ହେଡଲାଇନସ୍:

ନସିରୁଦ୍ଧିନ ଶାହଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ନସିରୁଦ୍ଧିନ ଶାହଙ୍କୁ ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର ପ୍ରଦାନ କରାଯାଇଛି । ସଂଗୀତ କଳାକେନ୍ଦ୍ର ପୁରସ୍କାର ଭର୍ଚୁଆଲ ଉତ୍ସବରେ ସଂଗୀତ କଳାକେନ୍ଦ୍ରର ସଭାପତି ଶ୍ରୀମତୀ ରାଜଶ୍ରୀ ବିର୍ଲା ଏହି ପୁରସ୍କାର ପାଇଁ ନସିରୁଦ୍ଧିନଙ୍କ ନାମ ଘୋଷଣା କରିଥିଲେ । ଏଥିସହିତ ଚଳଚ୍ଚିତ୍ର ଓ ଥିଏଟର ଜଗତର ଦୁଇ ଉଦୀୟମାନ କଳାକାଳ ନିଲ୍‍ ଚୌଧୁରୀ  ଏବଂ ଇରାୱତୀ କାର୍ନିକଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳାକିରଣ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଭର୍ଚୁଆଲ ଉତ୍ସବରେ ବିଶିଷ୍ଟ ଉଦ୍ୟୋଗପତି ଶ୍ରୀ କୁମାର ମଙ୍ଗଳମ୍‍ ବିର୍ଲା, ଶ୍ରୀମତୀ ନିରଜା ବିର୍ଲା ଏବଂ ଆଦିତ୍ୟ ବିର୍ଲା ପରିବାରର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ । 

ଉତ୍ସବରେ ଉଦ୍ବୋଧନ  ଦେଇ ସଂଗୀତ କଳା କେନ୍ଦ୍ରର ସଭାପତି ଶ୍ରୀମତୀ ରାଜଶ୍ରୀ ବିର୍ଲା କହିଲେ, “ଆମର ପ୍ରତିଷ୍ଠାତା  ସଭାପତି ଶ୍ରୀ ଆଦିତ୍ୟ ବିକ୍ରମ ବିର୍ଲାଙ୍କର ଉତ୍ସାହ ଏବଂ ପ୍ରଦର୍ଶନ କଳା ପ୍ରତି ତାଙ୍କର ରହିଥିବା ଭଲପାଇବାକୁ ନେଇ ଆଜି ଆମେ ଗର୍ବିତ । ଆପଣମାନେ ଜାଣନ୍ତି ଯେ ଆଦିତ୍ୟଜୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ ସ୍ୱରୂପ ୧୯୯୬ରେ ‘ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର’ ଏବଂ ‘ଆଦିତ୍ୟ ବିକ୍ରମ ବିର୍ଲା କଳାକିରଣ ପୁରସ୍କାର’ ଗଠନ କରାଯାଇଥିଲା,ଏବଂ ଏହା ଜରିଆରେ ଏ କ୍ଷେତ୍ରରେ ଅନନ୍ୟ ପ୍ରତିଭାଧରଙ୍କ ପାଇଁ ଏକକ ସ୍ୱୀକୃତି ଆକାରରେ ଏକ ପ୍ରଭାବୀ ମାର୍ଗ ପ୍ରସ୍ତୁତ କରାଯାଉଛି ।”

ସେ କହିଲେ ଯେ, “ଚଳିତ ବର୍ଷର ପୁରସ୍କାର ନିମନ୍ତେ ଥିଏଟର ମୁଖ୍ୟ ବିଷୟବସ୍ତୁ ରହିଛି । ଆଦିତ୍ୟଜୀଙ୍କର ଥିଏଟର ପ୍ରତି ଥିବା ଭଲପାଇବା ଏବଂ ସଂଗୀତ କଳାକେନ୍ଦ୍ର ବ୍ୟାନରରେ ଦୁଇଟି ନାଟକ ‘ପ୍ରକଟ ଭୟେ ନନ୍ଦଲାଲା’ ଏବଂ ‘କାୟା କଳ୍ପ’ରେ ତାଙ୍କର ଜଣେ ଅଭିନେତା ଭାବରେ ତାଙ୍କର ମୁଖ୍ୟ ଭୂମିକା ସମ୍ପର୍କରେ ଆପଣମାନଙ୍କ ମଧ୍ୟରୁ ଖୁବ କମ୍‍ ହୁଏତ ମନେରଖିଥିବେ । ବ୍ୟକ୍ତିଗତ ଭାବରେ ଆଦିତ୍ୟଜୀ ଏବଂ ମୁଁ ନାଟକ ଓ ଚଳଚ୍ଚିତ୍ର ଦେଖିବାକୁ ଭଲପାଉ । ଏକାଧିକ ରବିବାର ସନ୍ଧ୍ୟା ଆମର ଏହିଭଳି ବିତେ । ଆମର ପସନ୍ଦର ଅଭିନେତାମାନଙ୍କ ମଧ୍ୟରେ ନସିରୁଦ୍ଧିନ ଶାହ ଅନ୍ୟତମ, ଯାହାଙ୍କ ଅଭିନୟକୁ ଆମେ ଥିଏଟର ଏବଂ ପରଦାରେ ଦେଖୁ । ନସିରୁଦ୍ଧିନଜୀ ଆପଣଙ୍କୁ ଆମ ଗହଣରେ ପାଇ ଆମେ ଅତ୍ୟନ୍ତ ଆନନ୍ଦିତ ।”

ସଂଗୀତ କଳାକେନ୍ଦ୍ରର ସଭାପତି ଶ୍ରୀମତୀ ରାଜଶ୍ରୀ ବିର୍ଲା ନସିରୁଦ୍ଧିନ ଶାହଙ୍କର ଯାଜ୍ଜୁଲ୍ୟମାନ କ୍ୟାରିୟରକୁ ଭୂୟସୀ ପ୍ରଶଂସା କରିବା ସହିତ କହିଥିଲେ, “ଶ୍ରୀ ନସିରୁଦ୍ଧିନ ଶାହ, ଯାହାଙ୍କୁ ଆଜି କଳାଶିଖର ପୁରସ୍କାର ପ୍ରଦାନ କରାଯାଉଛି, ସେ ଜଣେ ପ୍ରତିଷ୍ଠିତ ଅଭିନେତା । ୪୦ବର୍ଷରୁ ଅଧିକ କାଳ ଧରି ସେ ଉଭୟ ପରଦା ଓ ଥିଏଟରରେ ସଫଳ ଅଭିନୟ କରିଆସିଛନ୍ତି । ଚଳଚ୍ଚିତ୍ର ଓ ଥିଏଟରରେ ତାଙ୍କର ଭୂମିକା ଏବେ ମଧ୍ୟ ଜାରିରହିଛି ଏବଂ ଆମେ ତାଙ୍କୁ ଅତ୍ୟନ୍ତ ଚାଲେଞ୍ଜିଂ ଭୂମିକାଗୁଡିକୁ ଅତି ସହଜରେ ନିର୍ବାହ କରୁଥିବା ଏବଂ ଚରିତ୍ରର ଅଭ୍ୟନ୍ତରକୁ ସେ ପ୍ରବେଶ କରି ନିଜ ଅଭିନୟ କଳାକୌଶଳ  ପ୍ରଦର୍ଶନ କରୁଥିବା ଆମେ ଲକ୍ଷ୍ୟକରୁ । ନସରୁଦ୍ଧିନଜୀ ଆପଣ ଏହି ପୁରସ୍କାର ଗ୍ରହଣ କରିବାକୁ ଏଠାରେ ଉପସ୍ଥିତ ରହିବା, ବାସ୍ତବରେ ସଂଗୀତ କଳାକେନ୍ଦ୍ରରେ ଆମମାନଙ୍କ ପାଇଁ ଏକ ଅବିସ୍ମରଣୀୟ ମୁହୂର୍ତ୍ତ । ଆମେ ଆପଣଙ୍କୁ ସମ୍ମାନ ଜଣାଉଛୁ ଏବଂ ଆପଣଙ୍କୁ ପ୍ରଶଂସା କରୁଛୁ ।”

ଏହି ଅବସରରେ ଶ୍ରୀମତୀ ରାଜଶ୍ରୀ ବିର୍ଲା ପଣ୍ଡିତ ଜଶରାଜଙ୍କ ସ୍ମୃତିଚାରଣ କରି କହିଥିଲେ, “ଆଜିର ଏହି ଅବସରରେ ଆମ ପରିବାର ଏବଂ ସଂଗୀତ କଳାକେନ୍ଦ୍ର ସହିତ ଅତ୍ୟନ୍ତ ଘନିଷ୍ଠ  ଭାବେ ଜଡିତ ରହିଥିବା ପଣ୍ଡିତ ଜଶରାଜଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ସ୍ୱରୂପ ଦୁଇପଦ କହିବାକୁ ଚାହିଁବି । ବିଶ୍ୱ ଦରବାରେ ଶାସ୍ତ୍ରୀୟ ଏବଂ ଆଧ୍ୟାତ୍ମିକ ସଂଗୀତ ଜଗତରେ ପଣ୍ଡିତ ଜଶରାଜଙ୍କ ଛବି ଯାଜ୍ଜୁଲ୍ୟମାନ ହୋଇ ରହିଛି । ଏହି କ୍ଷେତ୍ରରେ ସେ ଜଣେ ଅଦମନୀୟ, ଅତୁଳନୀୟ ବାର୍ତ୍ତାବହ ଥିଲେ । ତେଣୁ ଯଥାର୍ଥରେ ‘ଇଣ୍ଡିଆନ ଆଷ୍ଟେ୍ରାନଟିକାଲ ୟୁନିୟନ’ ଏକ ନକ୍ଷତ୍ରକୁ ପଣ୍ଡିତ ଜଶରାଜଙ୍କ ନାମରେ ନାମିତ କରିଛନ୍ତି, ତାହା ଏକ ଜୀବନ ପାଇଁ କରାଯାଇଛି ଯାହା ସଂଗୀତ ପ୍ରତି ଉତ୍ସର୍ଗୀକୃତ ଥିଲା ଏବଂ ତାହା ଆପଣମାନେ ଏହି ଭିଡିଓରେ ଦେଖିପାରୁଛନ୍ତି । ଏଥିସହିତ ପଣ୍ଡିଜୀ ପ୍ରଥମ ବିଶ୍ୱ ଭାରତୀୟ ଭାବେ ମୋଜାର୍ଟ, ବିଥୋଭେନ ଏବଂ ପାଭାରୋଟ୍ଟିଙ୍କ ଭଳି ଅମର ସଂଗୀତ ସାଧକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ପଣ୍ଡିତଜୀଙ୍କ ପାଇଁ ଆମେ ଅତ୍ୟନ୍ତ ଗର୍ବିତ ।”

ଶ୍ରୀମତୀ ବିର୍ଲା ଉଦୀୟମାନ ଅଭିନେତା ନିଲ୍‍ ଚୌଧୁରୀ  ଏବଂ ଇରାୱତୀ କାର୍ନିକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅତ୍ୟନ୍ତ ଆନନ୍ଦର ସହିତ ସେ ପୁଣି କହିଲେ, “ଅନେକ ସମୟରେ ମୁଁ ନୃତ୍ୟ ହେଉ ଅଥବା ଶାସ୍ତ୍ରୀୟ ସଂଗୀତ, ଚିତ୍ରକଳା ଆଦି ପ୍ରଦର୍ଶନ କଳାର ବିଭିନ୍ନ କ୍ଷେତ୍ରର ପ୍ରତିଭାମାନଙ୍କୁ ଭେଟେ । ସେମାନେ ସ୍ୱୀକାର କରନ୍ତି ଯେ ‘ଆଦିତ୍ୟ ବିକ୍ରମ ବିର୍ଲା କଳା କିରଣ ପୁରସ୍କାର’ ପାଇବା ଏକ ସ୍ୱପ୍ନ ସାକାର ହେବାଭଳି । ଏହା ଆମକୁ ଆନନ୍ଦ ଓ ଗର୍ବ ଆଣିଦେଉଛି । ମୁଁ ନିଶ୍ଚିତ ଯେ ଆପଣମାନେ ମଧ୍ୟ ସେହିଭଳି ଅନୁଭବ କରୁଥିବେ । ବର୍ଷ ବର୍ଷ ଧରି ଦକ୍ଷ ବିଚାରକମଣ୍ଡଳୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରୁଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ମୂଲ୍ୟାୟନ ପ୍ରକ୍ରିୟାରେ ସେମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ସେମାନେ ଅତ୍ୟନ୍ତ ସଚ୍ଚୋଟତା ଏବଂ ବିଦ୍ୱତାର ସହିତ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି । ଚଳିତ ବର୍ଷ ଆମର ସମ୍ମାନାସ୍ପଦ ବିଚାରକମଣ୍ଡଳୀରେ ନାଦିରା ବବ୍‍ବର, ସଞ୍ଜନା କପୁର, ଆକାଶ ଖୁରାନା, ସୁନିଲ ଶାନବାଗ୍‍ ଏବଂ ଛାୟା ଗାଙ୍ଗୁଲି ରହିଥିଲେ । “

ବିଚାରକମଣ୍ଡଳୀ ଏବଂ ସଂଗୀତ କଳାକେନ୍ଦ୍ରର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ସେ ନିଜର ବକ୍ତବ୍ୟ ଶେଷ କରିଥିଲେ । ଏହି ଅବସରରେ ଶାନ୍‍ ଏବଂ ନୀତି ମୋହନ ସେମାନଙ୍କର ସଂଗୀତ ପରିବେଷଣ କରିଥିଲେ । ଏହା ବାସ୍ତବରେ ଏକ ଉତ୍ସବମୁଖର, ଆନନ୍ଦମୟ ଏବଂ ସମୃଦ୍ଧ ଜ୍ଞାନ ଆହରଣର ସନ୍ଧ୍ୟା ଥିଲା ।

 

0
0
0
s2sdefault