ସୁରେନ୍ଦ୍ର ହୋତା
କରୋନାର ସଂକ୍ରମଣ ଭୟରେ ଚଳିତ ବର୍ଷ ବରଗଡ଼ ଧନୁଯାତ୍ରାକୁ ବନ୍ଦ ରଖିବାର ନିଷ୍ପତ୍ତି ନେଇଛି ବରଗଡ଼ ଜିଲା ପ୍ରଶାସନ । ନିଶ୍ଚିତ ରୂପେ ଏହା ଏକ ଐତିହାସିକ ତଥା ସମୟଚିତ ପଦକ୍ଷେପ । ତେବେ ଏତଦ୍ୱାରା ପ୍ରଚଳିତ ପରମ୍ପରା ବନ୍ଦ ହୋଇଥିବା କାରଣରୁ କିଛି ଲୋକଙ୍କ ଆକ୍ରୋଶ ବଢ଼ିଛି । ତେବେ ଏହା ପୂର୍ବରୁ ମଧ୍ୟ ଦୁଇଟି ପର୍ଯ୍ୟାୟରେ ବରଗଡ଼ ଧନୁଯାତ୍ରା ବନ୍ଦ ରହିଥିଲା । ତାହା ମଧ୍ୟ ଗୋଟିଏ ଦୁଇଟି ବର୍ଷ ପାଇଁ ପାଇଁ ନୁହେଁ ଦୀର୍ଘ ୧୪ ବର୍ଷ ଧରି ବରଗଡ଼ ଧନୁଯାତ୍ରା ବନ୍ଦ ରହିଥିଲା ।
କେଉଁ କାରଣରୁ କେଉଁ ପରିସ୍ଥିତିରେ ଧନୁଯାତ୍ରା ବନ୍ଦ ରହିଥିଲା !
ବାଜଲେଁ ସିଟି ଫାଠସି ପିଠି’ ପ୍ରଚଳିତ ଲୋକ ପ୍ରବାଦର ପୃଷ୍ଠଭୂମି:
୧୯୫୦ ବରଗଡ଼ ଧନୁଯାତ୍ରା ସମୟରେ ଏକ ଅଘଟଣ ଘଟିଥିଲା ।୧୯୪୮ରେ ଭାରତ ସ୍ୱାଧିନତା ଲାଭ କରି ସାରିଥିଲେ ମଧ୍ୟ ସେ ସମୟରେ ସାର୍ବଭୌମତ୍ୱ ଲାଭ କରି ନଥିଲା ଏବଂ ୧୯୫୦ ବେଳକୁ ଇଂରେଜ ମାନଙ୍କ ଆଧିପତ୍ୟ ରହିଥିଲା । ଇଂରେଜ ରାଜତ୍ୱାଧିନ ସମୟରେ ବରଗଡ଼ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହେବା ସାଙ୍ଗକୁ ଇଂରେଜ ମାନଙ୍କ ଗଡ଼ ରହିଥିଲା । ଏହା ସହିତ ଭାରତୀୟ ମୁକ୍ତି ସଂଗ୍ରାମୀ ମାନଙ୍କ ମଧ୍ୟ ଏହା ଏକ ପ୍ରମୁଖ କେନ୍ଦ୍ରସ୍ଥଳୀ ରହିଥିଲା । ୧୯୫୦ରେ ବରଗଡ଼ ଧନୁଯାତ୍ରାର ମହାରାଜା କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭୀମସେନ ତ୍ରିପାଠୀ ହାତି ପୃଷ୍ଠରେ ବସି ନଗର ପରିକ୍ରମା କରୁଥିବା ସମୟରେ ବରଗଡ଼ ପୁର୍ତ୍ତବିଭାଗ ସମ୍ମୁଖରେ ଏକ ଫିରିଙ୍ଗି ଅଧିକାରୀ ଓ ତାଙ୍କ ମେମ ସାହିବାଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିବାରୁ ସମ୍ପୃକ୍ତ ଇଂରେଜ ଅଧିକାରୀ ଜଣକ ଉତ୍ତେଜିତ ହୋଇ ପଡ଼ିଥିଲେ ଏଣୁ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା ଏବଂ ଉତ୍ତେଗିତ ଫିରିଙ୍ଗି ଅଧିକାରୀ ଜଣକ ବ୍ଳାଙ୍କ ଫାୟାରିଙ୍ଗ କରିଥିଲେ । ୧୯୫୦ ବେଲକୁ ବରଗଡ଼ ସହର ଏକ କ୍ଷୁଦ୍ର ସହର ଥିଲା ଏବଂ ସେଠାରେ ନାମକୁ ମାତ୍ର କିଛି ପୁଲିସ ଅଧିକାରୀ ରହିଥିଲେ ।ଏଣୁ ଯାତ୍ରାର ଶାନ୍ତି ଶୃଙ୍ଖଳା ଦାୟିତ୍ୱ ମୁଖ୍ୟତଃ ସ୍ୱେଚ୍ଛାସେବୀଙ୍କ ଉପରେ ନିର୍ଭର କରୁଥିଲା ।ଆଜିକାର ମୋବାଇଲ ପରି ସେ ସମୟରେ ପରସ୍ପର ମଧ୍ୟରେ ସମ୍ପର୍କ ରକ୍ଷା ଓ ସୂଚନା ଆଦାନ ପ୍ରଦାନର କୌଣସି ସାଧନ ନଥିଲା ।ଏଣୁ ସ୍ୱେଚ୍ଛାସେବୀ ମାନେ ପରସ୍ପର ମଧ୍ୟରେ ସଙ୍କେତ ଦେବା ପାଇଁ ଥଣ୍ଡର ହୁଇସିଲ ବ୍ୟବହାର କରୁଥିଲେ । କୌଣସି ସ୍ଥାନରେ ଥଣ୍ଡର ହୁଇସିଲ ବାଡ଼ିଲେ ହୁଇସିଲ ବାଜିବା ସ୍ଥାନର ଅନୁମାନ କରି ସେଠାରେ କିଛି ଅଘଟଣ ଘଟିବାର ଆଶଙ୍କା କରି ସ୍ୱେଚ୍ଛାସେବୀ ମାନେ ବାରପାହାଡ଼ରୁ ଆନିତ ବାଉଁଶ ଠେଙ୍ଗା ଧରି ସେଠାରେ ପହଂଚି ଗଣ୍ଡଗୋଲ ନିୟନ୍ତ୍ରଣ କରୁଥିଲେ । ଏଣୁ ଏ କ୍ଷେତ୍ରରେ ମଧ୍ୟ ଗଣ୍ଡଗୋଳର ଆଶଙ୍କା କରି ଧନୁଯାତ୍ରାରେ ନିୟୋଜିତ ସ୍ୱେଚ୍ଛା ସେବକଙ୍କ ହୁଇସିଲ ବାଜି ଉଠିଥିଲା ଏବଂ ମହାରାଜା କଂସଙ୍କ ପ୍ରହରୀ ରୂପେ ନିଯୁକ୍ତ ଲାଠିଧାରୀ ସ୍ୱେଚ୍ଛାସେବୀ ମାନେ ଘଟଣାସ୍ଥଳରେ ପହଂଚି ଇଂରେଜ ଅଧିକାରୀଙ୍କୁ ମାଡ଼ ଦେଇଥିଲେ ।ସେ ସମୟରେ ଥିବା ସୀମିତ ସଂଖ୍ୟକ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଇଂରେଜ ଅଧିକାରୀଙ୍କ ନିର୍ଦ୍ଦେଶରେ ଧନୁଯାତ୍ରାର କଂସ ମହାରାଜା ଓ ଅନ୍ୟ ଆୟୋଜକଙ୍କ ବିରୁଦ୍ଧରେ ପୁଲିସରେ ମାମଲା ଦର୍ଜ ହୋଇଥିଲା ପୁଲିସ ଗିରଫଦାରୀ ଭୟରେ ଆୟୋଜକ ମାନେ ଲୁଚିବୁଲିବାରୁ ୧୯୫୦ରୁ ବରଗଡ଼ ଧନୁଯାତ୍ରା ବନ୍ଦ ହୋଇ ଯାଇଥିଲା ।
ତେବେ ୨୬ ଜାନୁୟାରୀ ୧୯୫୦ରେ ଭାରତ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ନିର୍ଦ୍ଦେଶରେ ୧୯୫୦ ପୂର୍ବରୁ ଇଂରେଜ ମାନଙ୍କ ଦ୍ୱାରା ଭାରତୀୟଙ୍କ ଉପରେ ଯେତେକ ମାମଲା ଥିଲା ତାହାକୁ ପ୍ରତ୍ୟାହାର କରି ନିଆଯିବାରୁ ସେହି ଆଦେଶ ବଳରେ ପରବର୍ତ୍ତୀ ସମୟରେ ଧନୁଯାତ୍ରାର ଆୟୋଜକଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାରୁ ଛାଡ଼ ପାଇଥିଲେ । ତେବେ ଏ ସମ୍ପର୍କିତ ନଥିପତ୍ର ଏବେ ମିଳୁ ନଥିବା ଜଣାଯାଏ । ମାତ୍ର ଏହି ଘଟଣା ଏବେ ବି “ବାଜଲେଁ ସିଟି ଫାଟ୍ସି ପିଠି” ପ୍ରବାଦ ରୂପେ ଜନମାନସରେ ଉଦ୍ଜୀବିତ ରହିଛି । ୧୯୫୦ରୁ ଏଭଳି ବିବାଦୀୟ ପରିସ୍ଥିତରେ ବରଗଡ଼ ଧନୁଯାତ୍ରା ବନ୍ଦ ରହିବା ପରେ ପୁନରାୟ ୧୯୫୭ରେ ବରଗଡ଼ ଧନୁଯାତ୍ରା ଆରମ୍ଭ ହୋଇଥିଲା ଏବଂ ୨ ଜାନୁୟାରୀ ୧୯୫୭ରୁ ୧୬ ଜାନୁୟାରୀ ୧୯୫୭ ପର୍ଯ୍ୟନ୍ତ ଧନୁଯାତ୍ରା ହୋଇଥିଲା ।ଦୁଇଥରରେ ବରଗଡ଼ ଧନୁଯାତ୍ର ୧୪ ବର୍ଷ ଧରି ବନ୍ଦ ରହିଥିଲା ଏବଂ ତତପରେ କରୋନା ସଂକ୍ରମଣ କାରଣରୁ ୨୦୨୧ରେ ବରଗଡ଼ ଧନୁଯାତ୍ରାକୁ ବନ୍ଦ ରଖାଯାଇଛି ।
ବରଗଡ଼ ଧନୁଯାତ୍ରା ଯେତେବେଳେ ବି ବନ୍ଦ ରହିଛି ତାହାପରେ ଆହୁରି ଜୋରରେ ଯାତ୍ରା ଆରମ୍ଭ ହୋଇଛି । ଏଣୁ ଚଳିତ ବର୍ଷ ଯାତ୍ରା ବନ୍ଦ ହେଲେ ମଧ୍ୟ ପରବର୍ତ୍ତୀ ସମୟରେ କି ଭଳି ଆହୁରି ଉନ୍ନତ ଢ଼ଙ୍ଗରେ ଯାତ୍ରା କରାଯାଇ ପାରିବ ସେ ସମୟରେ ଚିନ୍ତା କରାଯାଇ ଉପଯୁକ୍ତ ପଦକ୍ଷେପ ନେବାର ସମୟ ଆସିଛି । ସେହିଭଳି ଆମେ ଯଦି ପରମ୍ପରା ରକ୍ଷା କରିବାକୁ ଚାହିଁବା ତାହେେଲେ ଜଗନ୍ନାଥ ଙ୍କ ଅଣସର ସମୟରେ ଯେଭଳି ପଟି ଦିଅଁ ପୂଜା କରାଯାଏ ,ଠିକ ସେହିପରି ଧନୁଯାତ୍ରାର ୧୧ ଦିନର କଥାବସ୍ତୁକୁ ରଙ୍ଗମଞ୍ଚରେ ନାଟକ ଆକାରରେ ସୀମିତ ପରିସରରେ ପ୍ରଦର୍ଶନ କରାଯାଇ ପାରିବ । ଯାହାର ଲାଇଭ ଟେଲିକାଷ୍ଟ କରାଯାଇ ପାରିବ ଏବଂ ଲୋକେ ଘରେ ଥାଇ ଏହାକୁ ଉପଭୋଗ କରିପାରିବେ । କରୋନା ସଂକ୍ରମଣ କାଳରେ ରଙ୍ଗମଞ୍ଚ ନିସ୍ତବ୍ଧ ହୋଇ ପଡ଼ିଥିବାରୁ ଆମେ ଏହାକୁ ବିକଳ୍ପ ରୂପେ ବ୍ୟବହାର କରିପାରିବା । ସରକାର ପୂର୍ବରୁ ଖୋଲା ରଙ୍ଗମଞ୍ଚ ଓ ସୀମିତ ପରିସରରେ ନାଟ୍ୟ ପ୍ରଦର୍ଶନକୁ ଅନୁମତି ଦେଇ ସାରିଛନ୍ତି । ଏଣୁ ବରଗଡ଼ର ନାଟ୍ୟପ୍ରେମୀ ଓ ନାଟ୍ୟସଂସ୍ଥା ଗୁଡ଼ିକ ଏଦିଗରେ ପ୍ରୟାସ କରିବାକୁ ମୋର ବିନମ୍ର ଅନୁରୋଧ ।