ହେଡଲାଇନସ୍:

ମହାନଦୀର ସୁରକ୍ଷା ପାଇଁ ମହା ଅଭିଯାନ, ଶୁଭାରମ୍ଭ କରିବେ ନବୀନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ମହାନଦୀର ପ୍ରବେଶ ସ୍ଥଳରୁ ପାରାଦୀପ ପର୍ଯ୍ୟନ୍ତ ହେବ ଅଭିଯାନ

02-05-18-bjd1.jpg - 54.12 kB
ଭୁବନେଶ୍ୱର,(ଚକ୍ରଧର ମାଝି:) ମହାନଦୀର ମହାସଂକଟ ଏ ପର୍ଯ୍ୟନ୍ତ ଟଳିନାହିଁ । ତେଣୁ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତିର ମହାସଂଗ୍ରାମ ଅବ୍ୟାହତ ରହିଛି । ଏହାର ପ୍ରଥମ ପର୍ଯ୍ୟାୟ ଆନେ୍ଦାଳନ ପରେ ଗତମାସ ୨୨ ତାରିଖ ଦିନ ବିଜୁ ଜନତା ଦଳ ତରଫରୁ ମହାନଦୀ ସଂକଟ ସଂପର୍କିତ କର୍ମଶାଳାରେ ଦଳର ସଭାପତି  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ମହାନଦୀ ସଂକଟ ପାଇଁ ଓଡ଼ିଶାବାସୀ ଦ୍ୱିତୀୟ ପର୍ଯ୍ୟାୟ ଆନେ୍ଦାଳନ ଆରମ୍ଭ କରିବେ ଏବଂ ବିଜୁ ଜନତା ଦଳ ଏହାର ନେତୃତ୍ୱ ନେବ । ରାଜ୍ୟ ସରକାର ଆଇନ୍‍ଗତ ଲଢେ଼ଇ ଲଢ଼ୁଥିବା ବେଳେ ଓଡ଼ିଶାର ଜନସାଧାରଣ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଲଢେ଼ଇ ଲଢ଼ୁଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ଆନେ୍ଦାଳନର ପ୍ରସ୍ତୁତି ଏବଂ ରୂପରେଖ ତିଆରି କରିବା ପାଇଁ ଗତକାଲି ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ବିଜୁ ଜନତା ଦଳର ସମସ୍ତ ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଛାମୁଆଁ ସଂଗଠନର କର୍ମକର୍ତ୍ତାମାନଙ୍କର ଏକ ମିଳିତ ବୈଠକ ଅନୁଷ୍ଠିତ  ହୋଇ ବିସ୍ତୃତ ଆଲୋଚନା ଓ ବିଚାରବିମର୍ଶ କରାଯାଇଛି । ଚଳିତମାସ ଏକ ବ୍ୟାପକ ଜନଜାଗରଣ ପାଇଁ ବିଜୁ ଜନତା ଦଳ ନେତୃତ୍ୱରେ ‘ମହାନଦୀ ସୁରକ୍ଷା ଅଭିଯାନ’ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଓଡ଼ିଶାରେ ମହାନଦୀ ପ୍ରବେଶ କରିଥିବା ସ୍ଥଳରୁ ମହାନଦୀର ଉଭୟ ପାଶ୍ୱର୍ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ବିଶାଳ ଜନସଚେତନତା ଯାତ୍ରା ଆରମ୍ଭ ହୋଇ ପାରାଦୀପ ଠାରେ ଏହାର ସମାପନ ହେବ । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ କୃଷକ, ମତ୍ସ୍ୟଜୀବୀ, ଛାତ୍ର, ଯୁବକ, ମହିଳା ଓ ସମାଜର ଅନ୍ୟ ସବୁ ବର୍ଗର ଜନସାଧାରଣ ଅଂଶଗ୍ରହଣ କରିବେ । ଏହି ଜନଜାଗରଣ ଅଭିଯାନ ସମୟରେ ରାସ୍ତାରେ ପଡୁଥିବା ଗ୍ରାମ ଓ ସହରର ସବୁ ସ୍ଥାନରେ ସାଧାରଣ ସଭା, ପଥପ୍ରାନ୍ତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମହାନଦୀ ସଂକଟର ପ୍ରକୃତ ଚିତ୍ର ଉପସ୍ଥାପନ କରାଯିବ । ଏହାସହ ବିପୁଳ ସଂଖ୍ୟାରେ ପୁସ୍ତିକା, ପ୍ରଚାରପତ୍ର ଜରିଆରେ ଓଡ଼ିଶାରେ ମହାନଦୀକୁ ବିଲୀନ କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରର ପର୍ଦ୍ଧାଫାସ୍‍ କରାଯିବା ସହିତ ଏହି ସଂକଟର ଭୟାବହତା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ । ଉକ୍ତ ସୁରକ୍ଷା ଅଭିଯାନ ମହାନଦୀ ତଟବର୍ତ୍ତୀ ଏବଂ ମହାନଦୀ ଦ୍ୱାରା ପ୍ରଭାବିତ ହେଉଥିବା ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନ ମଣ୍ଡଳୀର ବ୍ଲକ ଓ ନଗରାଞ୍ଚଳ ମଧ୍ୟ ଦେଇ ଯିବ । ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳମାନଙ୍କରୁ ମଧ୍ୟ ଜନସାଧାରଣ ଏହି ସୁରକ୍ଷା ଅଭିଯାନରେ ସାମିଲ ହେବେ । କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ସପ୍ତାହକ ମଧ୍ୟରେ ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚଳିିତ ମାସ ୧୬ ତାରିଖ ପୂର୍ବାହ୍ଣ ୧୦ଟା ସମୟରେ ଉଭୟ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ଏହି ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିବେ ଏବଂ ପାରାଦୀପ ଠାରେ ସମାପନ ସମାବେଶରେ ଯୋଗଦେବେ । ମହାନଦୀର ସୁରକ୍ଷା ପାଇଁ ଏହି ମହା ଅଭିଯାନରେ ସାମିଲ ହେବା ଲାଗି ଓଡ଼ିଶାର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ ଗୋଷ୍ଠୀ ଏବଂ ସର୍ବୋପରି ଓଡ଼ିଶାର ସମଗ୍ର ଜନସାଧାରଣ ସକ୍ରିୟ ଭାବେ ସାମିଲ ହେବା ପାଇଁ ବିଜୁ ଜନତା ଦଳ ନିବେଦନ କରୁଛି ବୋଲି ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

0
0
0
s2sdefault