ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ
-
• ମୋର ଜନପ୍ରତିନିଧିର ପରିଚୟ ପାଲଲହଡ଼ା ହିଁ ଦେଇଛି ଏବଂ ଏହି ଅଞ୍ଚଳର ମୂଳ ପୁଞ୍ଜି ପାଠ
-
• ପାଠପଢ଼ା କେବଳ ବହି ଭିତରେ ସୀମିତ ନରହି ରୋଜଗାରଭିତ୍ତିକ ଓ ସ୍କିଲ୍-ଆଧାରିତ ହେବ
-
• ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ପ୍ରଦାନ କରିବାରେ କେନ୍ଦ୍ରୀୟ ବିଦ୍ୟାଳୟର ରହିବ ବଡ ଭୂମିକା
-
• ପାଲଲହଡ଼ାରେ କୃଷି ସହ ମତ୍ସ୍ୟଚାଷକୁ ବ୍ୟାପକ ଭାବେ ବଢାଇବା ପାଇଁ ଯୋଜନା ହେଉ
-
• ଜର୍ମାନୀରେ ରହୁଥିବା ଓଡ଼ିଆ ଦମ୍ପତ୍ତି କିପରି 'ମାଲ୍ୟଗିରି ଆଚାର'କୁ ବ୍ରାଣ୍ଡର ରୂପ ଦେଇଛନ୍ତି, ତାହାର ଉଦାହରଣ ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୦ ଜୁଲାଇ, ୨୦୨୬ - କୌଣସି ବି ଅଞ୍ଚଳର ସାମଗ୍ରିକ ପ୍ରଗତି ତାହାର ଶିକ୍ଷା ବ୍ୟବସ୍ଥା ଉପରେ ହିଁ ନିର୍ଭର କରେ । ତେଣୁ ଆମକୁ ଏକବିଂଶ ଶତାବ୍ଦୀରେ ଶିକ୍ଷା ସହ ରୋଜଗାର ଆଧାରିତ ପାଠପଢ଼ାକୁ ବିଶେଷ ଭାବରେ ଗୁରୁତ୍ୱ ଦେବାକୁ ହେବ, ଯାହା ଦ୍ୱାରା ପ୍ରତ୍ୟେକ ପିଲାମାନେ ଭବିଷ୍ୟତରେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରୀୟ ବିଦ୍ୟାଳୟ, ପାଲଲହଡ଼ାର ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ ଏବଂ ଅସ୍ଥାୟୀ କ୍ୟାମ୍ପସର ଉଦ୍ଘାଟନ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇ ପାଲଲହଡ଼ା ମାଟି ସହ ନିଜର ଆବେଗିକ ସମ୍ପର୍କକୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୋର ଜନପ୍ରତିନିଧିର ପରିଚୟ ପାଲଲହଡ଼ା ହିଁ ଦେଇଛି ଏବଂ ଏହି ଅଞ୍ଚଳର ମୂଳ ପୁଞ୍ଜି ହେଉଛି ପାଠ । ଏକବିଂଶ ଶତାବ୍ଦୀରେ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଆମକୁ ଏହି ଅଞ୍ଚଳର ପିଲାମାନଙ୍କୁ ରୋଜଗାରଭିତ୍ତିକ, ଦକ୍ଷତା ଆଧାରିତ ଏବଂ ବ୍ୟବସାୟ ଭିତ୍ତିକ ପାଠପଢା ପ୍ରଦାନ କରିବାକୁ ହେବ । ଶିକ୍ଷା ସେତିକିବେଳେ ସାର୍ଥକ ହୁଏ, ଯେତେବେଳେ ସମାଜର ଶେଷ ଧାଡ଼ିରେ ଥିବା ଗରିବ ଓ ଅବହେଳିତ ଶ୍ରେଣୀର ପିଲାଟି ପାଖରେ ଏହା ସହଜରେ ପହଞ୍ଚିପାରେ । ଏଥିପାଇଁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପହଞ୍ଚାଇବା ଦିଗରେ ଆମ ସମସ୍ତଙ୍କୁ ମିଳିତ ପ୍ରୟାସ କରିବାକୁ ହେବ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପାଲଲହଡ଼ାରେ ସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ତଥା ଆଧୁନିକ ଶିକ୍ଷା ପ୍ରଦାନ କରିବାରେ ବେଶ୍ ସହାୟକ ହେବ । ଏହି ବିଦ୍ୟାଳୟ ଆଗାମୀ ଦିନରେ ସମସ୍ତ ବର୍ଗର ପିଲାମାନଙ୍କ ପାଇଁ ଶିକ୍ଷାର ଏକ ନୂତନ ଆଲୋକ ବର୍ତ୍ତିକା ସାଜିବ । ଆଜି ଯେଉଁ ସ୍ଥାୟୀ କ୍ୟାମ୍ପସର ଭୂମି ପୂଜନ କରାଗଲା, ତାହା ଅତି ଶୀଘ୍ର ଅତ୍ୟାଧୁନିକ ଶ୍ରେଣୀଗୃହ, ଉନ୍ନତଧରଣର ଲ୍ୟାବ, କ୍ରୀଡ଼ା ପ୍ରାଙ୍ଗଣ ଓ ସମୃଦ୍ଧ ଲାଇବ୍ରେରୀ ସୁବିଧା ସହ ଏକ ସୁଦୃଢ଼ ଶିକ୍ଷା କେନ୍ଦ୍ର ଭାବେ ଉଭା ହେବ। ଓଡ଼ିଶାର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରି ବିକଶିତ ଓଡ଼ିଶା ଗଠନ କରିବାରେ ଶିକ୍ଷା ହିଁ ମୁଖ୍ୟ ଚାବିକାଠି ସାଜିବ ଏବଂ ଏହି ଦିଗରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଅନୁଗୋଳ ଜିଲ୍ଲାର ପାଲଲହଡା ଅଞ୍ଚଳର ଅପାର ସମ୍ଭାବନା ଉପରେ ଆଲୋକପାତ କରି ସେ କହିଛନ୍ତି ଯେ, ଏଠାରେ ସାଧାରଣ କୃଷି ସହ ସ୍ଥାନୀୟ ମତ୍ସ୍ୟଚାଷକୁ ମଧ୍ୟ ବ୍ୟାପକ ଭାବେ ଆଗକୁ ବଢାଇବାକୁ ହେବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ମତ୍ସ୍ୟ ଉତ୍ପାଦନ ବଢ଼ାଇବା ସହ ଏହାର ରପ୍ତାନୀ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ସ୍ଥାନୀୟ ‘ମାଲ୍ୟଗିରି ପର୍ବତ’ର ସ୍ୱତନ୍ତ୍ର ଅସ୍ମିତା ଓ ପରିଚୟକୁ ଏକ ବଡ଼ ବ୍ରାଣ୍ଡ୍ରେ ପରିଣତ କରିବା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ଏକ ସୁନ୍ଦର ଉଦାହରଣ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ସୁଦୂର ଜର୍ମାନୀରେ ରହୁଥିବା ଓଡ଼ିଶାର ଜଣେ ପ୍ରବାସୀ ଦମ୍ପତ୍ତି ଯେଭଳି ଭାବେ ସେଠାରେ 'ମାଲ୍ୟଗିରି ଆଚାର' ପ୍ରସ୍ତୁତ କରି ମାଲ୍ୟଗିରିକୁ ଏକ ବିଶେଷ ବ୍ରାଣ୍ଡ୍ ଭାବେ ପରିଚିତ କରାଇଛନ୍ତି, ସେହିପରି ଆମକୁ ମଧ୍ୟ ଏଠାକାର ସ୍ଥାନୀୟ ଉତ୍ପାଦଗୁଡ଼ିକୁ ବ୍ରାଣ୍ଡ୍ର ରୂପ ଦେଇ ଆଗକୁ ବଢ଼ାଇବାକୁ ପଡ଼ିବ ।
ଏହି କାର୍ଯ୍ୟକ୍ରମରେ ପାଲଲହଡ଼ାରୁ ପ୍ରତ୍ୟକ୍ଷ ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଏବଂ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।






