ଭଦ୍ରକ :( ସତ୍ୟବ୍ରତ ନାୟକ, ବ୍ଲକ ପ୍ରତିନିଧି)ସ୍କୁଲରେ ଠାକୁର ପୂଜା କରିବା ପାଇଁ କହିଲେ ଶିକ୍ଷୟିତ୍ରୀ । ପୂଜା ବେଳେ ଭୁଲ ବଶତଃ ଢାଳି ହୋଇଗଲା ପାଣି । ଏତିକି କଥା ପାଇଁ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଛାତ୍ରୀଙ୍କ ପରିବାର ଲୋକେ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ପାଟୁଳି ପଞ୍ଚାୟତ ଅରେଇକଣା ୟୁଜିଏମଇ ସ୍କୁଲରୁ ।ଅଭିଯୋଗ ଅନୁଯାୟୀ, ଶିକ୍ଷୟିତ୍ରୀଙ୍କ ମାଡରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅନନ୍ତ ପରିଡାଙ୍କ ଝିଅ ଲିଜାରାଣୀ ସ୍ଥାନୀୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ଲିଜାରାଣୀ ବିଦ୍ୟାଳୟକୁ ଆସିଥିବା ବେଳେ ଶିକ୍ଷୟିତ୍ରୀ ସୁକାନ୍ତି ଦେଇ ଅଫିସ ଗୃହରେ ଥିବା ଠାକୁରଙ୍କ ପୂଜା କରିବା ପାଇଁ କହିଥିଲେ। ଲିଜାରାଣୀ ଠାକୁର ପୂଜା କରୁଥିବା ବେଳେ ଅନ୍ୟମନସ୍କ ଯୋଗୁଁ ଗୋଡ଼ ବାଜି ପାଣି ଢାଳି ହୋଇଯାଇଥିଲା । ଏଥିରେ ଶିକ୍ଷୟିତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଛାତ୍ରୀ ଜଣକୁ ବେତରେ ପିଟିଥିଲେ। ଝିଅ ବିଦ୍ୟାଳୟରୁ ଯିବା ପରେ ମା’ଙ୍କୁ ସବୁକଥା କହିଥିଲେ । ପରଦିନ ସ୍ବାଭାବିକ ଭାବେ ସ୍କୁଲକୁ ମଧ୍ୟ ଆସିଥିଲେ ।ଘଟଣାର ଦୁଇ ଦିନ ପରେ ଛାତ୍ରୀ ଜଣଙ୍କ ଝାଡା ପରିସ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ତାଙ୍କ ବାପା ଅନନ୍ତ ସବୁ ଜାଣିବାକୁ ପାଇଥିଲେ । ସେ ବିଦ୍ୟାଳୟକୁ ଆସି ଏ ବାବଦରେ ପଚାରିବାରୁ ଶିକ୍ଷୟିତ୍ରୀ ତାଙ୍କୁ ମଧ୍ୟ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଝିଅର ସ୍ୱାସ୍ଥ୍ୟବସ୍ଥା ଖରାପ ଆଡକୁ ଗତି କରୁଥିବା ବେଳେ ବାପା ମା ଏବେ ଲିଜାରାଣୀକୁ ନେଇ ଭଦ୍ରକ ମେଡିକାଲରେ ଚିକିତ୍ସିତ କରାଉଛନ୍ତି। ଏ ସମ୍ପର୍କରେ ଥାନାରେ ଲିଖିତ ଭାବେ ଜଣାଯାଇଥିଲେ ସୁଦ୍ଧା ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏ ବାବଦରେ ବ୍ଲକ ଶିକ୍ଷାଧିକାରୀଙ୍କ ମତାମତ ନେବାରୁ ସେ ଘଟଣା ବାବଦରେ ସାମାନ୍ୟ ଜାଣିଥିବା କହିଥିଲେ। ଅଭିଯୋଗ ମିଳିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ଜଣାଇଛନ୍ତି ।
ଅଘଟଣ
ସ୍କୁଲରେ ଠାକୁର ପୂଜା ବେଳେ ଗୋଡ ବାଜି ଢାଳିଗଲା ପାଣି, ଶିକ୍ଷୟିତ୍ରୀଙ୍କ ବେତ ପାହାରରେ ଗୁରୁତର ହେଲେ ଛାତ୍ରୀ
- Hits: 628