ହେଡଲାଇନସ୍:

ନାଲ୍କୋ ଅଧ୍ୟକ୍ଷ ଡଃ ଚାନ୍ଦଙ୍କୁ ଶ୍ରେଷ୍ଠ  ଜାତୀୟ ପୁରସ୍କାର ‘ଏନ୍ଆଇପିଏମ୍ ରତ୍ନ’ ପ୍ରଦାନ   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚତୁର୍ଥ ଶିଳ୍ପ ଆନ୍ଦୋଳନରେ ଏମ୍ଏସ୍ଏମ୍ଇ-ଭିତ୍ତିକ ମାନବସମ୍ବଳ ମଡେଲର  ବିକାଶ ପାଇଁ ଆହ୍ୱାନ

ଭୁବନେଶ୍ୱର / ପୁଣେ :  ନାଲକୋ  ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କୁ ଆଜି ପୁଣେ ଠାରେ ଅନୁଷ୍ଠିତ  ୩୭ତମ ଏନ୍ଆଇପିଏମ୍ ବାର୍ଷିକ ଜାତୀୟ ସମ୍ମେଳନ ନାଟ୍କନ୍-୨୦୧୮ ଅବସରରେ ମର୍ଯ୍ୟାଦାଜନକ ‘ଏନ୍ଆଇପିଏମ୍ ରତ୍ନ ପୁରସ୍କାର’ ପ୍ରଦାନ କରାଯାଇଛି । ମାନବସମ୍ବଳ ପରିଚାଳନା ଏବଂ ଉଚ୍ଚମାନର ନେତୃତ୍ୱ ପାଇଁ ଡଃ ଚାନ୍ଦଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଡଃ ଚାନ୍ଦ ଏହି ପୁରସ୍କାରକୁ ଦେଶର ସମସ୍ତ ଏଚ୍ଆର୍ ଅଧିକାରୀ ଏବଂ ନାଲ୍କୋର ସମସ୍ତ କର୍ମଚାରୀଙ୍କୁ ଉତ୍ସର୍ଗ କରିଥିଲେ ।ଏହି ଅବସରରେ, ଡଃ ଚାନ୍ଦ କହିଲେ ଯେ ଆମେ ବର୍ତ୍ତମାନ ଚତୁର୍ଥ ଶିଳ୍ପ ଆନ୍ଦୋଳନର ଦ୍ୱାରସୀମାରେ ଉପନୀତ । ପୂର୍ବରୁ, ପ୍ରଥମ ଶିଳ୍ପ ଆନ୍ଦୋଳନରେ ଶାରୀରିକ ବଳରୁ ବାଷ୍ପୀୟ ଶକ୍ତିକୁ ପରିବର୍ତ୍ତନ ଆସିଥିବା ବେଳେ ଦ୍ୱିତୀୟ ଶିଳ୍ପ ଆନ୍ଦୋଳନ  ବିଦ୍ୟୁତ  ଶକ୍ତି ଏବଂ ବ୍ୟାପକ ଉତ୍ପାଦନର ଉପକ୍ରମ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ ସୂଚନାପ୍ରଯୁକ୍ତି ଏବଂ ଅଟୋମେସନର  ପ୍ରୟୋଗ ମାନବ ପ୍ରୟାସକୁ ଆହୁରି ଋଦ୍ଧିମନ୍ତ କରିଥିଲା । ସଂପ୍ରତି, ଚତୁର୍ଥ ଔଦ୍ୟୋଗିକ ଆନେ୍ଦାଳନର ଅଭ୍ୟୁଦୟ  ସହ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଇଣ୍ଟର୍ନେଟ୍ ଅଫ୍ ଥିଙ୍ଗ୍ସ, ରୋବୋଟିକ୍ସ, ଅଗ୍ମେଣ୍ଟେଡ୍ ରିଆଲିଟୀ ଆଦି ନୂତନ ଉପାଦାନ ଶିଳ୍ପାୟନକୁ ଆହୁରି ସମୃଦ୍ଧ କରୁଛି । ଡଃ ଚାନ୍ଦ ଆହୁରି ମଧ୍ୟ କହିଲେ ଯେ ଇଣ୍ଡଷ୍ଟ୍ରୀ ୪.୦ ସହ ନୂତନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ କ୍ୟାପିଟାଲ୍ ନିବେଶ ହ୍ରାସ ପାଇବା ସହ ଭାରତୀୟ ଶିଳ୍ପ ଆନ୍ତର୍ଜାତୀୟ ସ୍ତରରେ ପ୍ରତଦ୍ୱନ୍ଦିତାମୂଳକ ହୋଇପାରିବ । ସେ ଆହୁରି ମଧ୍ୟ କହିଲେ ଯେ ଉଦ୍ୟୋଗଗୁଡ଼ିକ ଚତୁର୍ଥ ଶିଳ୍ପ ଆନେ୍ଦାଳନ ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ମାତ୍ର, ୧୩ ବିଲିୟନ୍ ଜନସଂଖ୍ୟା ସହ ଭାରତ ଭଳି ଜନବହୁଳ ଦେଶରେ ପରିବର୍ତ୍ତନ ଅଧିକ ଆହ୍ୱାନମୂଳକ ଏବଂ ଦେଶର ୬୪ ପ୍ରତିଶତ ଜନସଂଖ୍ୟା କାର୍ଯ୍ୟରତ ବୟସରେ ଥିବା ଏକ ଦେଶରେ ଏହା ଆହୁରି କଷ୍ଟସାଧ୍ୟ । ବୃହତ୍ ଏବଂ ମଧ୍ୟମ ଧରଣର ଉଦ୍ୟୋଗରେ ନିଯୁକ୍ତି ସୁ୍ଯୋଗ କ୍ରମଶଃ ହ୍ରାସ ପାଉଥିବା ବେଳେ ମାନବସମ୍ବଳର ଲକ୍ଷ୍ୟ ବର୍ତ୍ତମାନ ଏମ୍ଏସ୍ଏମ୍ଇ ଉପରେ ରହିବା ଆବଶ୍ୟକ ଏବଂ ନୂତନ ମାନବସମ୍ବଳ ମଡେଲ୍ ବୃହତ୍ ଉଦ୍ୟୋଗକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦିତାମୂଳକ ହେବା ପାଇଁ ଉଦ୍ୟମ କରିବା ସହ ଏମ୍ଏସ୍ଏମ୍ଇ ଜରିଆରେ ନିଯୁକ୍ତିସୁଯୋଗର ପରିବେଶକୁ ସମୃଦ୍ଧ କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଦେଶରେ ଦକ୍ଷତାରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ଚେଷ୍ଟିତ ହେବା ଆବଶ୍ୟକ ବୋଲି ଡଃ ଚାନ୍ଦ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ପର୍ସୋନେଲ୍ ମ୍ୟାନେଜମେଣ୍ଟ (ଏନ୍ଆଇପିଏମ୍), ମାନବସମ୍ବଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କୁ ନେଇ ଗଠିତ ସର୍ବୋଚ୍ଚ ସଂସ୍ଥା, ପୁଣେ ଠାରେ ଏହାର ଦୁଇଦିନିଆ ବାର୍ଷିକ ଜାତୀୟ ସମ୍ମେଳନ ନାଟ୍କନ୍-୨୦୧୮ର ଆୟୋଜନ କରୁଛି ଏବଂ ଏହି କାର୍ଯ୍ୟକ୍ରମରେ ସମଗ୍ର ଭାରତ ଏବଂ ବିଦେଶରୁ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରୁଛନ୍ତି । ଏହି ପୁରସ୍କାର ଏବଂ ମାନବସମ୍ବଳ ପରିଚାଳନାର ନୂତନ ମଡେଲ୍ ପାଇଁ ବିଭିନ୍ନ ବର୍ଗରୁ ବ୍ୟକ୍ତିବିଶେଷ ଡଃ ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

0
0
0
s2sdefault