ହେଡଲାଇନସ୍:

ଦ୍ଵିତୀୟ ଶ୍ରୀକ୍ଷେତ୍ର ପ୍ରତିଷ୍ଠା ପଛରେ ରହିଛି ସୁନ୍ଦର କିମ୍ବଦନ୍ତୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା :ପବିତ୍ର ଶ୍ରୀପଞ୍ଚମୀ ତିଥିରେ ମହାପ୍ରଭୂଙ୍କ ରଥକାଠ ଅନୁକୂଳ ହେଲା 

   ବାରିପଦା(ଦିଲ୍ଲୀପ ମହାନ୍ତି )- ପବିତ୍ର ଶ୍ରୀପଞ୍ଚମୀ ତିଥିରେ ଦ୍ୱତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ରଥ କାଠ ଅନୁକୂଳ କରାଯାଇଛି । ବଡ଼ଜଗନ୍ନାଥଙ୍କ ଆଜ୍ଞା ନେଇ ବାରିପଦା ବନଖଣ୍ଡ ଅଧୀନରେ ଥିବା ଜ୍ୟୋତିପୁର ସଂରକ୍ଷିତ ଜଙ୍ଗଲରୁ ଜଙ୍ଗଲ ସୁରକ୍ଷା କମିଟି ଉପସ୍ଥିତିରେ ରଥ ମହାପାତ୍ର ମୃତ୍ୟୁଞ୍ଜୟ  ମହାପାତ୍ରଙ୍କ ନେତୃତ୍ୱରେ ହରିଶ୍ଚନ୍ଦ୍ର ମହାରଣା, ରବୀନ୍ଦ୍ର ମହାରଣା, ଗିରିଶ ଚନ୍ଦ୍ର ମହାରଣା, କ୍ଷିତିଶଚନ୍ଦ୍ର ମହାରଣା ଓ ହରିହର ମହାରଣା ପ୍ରମୁଖ ୫ ଜଣ ମହାରଣାଙ୍କ ସମେତ ୧୨ ଜଣ ବାର୍ଚ୍ଛିଆ ଓ ସଂକୀର୍ତନ  ମଣ୍ଡଳୀ ଏହି ରଥକାଠ ଅନୁକୂଳରେ ସାମିଲ ହୋଇଥିଲେ । ଅଧିକାରୀଙ୍କ ଅନୁମତି କ୍ରମେ ଆଜି ଜ୍ୟୋତିପୁର ସଂରକ୍ଷିତ ଜଙ୍ଗଲରୁ ଚିହ୍ନଟ କରାଯାଇଥିବା ଏକ ଶାଳଗଛକୁ ପରମ୍ପରା ତଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ କଟାଯାଇଥିଲା ୨୪ ଫୁଟ ଓ ୧୮ ଫୁଟରେ ବିଭକ୍ତ କରାଯାଇଥିଲା । ୨୪ ଫୁଟ କାଠ  ମହାପ୍ରଭୂ ଶ୍ରୀଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦାଙ୍କ ରଥର ୧୮ ନାଇକା ଓ ୧୮ ଫୁଟ କାଠ ସାନ ମହାପ୍ରଭୂଙ୍କ ରଥ ଚକରେ ଅଖ ଭାବେ ଲଗାଯିବ ବୋଲି ରଥ ମହାପାତ୍ର କହିଛନ୍ତି । ସୂଚନା ଯୋଗ୍ୟଯେ, ବାରିପଦା ମନ୍ଦିରରେ ମହାପ୍ରଭୂ ଚତୁର୍ଦ୍ଧା ମୂର୍ତ୍ତି ଧାରଣ ପୂର୍ବକ ପୀଠାସୀନ ହୋଇ ଶ୍ରୀଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦା ନାମରେ ପୂଜା ପାଇ ଆସୁଛନ୍ତି । ମହାପ୍ରଭୂଙ୍କ ମନ୍ଦିରର ନିର୍ମାଣ ପଛରେ ରହିଥିବା  କିମ୍ବଦନ୍ତୀଗୁଡ଼ିକ ମଧ୍ୟରୁ ସର୍ବାଧିକ ଗ୍ରହଣୀୟ ଲୋକ କଥାଟି ହେଲା,  ମୟୂରଭଞ୍ଜ  ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟନାଥ ଭଞ୍ଜ ରାଜ୍ୟର ଶାସନ ଭାର ଗ୍ରହଣ କରିବା ପୂର୍ବରୁ ଈଷ୍ଟଦେବ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ ମନସ୍ଥ କରି ସୈନ୍ୟସାମନ୍ତ ପରିବେଷ୍ଟିତ ରାଜକୀୟ ସମବିଭ୍ୟାହାରରେ ଶ୍ରୀକ୍ଷେତ୍ରକୁ ଯାତ୍ରା କରି ପୁରୀ ଉପକଣ୍ଠ ଅଠରନଳା ନିକଟରେ ପହଞ୍ଚି ରାତ୍ରି ବିଶ୍ରାମ ନେଉଥିବା ଅବସରରେ ପୁରୀ ଗଜପତିଙ୍କ ସୀମାନ୍ତ ରକ୍ଷୀ ମହାରାଜା ବୈଦ୍ୟନାଥ ଭଞ୍ଜ ସୈନ୍ୟସାମନ୍ତ ଧରି ପୁରୀ ସହର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଗଜପତି ମୁକୁନ୍ଦ ଦେବଙ୍କ ନିର୍ଦ୍ଦେଶ  ରହିଥିବାର ସନ୍ଦେଶ ପହଞ୍ଚାଇ ଥିଲେ ଏବଂ ମହାରାଜା ଇଚ୍ଛାକଲେ ସାଧା ପୋଷାକରେ ନିଜେ ଯାଇ ମହାପ୍ରଭୂଙ୍କୁ ଦର୍ଶନ କରି ଆସି ପାରିବେ ବୋଲି ଗଜପତିଙ୍କର ବାର୍ତ୍ତା ଜଣାଇ ଦେଇଥିଲେ । ଏହା ସ୍ୱାଭିମାନୀ ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ହୃଦୟକୁ ବ୍ୟଥିତ କରାଇବା ସହିତ ତାଙ୍କର ପଦମର୍ଯ୍ୟାଦା ପ୍ରତି ଘୋର ଅପମାନ ଥିଲା । ତେଣୁ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନକରି ସେହିଠାରୁ ନିଜ ଗଡ଼କୁ ଫେରି ଆସିବାର ନିଷ୍ପତ୍ତି ନେଇ ନିଜ ଅନ୍ତରର ଗଭୀର ଦୁଃଖ , କ୍ଷୋଭ ଓ ନୈରାଶ୍ୟ ଭାବ ମହାପ୍ରଭୂଙ୍କୁ ଜଣାଇଥିଲେ । ନିଜ ଭକ୍ତର ବେଦନାକୁ ସହ୍ୟ କରି ନପାରି ସେହି ଫେରନ୍ତା ରାତ୍ରିରେ ମହାପ୍ରଭୂ ଶ୍ରୀଜଗନ୍ନାଥ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କୁ ଦର୍ଶନ ଦେଇ “ତୁ ମୋର ପୂଜା ଅଧିକାର ପାଇଛୁ, ଏଠାରୁ ଫେରି ନିଜ ଗଡ଼ରେ ମୋର ମନ୍ଦିର ନିର୍ମାଣ କରିବା ସହିତ ଚତୁର୍ଦ୍ଧା ମୂର୍ତ୍ତି ପ୍ରତିଷ୍ଠା  କରିବାକୁ  ଏବଂ ସେହି ମନ୍ଦିରରେ ଦୈନିକ କିଛି ସମୟ ପାଇଁ ବିରାଜମାନ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏଥି ସହିତ ଏହି ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ସର୍ବଜନ ବିଦିତ ହେବ” ବୋଲି ସ୍ୱପ୍ନାଦେଶ ଦେଇଥିଲେ । ଜନଶ୍ରୁତି ଅନୁସାରେ – ମହାରାଜା ବୈଦ୍ୟନାଥ ଭଞ୍ଜ ଅଭିମାନଭରା ହୃଦୟରେ ପୁରୀରୁ ଫେରି ଆସିବା ପରେ ପୁରୀ ଗଜପତି ନିଜର ଭୂଲ ବୁଝିପାରିବା ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାରା ସ୍ୱପ୍ନାବିଷ୍ଟ ହୋଇ ବାରିପଦାଠାରେ ପୁରୀ ଶ୍ରୀମନ୍ଦିର ଭଳି ମନ୍ଦିର ନିର୍ମାଣ ନିମନ୍ତେ ସମସ୍ତ ନକ୍ସା, ସୁଦକ୍ଷ କାରିଗର ଓ ମିସ୍ତ୍ରୀ ପଠାଇବା ସହିତ ମନ୍ଦିରର ନୀତି ନିୟମ ସମ୍ବନ୍ଧରେ ସମସ୍ତ ତଥ୍ୟ ଓ ପରାମର୍ଶ ଯୋଗାଇ ଦେଇଥିଲେ । ତେଣୁ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରର ରୀତିନୀତି ଓ ନିୟମ ଅନୁସାରେ ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥିରେ ପୁରୀରେ ମହାପ୍ରଭୂଙ୍କ ରଥକାଠ ସହିତ ଶ୍ରୀଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ବାରିପଦାଙ୍କ ମନ୍ଦିରରେ ମଧ୍ୟ ରଥକାଠ ଅନୁକୂଳ ହୋଇଥିଲା । 

 

 

0
0
0
s2sdefault