ହେଡଲାଇନସ୍:

ନିର୍ବାଚନ ରଣାଙ୍ଗନରେ ୩ ପ୍ରମୁଖ ରାଜନୈତିକ ଦଳ ; ପ୍ରାର୍ଥୀ ଚୟନ ପାଇଁ ଜୋରଦାର ଉଦ୍ୟମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବିଧାଜନକ ସ୍ଥିତିରେ ବିଜେଡି, ପ୍ରାର୍ଥୀ ଚୟନକୁ ନେଇ ଅଡୁଆରେ ବିଜେପି , କଂଗ୍ରେସର କଚ୍ଛପ ଗତି

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଡ଼ଙ୍ଗୀ :- ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ରଣାଙ୍ଗନରେ ତିନି ପ୍ରମୁଖ ରାଜନୈତିକ ଦଳକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ପଂଚାୟତ ନିର୍ବାଚନ ପାଇଁ ସବୁ ଦଳ କମର କଷିବା ଆରମ୍ଭ କରିଦେଇଛନ୍ତି | ଶାସକ ବିଜେଡି ପ୍ରାର୍ଥୀ ଚୟନରେ ଟିକେ ଆଗରେ ଥିବା ବେଲେ ବିଜେପି ବି ଖୁବ ଶୀଘ୍ର ତାହାର ପ୍ରାର୍ଥୀ ଚୟନ ଚୂଡାନ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି | ନିର୍ବାଚନ ମଣ୍ଡଳୀରେ ଏକ ପ୍ରକାର ଘୁମେଇ ପଡିଥିବା କଂଗ୍ରେସ ମଧ୍ୟ କୌଣସି ପ୍ରକାରେ ସବୁ ସ୍ଥାନରେ ନିଜ ପ୍ରାର୍ଥୀ ଦେବା ପାଇଁ କସରତ ଚଳାଇଛି |
ଏହା କହିବା ବାହୁଲ୍ୟ ଯେ ତିନି ପ୍ରମୁଖ ଦଳ ମଧ୍ୟରେ ବିଜେଡି ସୁବିଧାଜନକ ସ୍ଥିତିରେ ରହିଛି | ବିଜେଡ଼ି ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ, ବିକାଶମୁଖୀ, ଲୋକପ୍ରିୟ ଶାସନକୁ ଲୋକମାନଙ୍କ ପାଖରେ ପହଂଚାଇ ନିଜର ପଲ୍ଲା ଭାରି ରଖିଥିଲା ବେଳେ ବିଜେପି ପଂଚାୟତରେ ମଧ୍ୟ ସରକାର ବିରୋଧୀ ଆଭିମୁଖ୍ୟରେ ନିର୍ବାଚନ ବୈତରଣୀ ପାର ହବାକୁ ଆଶା ରଖିଛି | କେଉଁ ପ୍ରାର୍ଥୀ ଚୟନ କଲେ ଜିତିପାରିବ ତାହାକୁ ନେଇ ଅଡ଼ୁଆରେ ପଡ଼ିଥିବାର ଜଣାଯାଇଛି | କଂଗ୍ରେସର ସଂଗଠନ ଆପାତତଃ ନିଷ୍କ୍ରିୟ ହୋଇପଡିଛି ଓ ଦଳ ଭିତରେ ମଧ୍ୟ ଗୋଷ୍ଠୀ କନ୍ଦଳ ଲାଗି ରହିଛି ତେଣୁ ଦଳପାଇଁ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ କଷ୍ଟ ହେଲେ ବି ଯତ୍ପରୋନାସ୍ତି ଉଦ୍ୟମ ଜାରି ରହିଛି | ତେବେ ନିର୍ବାଚନ ତାରିଖ ଘାନା ହୋଇ ଆଚରଣବିଧି ଲାଗୁ ହେବ ପରେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ, ସମିତିସଭ୍ୟ , ସରପଂଚ, ୱାର୍ଡ ମେମ୍ବର ପଦବୀ ରେ ଉପଯୁକ୍ତ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜୋରଦାର ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ପାଥେୟ କରି ସ୍ଥାନୀୟ ବିଧାୟକ ତଥା ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିକାଶ କାର୍ଯ୍ୟକୁ ଆଖିଆଗରେ ରଖି ବିଜେଡି ସୁବିଧାଜନକ ସ୍ଥିତିରେ ଥିବା ଯୋଗୁ ନିଶ୍ଚିତ ବିଜୟ ଆଶାରେ ଗୋଟିଏ ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ଓ ପଂଚାୟତରେ ସରପଂଚ , ସମିତିସଭ୍ୟ ପଦ ପାଇଁ ଏକାଧିକ ପ୍ରାର୍ଥୀ ଆଶାୟୀ ରହିଥିବା ଦେଖାଯାଇଛି। ହେଲେ ସେମାନଙ୍କ ମଧ୍ୟରୁ ଯିଏ ପ୍ରକୃତରେ ଲୋକମାନଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି ବା ଆଗକୁ ବି କରିବେ ତାକୁ ମାପଦଣ୍ଡ ଭାବେ ନେଇ ମନ୍ତ୍ରୀ ପ୍ରତାପ ଜେନା ଉପଯୁକ୍ତ ପ୍ରାର୍ଥୀକୁ ସମର୍ଥନ ଦେଉଥିବା ଦେଖାଯାଇଛି । ଯାହାବି ହେଉ ମନ୍ତ୍ରୀ ଶ୍ରୀ ଜେନାଙ୍କ ବିକାଶରେ ସ୍ଥାନୀୟ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳରେ ବିଜେଡ଼ିର ପଲ୍ଲା ଭାରି ରହିଥିବାର ସାଧାରଣରେ କୁହାଯାଉଛି । ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୁରୁଣା ବିଜେପି ଦଳ ଓ ନୂଆ ବିଜେପି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ରହିଥିବାରୁ ନେତାମାନଙ୍କ ଭିତରେ ଆବଶ୍ୟକ ସହମତି ଅଭାବରୁ ବିଭିନ୍ନ ପଦବୀ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଛନ୍ତି | ତେଣୁ ପ୍ରାର୍ଥୀ ଚୂଡାନ୍ତ କରିବା କଷ୍ଟକର ହେଥିଲେ ମଧ୍ୟ ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ବିଭିନ୍ନ ପ୍ରକ୍ରିୟାରେ ଅଧିକ ଜନ ସମର୍ଥନ ଥିବା ପ୍ରାର୍ଥୀମାନଙ୍କୁ ଚୟନ କରି ଘୋଷଣା କରୁଥିବାର ଜଣାଯାଇଛି ।
ସେହିପରି କଂଗ୍ରେସର ସ୍ଥିତି ମଜବୁତ ନଥିବାରୁ ଦଳୀୟ ପ୍ରାର୍ଥୀ ହୋଇ ପରାଜୟ ବରଣ କରିବାକୁ ଆଗ ଧାଡିର କେତେକ କଂଗ୍ରେସ କର୍ମୀ ପସନ୍ଦ କରୁନଥିବା ଜଣାଯାଇଛି । ତଥାବି କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ପଂଚାୟତ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଉପଯୁକ୍ତ ପ୍ରାର୍ଥୀ ଖୋଜାଚାଲିଛି । ଆସନ୍ତା ୧୭ତାରିଖ ଠାରୁ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରାଯିବାର ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଅଦ୍ୟାବଧି ଏହି ବ୍ଲକରେ କଂଗ୍ରେସ ପକ୍ଷରୁ କୌଣସି ଆଶାୟୀ ପ୍ରାର୍ଥୀ ଥିବା ଜଣାପଡୁନାହାନ୍ତି । ତେବେ ୧୬ ତାରିଖ ମଧ୍ୟରେ ବିଜେପି , ବିଜେଡି ଓ କଂଗ୍ରେସ ଦଳର ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆଗାମୀ ପଂଚାୟତ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ହିଁ ତିନି ଦଳ ପାଇଁ ମୁଖ୍ୟ ଦାୟିତ୍ୱ ହୋଇପଡ଼ିଛି ।

0
0
0
s2sdefault