ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ, ଉତ୍ତେଜନା ସହ ଡାକ୍ତର-ନର୍ସଙ୍କ ବିରୋଧରେ ଏତଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ୱାସ୍ଥ୍ୟ ସେବା ଜନସାଧାରଣଙ୍କ ମୌଳିକ ଅଧିକାର ହୋଇଥିବାରୁ ଜନସାଧାରଣଙ୍କୁ ମାଗଣାରେ ଉତ୍ତମ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସରକାର ବାଧ୍ୟ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ୫-ଟି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଉତ୍ତମ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଡ଼ାକ୍ତରଙ୍କ ସହ ଅନ୍ୟ କର୍ମଚାରୀ ଓ ଉତ୍କର୍ଷତା ପ୍ରତିପାଦନ କରୁଥିବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ସେବା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପୁରସ୍କାର, ବିଦେଶ ଭ୍ରମଣ ଓ ବୋନସ ପ୍ରଦାନ କରିବା ନିମନ୍ତେ ଘୋଷଣା କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ଚିକିତ୍ସାଳୟ ରୋଗୀ ମାରଣ ହସପିଟାଲରେ ପରିଣତ ହୋଇଥିବାର ଅଭିଯୋଗ ହେଉଛି ।
ବାରିପଦା ପିଆରଏମ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ସହ ରୋଗୀ ଓ ଆଟେଣ୍ଡେଣ୍ଟମାନଙ୍କୁ ଦୁର୍ବ୍ୟବହାର ଭଳି ସଙ୍ଗୀନ ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ସରକାର ଅଥବା ସ୍ୱାସ୍ଥ୍ୟ ବିଭାଗ ଏଦିଗରେ ତିଳେହେଲେ କର୍ଣ୍ଣପାତ କରୁନଥିବାର ପରିଲକ୍ଷିତ ହୋଇଛି । ଏହି ସମୟରେ ଆଜି ପୁଣି ଏକ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତ୍ୟ ହୋଇଥିବା ଅଭିଯୋଗକୁ ନେଇ ପିଆରଏମ ସରକାରୀ ମେଡ଼ିକାଲ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି । ରୋଗୀର ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଡ଼ାକ୍ତର, ସ୍ୱାସ୍ଥ୍ୟ ସେବୀକାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ହସପିଟାଲର ମୁଖ୍ୟ ଫାଟକ ସମ୍ମୁଖରେ ଶବ ରଖି ଆନ୍ଦୋଳନ କରିଥିଲେ । ଘଟଣା ଏତିକିରେ ସିମୀତ ରହିଯାଇନଥିଲା ; କଥା ଯାଇ ଥାନାରେ ପହଁଞ୍ଚିବା ପରେ ଡିଉଟିରେ ଥିବା ଡ଼ାକ୍ତର ଓ ସ୍ୱାସ୍ଥ୍ୟ ସେବୀକାଙ୍କ ନାମରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିବାର ଜଣାପଡ଼ିଛି ।
ନଭେମ୍ବର ୨୮ ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ରେ ବାରିପଦା ପୌରପରିଷଦ ୱାର୍ଡ ନଂ ୭ ମଧୁବନ ତଳସାହି ଅଞ୍ଚଳର ହୃଷିକେଶ ବୈଶାଖା(୬୦) ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ପୁଅ ଶଙ୍କର୍ଷଣ ବୈଶାଖା ବାଇକରେ ବସାଇ ବାରିପଦା ପିଆରଏମକୁ ନେଇ ଆସିଥିଲେ । ଡ଼ାକ୍ତର ହୃଷିକେଶଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଇସିଜି ଆଦି ଟେଷ୍ଟ ଆଦି କରାଇବା ସାଙ୍ଗକୁ ରୋଗୀଙ୍କୁ ବ୍ଲଡ଼ ଦେବାକୁ ଲିଖିତ ପରାମର୍ଶ ଦେଇଥିଲେ । ପୁଅ ଶଙ୍କର୍ଷଣ ବାପା ହୃଷିକେଶଙ୍କୁ ନେଇ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ମଧ୍ୟାହ୍ନ ଗୋଟାଏ ମଧ୍ୟରେ ସମସ୍ତ ଟେଷ୍ଟ କରି କରିସାରିଥିବା ବେଳେ ହସପିଟାଲରେ ହୃଷିକେଶଙ୍କର କୌଣସି ଚିକିତ୍ସା ଆରମ୍ଭ କରାଯାଇନଥିଲା । ସନ୍ଧ୍ୟା ରାଉଣ୍ଡ ସମୟରେ ଶଙ୍କର୍ଷଣ ସ୍ୱାସ୍ଥ୍ୟସେବୀକାଙ୍କୁ ବାପା ହୃଷିକେଶଙ୍କୁ ଔଷଧ, ଇଞ୍ଜେକସନ ଆଦି ଦେବା ନିମନ୍ତେ ଅନୁରୋଧ କରିବା ପରେ ସେହି ସମୟରେ ଡ଼ିଉଟିରେ ଥିବା ସ୍ୱାସ୍ଥ୍ୟସେବୀକା ପ୍ରଥମେ ଗୋଟାଏ ଇଞ୍ଜେକସନ ରୋଗୀଙ୍କୁ ଦେବା ପରେ ପରେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପଡ଼ିଥିଲା । ଏହାପରେ ୩/୪ଟି ଇଞ୍ଜେକସନ ରୋଗୀକୁ ଲଗାତର ଭାବେ ଦେଇଥିଲେ । ସନ୍ଧ୍ୟା ସୁଦ୍ଧା କଥାବାର୍ତ୍ତା କରୁଥୁବା ଓ ମାନସିକସ୍ତରରେ ସୁସ୍ଥ ରହିଥିବା ରୋଗୀ ହୃଷିକେଶଙ୍କ ପାଟିରୁ ଫେଣ ବାହାରି ଆସିବା ପରେ ତାଙ୍କ ଶରୀର ନିସ୍ତେଜ ହୋଇପଡ଼ିଥିଲା । ପୁଅ ଶଙ୍କର୍ଷଣ ସ୍ୱାସ୍ଥ୍ୟ ସେବିକାଙ୍କୁ ବାପାଙ୍କ ବିଷୟରେ ପ୍ରଶ୍ନ କରିବାରୁ ଇଞ୍ଜେକସନ ଦିଆ ଯାଇଥିବାରୁ ଶୋଇ ଯାଇଛନ୍ତି ଓ କିଛି ସମୟ ପରେ ଉଠିପଡ଼ିବେ ବୋଲି କହିଥିଲେ । ଏହାପରେ ହୃଷିକେଶଙ୍କ ନିସ୍ତେଜ ହୋଇଯାଇଥିବା ଶରୀରରେ ଅକ୍ସିଜେନ ଲଗାଯାଇଥିଲା ଏବଂ ରାତି ପ୍ରାୟ ତିନିଟା ସମୟରେ ସ୍ୱାସ୍ଥ୍ୟ ସେବୀକା ଆସି ଅକ୍ସିଜେନ ବାହାର କରିଦେଇଥିଲେ । ରୋଗୀର ମୃତ୍ୟୁ ହୋଇଥିବାର ଜାଣିବା ପରେ ହସପିଟାଲ ପକ୍ଷରୁ ତାର ସମସ୍ତ ଚିକିତ୍ସା ସମ୍ପର୍କୀତ କାଗଜପତ୍ରକୁ ନେଇଯାଇଥିଲେ । ପୁଅ ଶଙ୍କର୍ଷଣ ଓ ଆତ୍ମୀୟ ସ୍ୱଜନ ଡ଼ାକ୍ତରଙ୍କ ପ୍ରେସକ୍ରିପସନ ଆଦି ଦେଖିବା ଓ ତାର କପି ନେବା ପାଇଁ ଯିଦ ଧରିଥିଲେ ମଧ୍ୟ ତାହା ମିଳିପାରିନଥିଲା । ଶବକୁ ଘରକୁ ନ ଆଣି ୱାର୍ଡରେ ରଖିଥିଲେ । ନଭେମ୍ବର ୨୯ ପୂର୍ବାହ୍ନରେ ପୁଅ ଶଙ୍କର୍ଷଣଙ୍କ ପକ୍ଷରୁ ଡ଼ିଉଟିରେ ଥିବା ଡ଼ାକ୍ତର ଓ ନର୍ସଙ୍କ ନାମରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଶବକୁ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଥିଲା । ଏହାପରେ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା କରିଥିବା ଡ଼ାକ୍ତର ଓ ନର୍ସମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ହସପିଟାଲରେ ମୁଖ୍ୟ ଫାଟକ ସମ୍ମୁଖରେ ଶବକୁ ରଖି ହୃଷିକେଶଙ୍କ ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନମାନେ ଧାରଣାରେ ବସିଥିଲେ । ପୁଅ ଶଙ୍କର୍ଷଣଙ୍କ କହିବା ଅନୁସାରେ ମେଡ଼ିକାଲ କଲେଜରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଡ଼ାକ୍ତର ଓ ନର୍ସମାନେ ରୋଗୀ ଓ ଆଟେଣ୍ଡେଣ୍ଟମାନଙ୍କୁ ପଶୁ ଭଳି ଦୁର୍ବ୍ୟବହାର କରୁଛନ୍ତି । ନଭେମ୍ବର ୨୮ରେ ଏକ ୧୨/୧୩ ବର୍ଷର ସୁସ୍ଥ ସବଳ ପିଲାକୁ ଭୂଲ ଚିକିତ୍ସା କରିଥିବାରୁ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଏହିପରି ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି କହିଥିଲେ ।