ମିଶ୍ରିତ ଚାଷ ଯୁବକମାନଙ୍କୁ ସ୍ବାବଲମ୍ବୀ କରିପାରିବ, ଯଥାଶୀଘ୍ର ଗୋଶାଳା ନିର୍ମାଣ ହେବ,
ଓଡ଼ଗାଁ ୧୫/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସ୍ତରୀୟ ପ୍ରଥମ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଓଡ଼ଗାଁ ମହୋତ୍ସବ ପଡ଼ିଆ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଡା.ପ୍ରକାଶ ଚନ୍ଦ୍ର ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବେ ଓଡ଼ିଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ତହସିଲଦାର ଡ଼. ମାନସ ରଞ୍ଜନ ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା.ବସନ୍ତ କୁମାର ବେହେରା, ଜିଲ୍ଲା ସହକାରୀ ପ୍ରାଣୀ ସମ୍ପଦ ଅଧିକାରୀ ଡା. ପ୍ରିୟ ରଞ୍ଜନ ଦାସ, ପ୍ରାଣୀ ସମ୍ପଦ ଉପଖଣ୍ଡ ଅଧିକାରୀ ଡା.ତପନ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପସ୍ଥିତ ବିଶେଷଜ୍ଞ ମାନେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ । ଓଡ଼ଗାଁ ହେବ ଓଡ଼ିଶା ବିକାଶର ଅନ୍ତୁଡିଶାଳ । ମିଶ୍ରିତ ଚାଷ ଦ୍ବାରା ଯୁବକମାନେ ସ୍ବାବଲମ୍ବୀ ହୋଇପାରିବେ।ଆତ୍ମ ନିର୍ଭରତା ବୃଦ୍ଧି ପାଇଲେ - ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଆଲୋଚିତ ହୋଇଥିଲା । ଓଡ଼ଗାଁରେ ଗୋଶାଳା ନିର୍ମାଣ ପାଇଁ ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ପ୍ରସ୍ତାବ ଉପରେ ବକ୍ତବ୍ୟ ରଖି ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରତଶ୍ରୁତି ଦେଇଥିଲେ । ଚାଷୀ ମାନଙ୍କୁ ପ୍ରେରଣା ପ୍ରଦାନ ପାଇଁ ସଫଳ ଚାଷୀ ମାନେ ସଫଳତାର ସୂତ୍ର ବଖାଣି ଥିଲେ । ମତ୍ସ୍ୟ ପାଇଁ ୪ ଜଣ, ପ୍ରାଣୀ ପାଳନ ପାଇଁ ୪ ଜଣ, ଜଣେ ଗୋରକ୍ଷକ ଏବଂ ଅନ୍ୟ ଜଣେ ଖିର ବିକାଳି ଲାଭାର୍ଥି ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏବଂ ୧୦ ଜଣ ଚାଷୀଙ୍କୁ କାମଧେନୁ ଯୋଜନାରେ ଗୋପାଳନ ନିମନ୍ତେ ଅତିଥି ମାନଙ୍କ ଦ୍ଵାରା କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରଖି ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ମାନଙ୍କ ତରଫରୁ ପରାମର୍ଶ ଦିଆଯାଇଥିଲା । ମେଳାରେ ମତ୍ସ୍ୟ,ଷପ୍ରାଣୀସମ୍ପଦ, ଜଳ ବିଭାଜିକା, ଓଡ଼ିଶା ଶ୍ରୀଅନ୍ନ ଅଭିଯାନ, ଉଦ୍ୟାନ କୃଷି ବିଭାଗ ତରଫରୁ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା । ସମସ୍ତ ପଞ୍ଚାୟତ ଓ ଓଡ଼ଗାଁ ଏନ୍ଏସିର ଗୋପାଳକ, ପ୍ରାଣୀ ପାଳକ, ମତ୍ସ୍ୟ ଚାଷୀ ଓ ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କ ସହିତ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ଜନସମାଗମ ହୋଇଥିଲା।











