ଦୀର୍ଘ ୧୬ ଦିନ ଧରି ପ୍ରଦର୍ଶନୀ ଫାଟି ପଡୁଥିଲା । ହେଲେ ହକି ସହ ତାଳ ଦେଇ ସରିଛି ଡଟ ଫେଷ୍ଟ | ଇଏ ଡଟ ଫେଷ୍ଟ ଫେଷ୍ଟିଭାଲ ତ ନଥିଲା, ଥିଲା ନବାବି ଆଦବ କାଇଦାର ଗୋଟେ ପ୍ରତିଫଳନ | ମାନେ ଖାସ ବାବୁ ଭୈୟା ଆଉ ନେତାଙ୍କ ପାଇଁ ଖାସ ଉଦ୍ଦିଷ୍ଟ ଥିଲା | ବଡ଼ବଡ଼ କଲାକାର ଆସି ସେମାନଙ୍କ କଳାର ଯାଦୁ ଦେଖେଇ ଗଲେ, ଆଉ ତାକୁ ବଡ ଲୋକମାନେ ଦେଖିବେନି ତା ଆଉ କିଏ ଦେଖିବା | ଆମ ଲେବେଲ ହେଇ ହେଇ ଜୟଦେବ ଭବନ, ରବୀନ୍ଦ୍ର ମଣ୍ଡପ ବା ଭଞ୍ଜକଳା ମଣ୍ଡପ | ପ୍ରଦର୍ଶନୀ ପଡିଆରେ ଏତେବଡ ବଡ କଳାକାରଙ୍କ ଗୀତ ନାଟ ଦେଖିବାକୁ ଚିନ୍ତା କରିବା ଭାବନାର ବାହାରେ | ହେଲେ ଏଭଳି କାର୍ଯ୍ୟକ୍ତ୍ରମର ଠିଆ ଦର୍ଶନର ସୁଯୋଗ ରାଜ୍ୟ ସରକାର ଦେଲେ ଯେତେବେଳେ, ସରକାରଙ୍କୁ କୃତଜ୍ଞତା ଜଣାଇବା କଥା | ଆଉ ଏଇ କାର୍ଯ୍ୟକ୍ରମ ବେଶ ଉପଯୋଗୀ ସାବିତ ହୋଇଛି ବୋଲି ଅନୁଭବ କରି କୁଆଡେ ସବୁ ବର୍ଷ ହେବ ବୋଲି ସରକାର ଘୋଷଣା କରିଛନ୍ତି ମାନେ, ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ହବାଟା ଥୟ | ରାଜ୍ୟ ସରକାରଙ୍କ ଆଉ ଗୋଟେ ପ୍ରକାର ଯୋଜନା ଭୁବନେଶ୍ୱର ବାସୀଙ୍କ ମନୋରଞ୍ଜନ ପାଇଁ | ଅବଶ୍ୟ ଭୁବନେଶ୍ୱର ବାସୀଙ୍କୁ ଠିଆ ହୋଇ ଦୂରରେ ଦେଖିବାକୁ ବା ଶୁଣିବାକୁ ପଡିବ | କାରଣ ଆଗକୁ ଗଲେ ପଇସା | ଦିନକୁ ଶହଶହ ଟଙ୍କା ଦେଇ ଦେଖିବା ଆପେକ୍ଷା ଦୂରରେ ଠିଆ ହୋଇ ସରକାରଙ୍କ ଏଇ ଫ୍ରି ଯୋଜନାର ଲାଭ ଉଠାଇବା | ଏଥିରେ ବ୍ୟବସ୍ଥା ଥିଲା ଏମିତି ପ୍ରିମିୟମ, ଭିଭିଆଇପି, ଭିଆଇପି ଆଉ ତା ପରେ ସାଧାରଣ ଦର୍ଶକ | ସରକାରଙ୍କ ଏଇ ଫ୍ରି ଯୋଜନା ସାଧାରଣ ଲୋକଙ୍କ ପାଇଁ ଠିଆ ଫ୍ରି ସିନା, ଯେଉଁମାନେ ପରିଶ୍ରମ କରି ଏ ସବୁ କରୁଛନ୍ତି( ମାନେ ଆମ ନେତା ଆଉ ବାବୁ ମାନଙ୍କ ପାଇଁ ଅୟସରେ ଦେଖିବା ପାଇଁ ସରକାର ସୁଦର ବ୍ୟବସ୍ଥା କରିଥିଲେ | ଏଇ ଅଫିସର ଆଉ ନେତା ମାନେ କେମିତି ସୁବିଧାରେ ଦେଖି ପାରିବେ ସେଠିପାଇଁ ସରକାର ବ୍ୟବସ୍ଥା କରିଥିଲେ | ଅବଶ୍ୟ କରିବା ଦରକାର, କାରଣ ସାଧାରଣ ଲୋକଙ୍କ ପାଇଁ ସେମାନେ ମୁଣ୍ଡ ଖର୍ଚ କରି ଏଭଳି ଉତ୍ସବ କରିବାରୁ ସିନା ଆମେ ସାଧାରଣ ଲୋକ ଠିଆ ହୋଇ ବା ରାସ୍ତା ଉପରୁ ଦୂରରୁ ଏତେ ବଡ଼ବଡ଼ କଳାକାରଙ୍କ ଗୀତ ଶୁଣି ପାରିଲେ ! କିଛି ଲୋକ ଅଫିସରମାନେଓ ନେତାମାନେ ମସ୍ତି କଲେ ବା ସେମାନଙ୍କ ପରିବାର, ନିକଟ ଲୋକ ଆଗରେ ମଉଜ ମସ୍ତି କଲେ ବୋଲି ଅଭିଯୋଗ କରୁଛନ୍ତି | ଆରେ ବାବା.... ଏଇ ବାବୁ ବା ନେତା ମାନେ ନ ଚାହିଁଥିଲେ କଣ ଆମେ ସାନ, ଶ୍ରେୟା ଘୋସାଲ, ଶଙ୍କର ମହାଦେବନ, ଇତ୍ୟାଦି ଇତ୍ୟାଦି ମହାନ କଳାକାରଙ୍କ ଗୀତ ଶୁଣି ପାରିଥାନ୍ତେ | ତେଣୁ ସେମାନଙ୍କ କମ୍ଫର୍ଟ ବି ଆମେ ଦେଖିବା ଦରକାର ନା !!!! ଆଇଏଏସ ବା ଆଇପିଏସ ଅଫିସର ବା ନେତା ହେଲେ ବୋଲି କଣ ସେମାନେ ନାଚିବେନି ? ଝୁମିବେନି ???