ୍ଧି ପଛରେ କେନ୍ଦ୍ର ସରକାରଙ୍କ "ଜିଜିଆ କର' ଏକମାତ୍ର କାରଣ । ସରକାର ଗତ ୪ ବର୍ଷ ଭିତରେ ୧୨ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବୃଦ୍ଧି କରି ପେଟ୍ରୋଲ ଉପରେ ପ୍ରାୟ ୧୦୦ ପ୍ରତିଶତ ଓ ଡିଜେଲ ଉପରେ ପ୍ରାୟ ୫୦୦ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛନ୍ତି । ୨୦୧୪ ପେଟ୍ରୋଲ ଉପରେ ଶୁଳ୍କ ଟ. ୯.୨୦ ପଇସା ଥିବା ବେଳେ ୨୦୧୮ରେ ଏହା ୧୯.୮୪ ପଇସା ହୋଇଛି । ସେହିଭଳି ୨୦୧୪ରେ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ୩.୪୬ ପଇସା ଥିବା ବେଳେ ଏବେ ଏହା ୧୫.୩୩ ପଇସାରେ ପହଞ୍ଚିଛି । ଉତ୍ପାଦ ଶୁଳ୍କ ବୃଦ୍ଧି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଳ ଦର ହ୍ରାସ ପାଇଥିବା ସତ୍ତେ୍ୱ୍ୱ ଦେଶରେ ତେଲ ଦର କମିବାର ନାଁ ନେଉନାହିଁ । ଉତ୍ପାଦ ଶୁଳ୍କ ବୃଦ୍ଧି କରି କେନ୍ଦ୍ର ସରକାର ଗତ ୪ ବର୍ଷରେ ୧୧ ଲକ୍ଷ କୋଟି ଟଙ୍କା ଆଦାୟ କରି ସାରିଲେଣି । ସରକାର ·ହିଁଥିଲେ ଏହି ଅର୍ଥ ରିହାତି ବାବଦରେ ବ୍ୟବହାର କରି ତେଲ ଦର ହ୍ରାସ କରିପାରିଥାନ୍ତେ । କିନ୍ତୁ ତାହା କଲେ ନାହିଁ ।                                            

ନିଜର ପ୍ର·ର ଓ ପ୍ରସାର ପାଇଁ ସେହି ଅର୍ଥ ଖର୍ଚ କଲେ । କେବଳ ଉତ୍ପାଦ ଶୁଳ୍କ ନୁହେଁ, କେନ୍ଦ୍ର ସରକାର ଆମଦାନୀ ହେଉଥିବା ଅଶୋଧିତ ତେଲ ଉପରେ ୨.୫ ପ୍ରତିଶତ ବହିଃଶୁଳ୍କ ଆଦାୟ କରୁଥିବା ବେଳେ ଟନ୍ ପିଛା ୫୦ ଟଙ୍କା ରାଷ୍ଟ୍ରୀୟ ଆକସ୍ମିକ ବିପର୍ଯ୍ୟୟ ଶୁଳ୍କ ବାବଦକୁ ନେଉଛନ୍ତି ।

                                 କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ

  ୨୦୧୪୨୦୧୮

ପେଟ୍ରୋଲ    ୯.୨୦ ୧୯.୪୮

ଡିଜେଲ            ୩.୪୬ ୧୫.୩୩

କେନ୍ଦ୍ର ସରକାରଙ୍କ ତେଳ କମ୍ପାନିମାନେ ପ୍ରତିବର୍ଷ ପାଖାପାଖି ୧୦ ବିଲିୟନ୍ ଡଲାରର ତୈଳ କ୍ରୟ କରନ୍ତି, ଯାହାକି ୭୦ ହଜାର କୋଟି । ତାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଏସାର ରୋଜେନପିଟ୍ କମ୍ପାନିଙ୍କଠାରୁ କ୍ରୟ କରାଯାଇଥାଏ । ଏଥିପାଇଁ କେନ୍ଦ୍ରୀୟ ତୈଳ କମ୍ପାନିମାନେ ଜାଣିଶୁଣି ତାଙ୍କର ଉତ୍ପାଦନ କ୍ଷମତାକୁ ହ୍ରାସ କରିଛନ୍ତି । ଏଭଳି ନିଷ୍ପତ୍ତି ଦ୍ୱାରା ବେସରକାରୀ କମ୍ପାନିମାନଙ୍କୁ ଅତ୍ୟଧିକ ଲାଭ ମିଳୁଛି । ଯେହେତୁ ଏହି ଦେୟ ଡଲାର ଆକାରରେ ପ୍ରଦାନ କରାଯାଉଛି, ତାହା ବେସରକାରୀ କମ୍ପାନିମାନଙ୍କ ପାଇଁ ଅଧିକ ଲାଭଜନକ ହେଉଛି । ବର୍ତ୍ତମାନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବା ବେଳେ ରିଲାଏନ୍ସ ଓ ଏସାର ଅହେତୁକ ଲାଭ ପାଉଛନ୍ତି ।

ସବୁଠାରୁ ବିଡମ୍ବନାର ବିଷୟ ଯେ, କେନ୍ଦ୍ର ସରକାର ବିଦେଶରେ ପେଟ୍ରୋଲ, ଡିଜେଲ ଶସ୍ତା ଦରରେ ବିକ୍ରି କରୁଥିବା ବେଳେ ଦେଶରେ ଅଧିକ ଦରରେ ବିକ୍ରି କରୁଛନ୍ତି । ଭାରତ ରିହାତି ଦରରେ ବିତଶାଳୀ ୨୯ଟି ଦେଶକୁ ଲିଟର ପିଛା ୩୭ ଟଙ୍କାରେ ଡିଜେଲ ରପ୍ତାନୀ କରୁଥିବା ବେଳେ ଅନ୍ୟ ୧୫ଟି ଦେଶକୁ ଲିଟର ପିଛା ୩୪ ଟଙ୍କାରେ ପେଟ୍ରୋଲ ରପ୍ତାନୀ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଅର୍ଥନୀତି କଣ ତାହାର ଜବାବ ମାଗୁଛି ବିଜୁ ଜନତା ଦଳ । 

ପଡୋଶୀ ଦେଶ ପାକିସ୍ତାନରେ ବର୍ତ୍ତମାନ ପେଟ୍ରୋଲ ମୂଲ୍ୟ ଟ.୫୦.୬୭ ପଇସା ଥିବାବେଳେ ଶ୍ରୀଲଙ୍କାରେ ଟ.୪୯.୬୭ ଏବଂ ନେପାଳରେ ଟ.୬୬.୬୯ ପଇସା ରହିଛି ।

ଖାଉଟିମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାର ଯେଉଁ ଅପରାଧ କରୁଛନ୍ତି, ତା' ବିରୋଧରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି । ତୈଳ ଦର ବୃଦ୍ଧିକୁ ବିଜୁ ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ନୀତିର ପର୍ଦାଫାସ କରି ଲୋକଙ୍କ ସାମ୍ନାରେ ବାସ୍ତବ ତଥ୍ୟ ଓ ସତ୍ୟ ଉପସ୍ଥାପନ କରାଯିବ । ତୈଳ କ୍ଷେତ୍ରରେ ଜାତ ରାଜସ୍ୱ ୨୦୧୩-୧୪ରେ ୮୮, ୬୦୦ କୋଟି ଟଙ୍କା ଥିବା ବେଳେ ଏହା ୨୮୫ ପ୍ରତିଶତ ବୃଦ୍ଧି ପାଇ ୨୦୧୬-୧୭ରେ ୨,୫୩,୨୫୪ କୋଟି ଟଙ୍କାରେ ପହଞ୍ଚିଥିଲା । କେନ୍ଦ୍ର ସରକାର ଏଭଳି ଟିକସ ଜାଲରେ ସାଧାରଣ ଖାଉଟିଙ୍କୁ ଫସାଇ ହନ୍ତସନ୍ତ କରୁଛନ୍ତି । ବୋଝ ଉପରେ କ୍ରମାଗତ ନଳିତା ବିଡ଼ା ଲଦି ·ଲିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେଡି ତୈଳଦରର ଯୁକ୍ତିଯୁକ୍ତ ତଥା ଖାଉଟି ସ୍ୱାର୍ଥ ଅନୁକୂଳ ଦର ଲାଗୁ ନହେଲା ପର୍ଯନ୍ତ ଆନ୍ଦୋଳନ  ଜାରି ରଖିବ ।

ରାଜ୍ୟର ସମସ୍ତ ପେଟ୍ରୋଲ/ଡିଜେଲ ପମ୍ପ ସମ୍ମୁଖରେ ବିଜୁ ଜନତା ଦଳର ତିନୋଟି ଛାମୁଆ ସଂଗଠନ ଛାତ୍ର, ଯୁବ ଓ ମହିଳା ବିଜେଡି ତରଫରୁ ଖାଉଟିଙ୍କୁ ସଚେତନ କରାଯିବ । ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମରେ ସଚେତନ ଯୁବକ, ଛାତ୍ର, ମହିଳା ଓ ବୁଦ୍ଧିଜୀବୀ ସାମିଲ ହେବାକୁ ଆମେ ନିବେଦନ କରୁଛୁ ।

0
0
0
s2sdefault