ହେଡଲାଇନସ୍:

ପଙ୍ଗଲ ପାଇଁ ପାରଳାଖେମୁଣ୍ଡି ଚଳଚଞ୍ଚଳ ଓ ଉତ୍ସବ ମୁଖର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ସମେତ ସମସ୍ତ ପୁରପଲ୍ଲୀ ପଙ୍ଗଲ ତଥା ମକରସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ତଥା ଉତ୍ସବ ମୁଖର ହୋଇପଡିଛି । ମୁଖ୍ୟତଃ ମକରସଂକ୍ରାନ୍ତି ଅବସରରେ ଦକ୍ଷିଣ ଓଡିଶାର ତେଲୁଗୁ ସମ୍ପ୍ରଦାୟର ଲୋକମାନଙ୍କ ପଙ୍ଗଲ ପର୍ବ ଏକ ମୁଖ୍ୟ ଗଣପର୍ବ ଭାବେ ପରିଚିତ । ଏହି ପର୍ବ ସେମାନେ ତିନିଦିନ ଧରି ପାଳିଥାନ୍ତି । ଏଥିପାଇଁ ସେମାନଙ୍କ ଦୁରଦୁରାନ୍ତରରେ ରହୁଥିବା ନିଜ ଲୋକ ଓ ବନ୍ଧୁବାନ୍ଧବ ସମ୍ପର୍କୀୟ ମାନେ ଏହି ଦିନରେ ଛୁଟି କରି ଘରକୁ ଆସି ଭିଡ ଜମାଇଥାନ୍ତି । ଏହି ପଙ୍ଗଲ ପର୍ବ ତେଲୁଗୁ ଭାଷା ଭାଷୀଙ୍କ ଏକ ମୁଖ୍ୟ ପର୍ବ । ଏହି ପର୍ବକୁ ସେମାନେ ନବବର୍ଷ ଭଳିଆ  ମାନି ଅତ୍ୟନ୍ତ ଧୁମଧାମରେ ଏହାକୁ ପାଳନ କରିଥାନ୍ତି । ତିନି ଦିନ ଧରି ପ୍ରଥମ ଦିନରେ ଭୋଗି ପାଳନ କରାଯାଇଥାଏ । ସଂକ୍ରାନ୍ତି ଦିନ ପୂର୍ବ ରାତ୍ରିରେ ବିଭିନ୍ନ ସାହି ବସ୍ତି ଛକ ମାନଙ୍କରେ ସମସ୍ତେ ଦଳ ଦଳ ହୋଇ କାଠ ଗଣ୍ଡି ରଖି ସେଥିରେ ନିଆଁ ଲଗାଇ ଭୋଗି ପାଳନ କରିଥାନ୍ତି ପ୍ରାୟ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ । ସେତେବେଳେ ଭୋଜି ଭାତ ସେହି ନିଆଁରେ ହିଁ ପ୍ରସ୍ତୁତ କରିବା ସହ ଡାକବାଜ ଯନ୍ତ୍ର ଲଗାଇ ନାଚ ଗୀତର ଆସର କରି ସମସ୍ତେ ତାର ମଜା ନେଉଥାନ୍ତି । ପାହାନ୍ତିଆ ସକାଳ ସମୟରେ ଝିଅ ବୋହୁ, ଯୁବକ ବୟସ୍କ ଲୋକମାନେ ସେହି ନିଆଁ ପାଖରେ ବସି ଦେହର ଥଣ୍ଡାକୁ ଦୁର କରିବା ସହ ଗାଧୋଇବା ପାଇଁ ସେହି ନିଆଁରେ ହାଣ୍ଡି ତସଲା ଯୋଗେ ପାଣି ଗରମ କରିଥାନ୍ତି । ସେହି ନିଆଁରେ ଗରମ ପାଣି କରି ମୁଖ୍ୟତଃ ଗରମ କରି ଛୋଟ ପିଲାମାନଙ୍କୁ ଗାଧେଇଲେ ବିଭିନ୍ନ ରୋଗବ୍ୟାଧି  ବନ୍ଦ ହେବା ସହ ଉପଶମ ମିଳିଥାଏ ବୋଲି ତେଲୁଗୁ ଲୋକଙ୍କ ମଧ୍ୟରେ ଅଗାଢ ବିଶ୍ୱାସ ରହିଛି । ପରେ ସକାଳୁ ଓ ପୂର୍ବାହ୍ନ ମଧ୍ୟରେ ସଂକ୍ରାନ୍ତି ଦିନରେ ପଙ୍ଗଲ ମକରସଂକ୍ରାନ୍ତି ଅବସରରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡଦାନ କରିବା ସହ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି କେବଳ ବୁଲାବୁଲି କରି ବାହାର ମନୋରଞ୍ଜନ କରିବାରେ ସମୟ ବିତାଇଥାନ୍ତି । ସଂକ୍ରାନ୍ତି ପରଦିନ ପ୍ରତ୍ୟେକ ତେଲୁଗୁ ଭାଷାଭାଷୀଲୋକଙ୍କ ଘରେ ଇଡିଲି, ମାଛମାଂସ ଭିନ୍ନଭିନ୍‍ ପ୍ରକାର ପିଠାପଣା ପ୍ରସ୍ତୁତ କରାଯାଇଥାଏ । ପାରଳାଖେମୁଣ୍ଡି ସହର ପଡୋଶୀ ଆନ୍ଧ୍ର ସୀମାନ୍ତରେ ଲାଗି ରହିଥିବା ଯୋଗୁଁ  ଏଠାରେ ଉଭୟ ତେଲୁଗୁ ଓ ଓଡିଆ ଭାଷାଭାଷୀ ସମ୍ପ୍ରଦାୟ ମଧ୍ୟରେ  ଏହି ମକର ସଂକ୍ରାନ୍ତି ପଙ୍ଗଲ ସମୟରେ ଭାଇଚାରା ପର୍ବ ଭାବେ ମଧ୍ୟ ପାଳିଥାନ୍ତି । ପଙ୍ଗଲ ପର୍ବ ଅବସରରେ ପରିବା ବଜାର ସମେତ ଲୁଗାପଟା ଡ୍ରେସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମିଳୁଥିବା ଦୋକାନ ଗୁଡିକରେ ଭିଡର ଏକ ପ୍ରକାରର ଅନନ୍ୟ ମହଲ ସୃଷ୍ଟି ହୋଇଛି ।  ବିଭିନ୍ନ ମନ୍ଦିର ଗୁଡିକରେ ମଧ୍ୟ ଭିଡ ସବୁ ଲାଗିରହିଥିଲା ।

 

 

0
0
0
s2sdefault