ବାଲ୍ୟ ବିବାହ ଦୂରୀକରଣ ପାଇଁ ଲୋକଙ୍କ ସଚେତନତା ସହ ପ୍ରଶାସନିକ ଆନ୍ତରିକତା ଜରୁରୀ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ବାଲ୍ୟ ବିବାହ ହେଉଛି ଏକ ସାମାଜିକ ବ୍ୟାଧି । ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭଳି ଏହା ଏବେ ବି କେତେକ ସ୍ଥାନରେ ଚାଲିଛି । ସମାଜରେ ଚାଲିଥିବା ପ୍ରଥା ପରମ୍ପରାକୁ ବଦଳେଇବା ପାଇଁ ସମୟ ଲାଗେ । ତେବେ ଆଧୁନିକ ଯୁଗରେ ବାଲ୍ୟ ବିବାହ ଭଳି ଏକ ସ୍ପର୍ଶକାତର ଘଟଣାର ବିଲୁପ୍ତି ପାଇଁ ଦୀର୍ଘ ଦିନଧରି ବହୁ ଚେଷ୍ଟା ଜାରିରହିଥିଲେ ବି ଆନ୍ତରିକ ଉଦ୍ୟମ ଓ ସାମାଜିକ ସଚେତନତାର ଅଭାବ ଯୋଗୁ ଏହି ବ୍ୟାଧି ଦୁର ହୋଇପାରୁନାହିଁ । ଆଜି ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ଶିକ୍ଷାନୁଷାନରେ ଏଥିପାଇଁ ବିଦ୍ୟାଳୟ ପରିଚାଳନା ସମିତ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀମାନେ ଶପଥ ପାଠ କରିଥିଲେ । ଶିକ୍ଷାକୁ ହଁ ବାଲ୍ୟ ବିବାହକୁ ନାଁ କହିବା ସହିତ ନୟାଗଡ ଜିଲ୍ଲାରୁ ବାଲ୍ୟ ବିବାହ ପ୍ରଥାକୁ ସମୁଳେ ନଷ୍ଟ କରିବା ଏହି ଶପଥ ପାଠର ମୁଖ୍ୟ ଉଦ୍ଦେଶ୍ୟ ଥିଲା । "ମୋ ପରିବାରରେ ମୁଁ କାହାର ବାଲ୍ୟ ବିବାହ କରାଇ ଦେବିନାହିଁ "ବୋଲି ପ୍ରତ୍ୟେକେ ପ୍ରତିଜ୍ଞା କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ସଚେତନତା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ତାହା ସ୍ୱାଗତ ଯୋଗ୍ୟ, ଆଉ ଏହା ଲୋକଙ୍କ ଭିତରେ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇପାରିବ । ତେବେ ଏହି ସଚେତନତା ପାଇଁ ନିରବଛିନ୍ନ ଭାବେ ଉଦ୍ୟମ ଜାରିରହିଲେ ଓ ପ୍ରଶାସନିକ ସ୍ତରରେ ଆନ୍ତରିକତା ପ୍ରଦର୍ଶନ କରାଗଲେ ଏହି ଉଦ୍ୟମ ତାର ଲକ୍ଷ୍ୟ ହାସଲ କରିପାରିବା ସହ ବାଲ୍ୟ ବିବାହ ଭାଳି ଘୃଣ୍ୟ ବ୍ୟବସ୍ଥାକୁ ଦୂର କରିବାରେ ସହାୟକ ହେବ ।
ଆମେ ଏଇ କିଛି ଦିନ ତଳର ଏକ ଦୁଃଖଦ ଘଟଣା ସମ୍ପର୍କରେ ମନେ ପକାଇଦେବାକୁ ଉଚିତ ମନେ କରିବୁ | ଏଇ କିଛିଦିନ ତଳେ ଓଡ଼ଗାଁ ପୋଲିସ କଟକ ଫୁଲନଖରାରୁ ଜଣେ ନାବାଳିକାକୁ ଉଦ୍ଧାର କରିଥିଲେ । ନାବାଳିକା ଜଣକ ସ୍ଥାନୀୟ ସାକେରୀ ହାଇସ୍କୁଲର ୧୦ମଶ୍ରେଣୀ ଛାତ୍ରୀ ଥିଲା । ଅନ୍ୟ ୨ଭଉଣୀ ଓ ଭାଇଙ୍କ ବିବାହ ପରେ ତାର ବିବାହ କରିବା ପାଇଁ ବାପା ମା ଉଦ୍ୟମ କରୁଥିବା ଜାଣିପାରି ହଠାତ୍ ଦିନେ ସନ୍ଧ୍ୟାରେ ସେ ଘରୁ ଚାଲିଗଲା । ବାପା ମା ଥାନାରେ ଅଭିଯୋଗ କରି ଚୁପଚାପ ରହିଲେ । ନିଖୋଜ ହେବାର ୯ମାସ ପରେ ଓଡ଼ଗାଁ ପୋଲିସ ୧୬ ତାରିଖରେ ମାନ୍ୟବର ନ୍ୟାୟାଳୟଙ୍କ ଠାରେ ଉକ୍ତ ନାବାଳିକାକୁ ହାଜର କରିଥିଲେ । ନ୍ୟାୟାଧିକାରୀଙ୍କ ନିକଟରେ ନାବାଳିକାଟି ଉପରୋକ୍ତ ଘଟଣା ସମ୍ପର୍କରେ ବୟାନ ଦେଇଥିଲା । ଏଥିରୁ ଜଣାଯାଏ କେହି ଜଣେ ନାବାଳିକା ସାବାଳିକା ପୁର୍ବରୁ ବିବାହ କରିବାକୁ ଚାହେଁନା । ପାରିପାର୍ଶିକ ଅବସ୍ଥା, ପରିସ୍ଥିତି ଏବଂ ସମୟ ତାକୁ ବାଧ୍ୟ କରିଥାଏ । ଆଉ ଯଦିସେ ରାଜି ନହୁଏ ତାକୁ ଜୋରଜବରଦସ୍ତ ତାକୁ ବିବାହରେ ଛନ୍ଦି ଦିଆଯାଏ । ଏସବୁ କେବଳ ତାର ଆପଣାର ଲୋକମାନେ ହିଁ କରିଥାନ୍ତି । ତେବେ ଏହିସବୁ ବାଧାବନ୍ଧନକୁ ଭାଙ୍ଗି ଖସି ଚାଲି ଆସିଥିବା ସେ ନାବାଳିକାଟି ନିଶ୍ଚୟ ଧନ୍ୟବାଦର ପାତ୍ରୀ ହେବ । କିନ୍ତୁ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପାଖରେ କୈାଣସି ତଥ୍ୟ ନାହିଁ ।