କଟକ, ତା.୧୦.୦୭.୨୦୨୬ ରିଖ - ଜନଗଣନା-୨୦୨୭ର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଆଜି ସଫଳତାର ସହ ସମାପ୍ତ ହୋଇଛି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ସହକାରୀ ନିର୍ଦ୍ଦେଶକ (ରାଜ୍ୟ ଜନଗଣନା ପରିଚାଳନା କେନ୍ଦ୍ର) ଶ୍ରୀମତୀ ମିଲିତା ଦତ୍ତ ଓ ଜିଲ୍ଲା ଜନଗଣନା ନୋଡାଲ ଅଫିସର ଶ୍ରୀ ଦେବେନ୍ଦ୍ର କୁମାର ମହାପାତ୍ର ପ୍ରଶିକ୍ଷକ ଭାବେ ଯୋଗଦେଇ District Census Handbook (DCHB) ଜିଲ୍ଲା ଜନଗଣନା ହସ୍ତପୁସ୍ତିକାର ଉଦ୍ଦେଶ୍ୟ, କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ଭୂମିକା ଓ ଦାୟିତ୍ୱ, ଗ୍ରାମ ନିର୍ଦ୍ଦେଶିକା ଅନୁସୂଚୀ (Village Directory schedule), ସହର ନିର୍ଦ୍ଦେଶିକା ଅନୁସୂଚୀ (Town Directory schedule), ଡିସିଏଚ୍ବି ମୋବାଇଲ୍ ଆପ୍ର ବ୍ୟବହାର ଏବଂ ଡିସିଏଚ୍ବି ପୋର୍ଟାଲରେ ତଥ୍ୟ ପ୍ରଦାନ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ରାଜସ୍ୱ ନିରୀକ୍ଷକ (ଆରଆଇ), ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ), ଅମିନ, ଚାର୍ଜ ଅଫିସର ଏବଂ ଅତିରିକ୍ତ ଚାର୍ଜ ଅଫିସରମାନେ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣ ଶିବିରର ତୃତୀୟ ଦିବସରେ ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ ପ୍ରଶିକ୍ଷାର୍ଥୀମାନଙ୍କୁ ସୁଚାରୁରୂପେ ଜନଗଣନା କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ଵାନ ଦେଇଥିଲେ । ସୂଚନାଯୋଗ୍ୟ, ସର୍ଭେ ସମୟରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପରିଦର୍ଶନ କରି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ ଆଦି ବିଭିନ୍ନ ମୌଳିକ ସୁବିଧା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବେ । ଗ୍ରାମାଞ୍ଚଳ ପାଇଁ ୪୦୦ଟି ଏବଂ ସହରାଞ୍ଚଳ ପାଇଁ ୪୨୦ଟି ପ୍ରଶ୍ନର ତଥ୍ୟ ସଂଗ୍ରହ କରାଯିବ । ଏହି ସର୍ଭେ କାର୍ଯ୍ୟକ୍ରମ ଚଳିତ ବର୍ଷ ଜୁଲାଇ ୧୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଶିକ୍ଷଣ ମାଧ୍ୟମରେ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ଜନଗଣନା-୨୦୨୭ କାର୍ଯ୍ୟକୁ ସୁଚାରୁ, ନିର୍ଭୁଲ ଓ ସଫଳତାର ସହ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡେପୁଟି କଲେକ୍ଟର,(ଜନଗଣନା) ନୁରି ପରଭିନ ମତ ପ୍ରକାଶ କରିଛନ୍ତି ।
ରାଜ୍ୟ
ଜନଗଣନା କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
- Hits: 65






