ହେଡଲାଇନସ୍:

ବିଜେପି ଜିଲା ସଭାପତି ଆମ ପ୍ରତି ପ୍ରତାରଣା କରିଛନ୍ତି, ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ମୃତକଙ୍କ ବାପା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପି ସଭାପତିଙ୍କ ତୈଳବାହୀ ଟେଙ୍କର ଧକ୍କାରେ ଆଦିବାସୀ ଯୁବକଙ୍କ ମୃତ୍ୟୁ  ଘଟଣା

କାହା ଚାପରେ ମାମଲା କ୍ଲୋଜ କରିଦେଇଥିଲା ପୋଲିସ 

ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ କେମିତି ହେଲା ରି-ଓପନ 

ପୋଲିସ ଓ ପରିବହନ ବିଭାଗର ନୀରବତା ସନ୍ଦେହରେ 

 

 

ବାରିପଦା - ବିଜେପିର ମୟୂରଭଞ୍ଜ ପୂର୍ବ ଜିଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ଓରଫ ବାବୁ ବିଶ୍ୱାସରେ ବିଷ ଦେଇଛନ୍ତି । କଥା ଦେଇ ନିଜର ଜବାବ ରଖି ନାହାନ୍ତି । ବିଜେପି ସଭାପତି ବାବୁ ମହାପାତ୍ରଙ୍କ ତୈଳବାହୀ ଟେଙ୍କର ଧକ୍କାରେ ମୃତ୍ୟୁ  ହୋଇ ଯୁବକ ଲଦୁ ମୁର୍ମୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଥି ସହିତ ବିଜେପିର ଜିଲା ସଭାପତି ବାବୁ ମହାପାତ୍ରଙ୍କ ନିକଟରେ ମାନବିକତାର ମୃତ୍ୟୁ ହୋଇଛି । ନୈତିକତା ଓ ଦାୟିତ୍ୱବୋଧ ବୋଲି ଗୋଟାଏ ଶବ୍ଦ ରହିଥିବାର ଜଣାପଡ଼ୁ ନାହିଁ ବୋଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯୁବକର ସାଙ୍ଗ ତଥା ପ୍ରତ୍ୟକ୍ଷଦର୍ଶୀ ବାଙ୍ଗିରିପୋଷୀ ଥାନା ବ୍ରାହ୍ମଣମରା ଗ୍ରାମର ମାନସିଂ ହାଁସଦାଃ ଅତ୍ୟନ୍ତ ଦୁଃଖରେ କହିଛନ୍ତି । ସେହିପରି କ୍ଷତି ପୂରଣ ସହିତ ନ୍ୟାୟ ମିଳିବାର ଦାବି କରିଛନ୍ତି ମୃତ ଯୁବକର ପିତା ଭାଗବତ ମୁର୍ମୁ ଓ ଦୁର୍ଘଟଣାରେ ଅଳ୍ପକେ ମରଣ ମୁହଁରୁ ବଞ୍ଚି ଯାଇଥିବା ମୃତ ଯୁବକର ସାନ ଭାଇ ବ୍ରଜ ମୁର୍ମୁ । 

ପ୍ରତ୍ୟକ୍ଷଦର୍ଶୀ ତଥା ବିଜେପି ଜିଲା ସଭାପତି ବାବୁ ମହାପାତ୍ରଙ୍କ ଟେଙ୍କର ଧକ୍କାରୁ ଅଳ୍ପକେ ମରଣ ମୁହଁରୁ ରକ୍ଷା ପାଇ ଗୁରୁତ୍ତର ଆହତ ହୋଇଥିବା ବ୍ରଜ ମୁର୍ମୁଙ୍କ କହିବା ଅନୁସାରେ ଗତ ଅଗଷ୍ଟ ୯ ଅପରାହ୍ନ ପ୍ରାୟ ସାଢେ଼ ୫ଟା ସମୟରେ ମେଳା ଦେଖି ନିଜ ଭାଇଙ୍କ ସହିତ ଏକ ବାଇକରେ ୪୯ ଜାତୀୟ ରାଜପଥରେ ଘରକୁ ଫେରୁଥିବା ବେଳେ ଖଡ଼ମବେଢ଼ା ଟସର କାର୍ଯ୍ୟାଳୟ ନିକଟରେ ବାଙ୍ଗିରିପୋଷି ଦିଗରୁ ଏକ ତୈଳ ବୋଝେଇ ଟେଙ୍କର ଆସି ସମ୍ମୁଖରୁ ଧକ୍କା ଦେଇଥିଲା । ଏଥିରେ ଭାଗବତ ମୁର୍ମୁଙ୍କ ଦୁଇ ପୁଅ ଲୁଦୁ ଓ ବ୍ରଜ ଗୁରୁତ୍ତର ଭାବେ ଆହତ ହୋଇଥିଲେ । ଲଦୁର ଅବସ୍ଥା ସଙ୍କଟାପନ୍ନ ରହିଥିଲା । କିନ୍ତୁ ବ୍ରଜ ଟେଙ୍କର ଓ ତାର ନମ୍ବରକୁ ଦେଖି ନେଇଥିଲା । ସ୍ଥାନୀୟ ଜନସାଧାରଣ ଆହତ ଦୁଇ ଭାଇଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିବା ବେଳେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଟେଙ୍କରର ପିଛା କରି ତାକୁ ଏକ ବନ୍ଦ ଥିବା ତେଲ ଟାଙ୍କି ନିକଟରେ ଧରିଥିଲେ । ତେଲ ଟେଙ୍କରର ଚାଳକ ମଧ୍ୟ ଦୁର୍ଘଟଣା ଘଟାଇଥିବା ବିଷୟ ଉପସ୍ଥିତ ଜନତାଙ୍କ ସମ୍ମୁଖରେ ସ୍ଵୀକାର  କରିଥିଲା । ଟେଙ୍କର ଦେଇଥିବା ଧକ୍କା ଲୁଦୁର ଜୀବନ ନେଇଥିବା ବେଳେ ବ୍ରଜ ଡ଼ାକ୍ତରଙ୍କ ଚିକିତ୍ସାରେ ବଞ୍ଚିଯାଇଥିଲା । ଏହି ଘଟଣାକୁ ନେଇ ବ୍ରଜ ତାର ବାପା ଭାଗବତ ଓ ଗ୍ରାମର ତଥା ପ୍ରତ୍ୟକ୍ଷଦର୍ଶୀ ମାନସିଂ ହାଁସଦାଃଙ୍କୁ ସାଥୀରେ ଧରି ବିଶୋଇ ଥାନାରେ ଟେଙ୍କର ଚାଳକଙ୍କ ନାମରେ ଲିଖିତ ଅଭିଯୋଗ କରିବାକୁ ପହଁଞ୍ଚିଥିଲେ; ମାତ୍ର ଥାନା ପୁଲିସ ବିଳମ୍ବ ହୋଇଯାଇଛି ଆଉ ଅଭିଯୋଗ ରଖାଯାଇ ପାରିବ ନାହିଁ ବୋଲି କରିବା ସଂଗେସଂଗେ ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇ ସାରିଛି ବୋଲି କହିଥିଲେ । ମାତ୍ର ଥାନାରେ କେଶ ନଂ ୪୭/୧୦.୦୮.୨୦୧୭ ଅନୁସାରେ ରୁଜୁ କରାଯାଇଥିବା ମାମଲାଟି ଏକ ଅଜଣା ଗାଡ଼ି ଧକ୍କା ଦେଇଥିବାର ଦର୍ଶାଯାଇଥିଲା ଏବଂ ଏହି ମାମଲାକୁ ପରବର୍ତ୍ତୀ ସମୟରେ ବନ୍ଦ କରି ଦିଆଯାଇଛି ବୋଲି କୌଣସି ସୂତ୍ରରୁ ଖବର ପାଇବା ପରେ ଏହାର ପ୍ରତିବାଦ ସହିତ ନ୍ୟାୟ ପାଇବା ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ନାୟକଙ୍କ ଦ୍ୱାରସ୍ଥ ହୋଇ ସମସ୍ତ ବିଷୟ ଅବଗତ କରାଇଥିଲେ । 

ଏସପଙ୍କ ନିର୍ଦେଶ  କ୍ରମେ ବନ୍ଦ ହୋଇଥିବା ମାମଲା ରିଓପନ ହେଲା ଏବଂ ଓଆର ୦୫ଡ଼ି ୭୭୫୭ ନମ୍ବର ତେଲ ଟେଙ୍କରର ଚାଳକ ତଥା ବେତନଟୀ ଥାନା ଧବଣିଶୋଳ ଗ୍ରାମର ଅକ୍ଷୟ କୁମାର ମହାନ୍ତ(୪୪)ଙ୍କୁ ଗତ ୦୩.୧୧.୨୦୧୭ରେ ଗିରଫ କରାଗଲା । ମାତ୍ର ଏହି ସମୟ ମଧ୍ୟରେ ତେଲ ଟେଙ୍କର ମାଲିକ ତଥା ବିଜେପି ଜିଲା ସଭାପତି ବାବୁ ମହାପାତ୍ର ଘଟଣାର ସମାଧାନ ନିମନ୍ତେ ବିଶୋଇରେ ପହଁଞ୍ଚି ଉଦ୍ୟମ କରି ମୃତ ପରିବାରକୁ ଆର୍ଥିକ ସହାୟତା ସହିତ ଗୁରୁତ୍ତର ଆହତ ହୋଇଥିବା ବ୍ରଜ ମୁର୍ମୁର ସମସ୍ତ ଚିକିତ୍ସା ଖର୍ଚ୍ଚ ଆଦି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ ଥିଲେ । ମାତ୍ର ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା । ନିର୍ଦ୍ଧାରିତ ସମୟ ଅତୀତ ହୋଇଯାଇଥିଲେ ମଧ୍ୟ ବିଜେପି ଜିଲାସଭାପତି ବାବୁ ମହାପାତ୍ରଙ୍କ ନିକଟରୁ କ୍ଷତିଗ୍ରସ୍ତ ପରିବାରକୁ ଫଟା ପାହୁଲାଟିଏ ମିଳି ପାରିଲା ନାହିଁ କି ତାଙ୍କର ଦର୍ଶନ ମଧ୍ୟ ମିଳିବା ସମ୍ଭବ ହୋଇପାରିଲା ନାହିଁ । ଯାହା ତାଙ୍କ ଭଳି ଜଣେ ଦାୟିତ୍ୱ ସମ୍ପନ୍ନ ନେତାଙ୍କ ନିକଟରୁ ଆଶା କରାଯାଏ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ମାନସିଂ ହାଁସଦାଃ । 

 ଦୁର୍ଘଟଣା ଘଟାଇଥିବା ଟେଙ୍କର(ଓଆର ୦୫ ଡ଼ି ୭୭୫୭) କାହା ନାମରେ ରହିଛି, ଉକ୍ତ ଗାଡ଼ିର ଫିଟନେସ ଓ ଇନସୁ୍ୟରାନ୍ସ ଆଦି ରହିଛିକି ନାହିଁ ଏବିଷୟରେ ସମସ୍ତ ତଥ୍ୟ ସଂଗ୍ରହ ନିମନ୍ତେ ଜିଲା ପରିବହନ ଅଧିକାରୀ ଶରତ ଚନ୍ଦ୍ର ଦାଶଙ୍କୁ ତାଙ୍କ ସେଲ ନମ୍ବର ୯୪୩୭୨୯୪୮୬୬ରେ ଯୋଗାଯୋଗ କରିବାରୁ ରାଇରଙ୍ଗପୁର ଏଆରଟିଓଙ୍କୁ ପଚାରିବାକୁ କହିଥିଲେ । ରାଇରଙ୍ଗପୁର ଏଆରଟିଓ ବିଶ୍ୱରାଜ ବେହେରାଙ୍କୁ ତାଙ୍କର ସେଲ ନମ୍ବର ୯୪୩୯୫୩୯୮୨୯ରେ ଯୋଗାଯୋଗ କରିବାରୁ ଓଆର ୦୫ କଟକ ନମ୍ବର ପ୍ରାୟ ହୋଇଥିବ , ତେବେ କଣ ହୋଇଛି ଦେଖି କହିବି ବୋଲି ଉତ୍ତର ଦେଇଥିଲେ । ମୃତକ ପରିବାର ପକ୍ଷରୁ ବିଶୋଇ ଥାନା ପୁଲିସଙ୍କ ନାମରେ ହୋଇଥିବା ଅଭିଯୋଗ ସହିତ ଦୁର୍ଘଟଣା ଘଟାଇଥିବା ଟେଙ୍କର ଜବତ ହୋଇଛିକି ନାହିଁ, ଗାଡ଼ିର କାଗଜପତ୍ରକୁ ଯାଞ୍ଚ କରାଯାଇଛିକି ନାହିଁ ଆଦି ବିଷୟରେ ସୂଚନା ପ୍ରାପ୍ତି ନିମନ୍ତେ ବିଶୋଇ ଥାନା ଅଧିକାରୀ ରମାକାନ୍ତ ମୁଦୁଲୀଙ୍କୁ ତାଙ୍କର ସେଲ ନମ୍ବର ୮୦୧୮୦୦୧୨୫୨ରେ ଯୋଗାଯୋଗ କରିବାରୁ ଏସଡ଼ିପିଓ ମହୋନପାଣି କାରୁଆଙ୍କ ନିକଟରୁ ସମସ୍ତ ବିଷୟ ଅବଗତ ହେବା ପାଇଁ ପରାମର୍ଶ ଦେଇଥିଲେ; ମାତ୍ର ଏସଡ଼ିପିଓ ମହୋନପାଣି କାରୁଆ ଛୁଟିରେ ରହିଛି ଥାନା ଅଧିକାରୀ ମୁଦୁଲିବାବୁଙ୍କ ନିକଟରୁ ବୁଝିବାକୁ କହିଥିଲେ । ଏହି ବିଷୟରେ ତେଲ ଟେଙ୍କର ମାଲିକ ବୋଲି ଅଭିଯୋଗ ହେଉଥିବା ତଥା ବିଜେପି ଜିଲା ସଭାପତି ବାବୁ ଓରଫ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କ ସେଲ ନମ୍ବର ୯୪୩୭୯୬୦୭୫୨ରେ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା । ତେବେ ଏହି ସଡ଼କ ଦୁର୍ଘଟଣା ଉପରେ ଅନେକ କିଛି ଅଡ଼ୁଆ ସୂତାର ଖିଅ ରହିଥିବାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ଚାଲିଥିବା ଠେଲାପେଲାରୁ ସନ୍ଦେହ କରାଯାଉଅଛି । ତେବେ ବାବୁ ମହାପାତ୍ର ଏକ ରାଜନୈତିକ ଦଳର ଜିଲା ସଭାପତି ତଥା ଜଣେ ପ୍ରଭାବଶାଳୀ ରାଜନେତା ହୋଇଥିବାରୁ ଘଟଣାର ତଦନ୍ତ ପ୍ରକ୍ରିୟାର ନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

0
0
0
s2sdefault