ହେଡଲାଇନସ୍:

ବନ୍ଧୁକ ଦେଖାଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ:ୱାର୍ଡ ସଭ୍ୟଙ୍କ ସ୍ବାମୀ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୀଡ଼ିତା ପରିବାରକୁ ଖାପ ପଞ୍ଚାୟତର ଜରିମାନା ଓ ବାସନ୍ଦ ଅଭିଯୋଗ


ଓଡ଼ଗାଁ, ୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବନ୍ଧୁକ ଦେଖାଇ ବାରମ୍ବାର ଦୁଷ୍କର୍ମ, ଗର୍ଭବତୀ ହେବା ପରେ ଗର୍ଭପାତ କରାଇବା ଏବଂ ପରବର୍ତ୍ତୀ ସମୟରେ ଖାପ ପଞ୍ଚାୟତ ମାଧ୍ୟମରେ ପୀଡ଼ିତାଙ୍କ ପରିବାର ଉପରେ ଦେଢ଼ ଲକ୍ଷ ଟଙ୍କା ଜରିମାନା ସହ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୂଆଗାଁ ବ୍ଲକ ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତର ବଡ଼ ଦୁରୁପା ଗ୍ରାମର ୱାର୍ଡ ସଦସ୍ୟ ଅନିରୁଦ୍ଧ ଜାନି (୪୦)। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୋଲିସ ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ପରିବାର ଆର୍ଥିକ ଅସୁବିଧାରେ ଥିବାରୁ ୨୦୨୫ ନଭେମ୍ବରରେ ପରିବାର ସଦସ୍ୟମାନେ କାମ କରିବା ପାଇଁ ଆସାମ ଯାଇଥିଲେ। ଏହି ସମୟରେ ନାବାଳିକା ଜଙ୍ଗଲକୁ ଛେଳି ଚରାଇବାକୁ ଯାଉଥିବା ବେଳେ ଅଭିଯୁକ୍ତ ବନ୍ଧୁକ ଦେଖାଇ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଫଳରେ ନାବାଳିକା ଗର୍ଭବତୀ ହୋଇଥିଲେ। ପରେ ଗର୍ଭ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଔଷଧ ଦେଇଥିବା ଓ ଏହା ଯୋଗୁଁ ଗର୍ଭପାତ ଘଟିଥିବା ଅଭିଯୋଗରେ ଏତଲାରେ ଉଲ୍ଲେଖ ରହିଛି। ଘଟଣା ପରେ ପୀଡ଼ିତାଙ୍କ ପରିବାର ପ୍ରତିବାଦ କରିବାରୁ ଗ୍ରାମରେ ଖାପ ପଞ୍ଚାୟତ ବସିଥିଲା। ସେଠାରେ ଗର୍ଭପାତ ପରେ କଥିତ ସୁଧି କ୍ରିୟା ନ କରିବା ଅଭିଯୋଗରେ ପରିବାର ଉପରେ ଦେଢ଼ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଥିବା ଅଭିଯୋଗ ହୋଇଛି। ପରିବାର ପକ୍ଷରୁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଗ୍ରାମବାସୀଙ୍କୁ ଭୋଜି ଦିଆଯାଇଥିଲେ ମଧ୍ୟ ଅବଶିଷ୍ଟ ଟଙ୍କା ଦେବାକୁ ଚାପ ପକାଯାଇଥିଲା। ଟଙ୍କା ନ ଦେଲେ ଗାଁରୁ ବାସନ୍ଦ କରାଯିବ ଓ ପୋଲିସ ନିକଟକୁ ଗଲେ କଠୋର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ ରହିଛି। ଶେଷରେ ପୀଡ଼ିତାଙ୍କ ମା’ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆଇଆଇସି ସତ୍ୟନାରାୟଣ ବାରିକ, ଏସଆଇ ଚକ୍ରଧର ସିଂହ ଓ ଅନ୍ୟ ପୋଲିସ ଅଧିକାରୀମାନେ ପକ୍ସୋ ଆଇନ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ନାବାଳିକାଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଯାଇଛି ଏବଂ ମାମଲାର ତଦନ୍ତ ଜାରି ରହିଛି। ତଦନ୍ତ ଆଧାରରେ ଖାପ ପଞ୍ଚାୟତରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ରହିଛି।

0
0
0
s2sdefault