ହେଡଲାଇନସ୍:

କେତେବେଳେ ଧମକ ତ କେତେବେଳେ କୋଳାକୋଳି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚାଲିଛି ହାଇ ପ୍ରୋଫାଇଲ ଡ୍ରାମା, କେତେବେଳେ ସମୂହ ଇସ୍ତଫା  ଧମକ ତ କେବେ "ସ୍ଥଗିତ ରହିଲା"

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ସେବାୟତାମାନଙ୍କ ୧୧ ଦଫା ଦାବି

ସରକାର, ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା 

ବାରିପଦା(ଦିଲ୍ଲୀପ ମହାନ୍ତି )-  ଦ୍ୱିତୀୟ ଶ୍ରୀକ୍ଷତ୍ର ଭାବେ ଖ୍ୟାତି ଲାଭ କରିଥିବା ବାରିପଦା ମହାପ୍ରଭୂ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ସେବାୟତାମାନେ ସେମାନଙ୍କ ପକ୍ଷରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ବାରିପଦାକୁ ସରକାରୀ କାଗଜ କଲମରେ ସ୍ଥାନ ଦେବା, ମୟୂରଭଞ୍ଜ ମିଶ୍ରଣ ସମୟରେ ଡଉଲ ରେଜିଷ୍ଟାର  ପଞ୍ଜିକୃତ ଦୈନ୍ଦିନ ନୀତି ଓ ପର୍ବାଣୀ ନୀତିର ଅନୁସାରେ ମହାପ୍ରଭୂଙ୍କ ସେବା ନିମନ୍ତେ ସମସ୍ତ ସଜ ନିର୍ଦ୍ଧାରିତ ସମୟ ପୂର୍ବରୁ ଯୋଗାଇ ଦିଆଯିବା,  ସ୍ୱତନ୍ତ୍ର ମାଜିଷ୍ଟ୍ରେଟ  କ୍ଷମତା ପ୍ରାପ୍ତ ସ୍ଥାୟୀ ଦେବୋତ୍ତର ନିର୍ବାହୀ ଅଧିକାରୀ ନିଯୁକ୍ତି, ବେବୋତ୍ତର ସମ୍ପତ୍ତିର ପୁନରୁଦ୍ଧାର ଓ ଉପଯୁକ୍ତ ରକ୍ଷଣାବେକ୍ଷଣ, ଦେବୋତ୍ତର ବିଭାଗ ଅଧୀନରେ ରହିଥିବା ମହାପ୍ରଭୂମାନଙ୍କ ଆଭୂଷଣଗୁଡ଼ିକର ଓଜନ ସହିତ ତାଲିକା ପ୍ରକାଶ ସହ ତାହାର ମରାମତି, ଖାଲିପଡ଼ିଥିବା ସେବାୟତ ପଦବୀଗୁଡ଼ିକୁ ଅବିଳମ୍ବେ ପୂରଣ କରାଯିବା, ମଠ ମନ୍ଦିରଗୁଡ଼ିକରେ ଠାକୁରମାନଙ୍କ ସେବାରେ ନିୟୋଜିତ ସେବାୟତମାନଙ୍କ ମାସିକ ପାଉଣା ବୃଦ୍ଧି ଆଦି ମୋଟ ୧୧ ଦଫା ଦାବିଗୁଡ଼ିକୁ ନେଇ ସରକାର, ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା ଖେଳ । ଉକ୍ତ ଖେଳରେ  ଗଣମାଧ୍ୟମ ଧାରାବିବରଣୀରେ ବ୍ୟସ୍ତ ରହିଥିବାର ପରିଲକ୍ଷିତ ହୋଇଛି । ଏଥି ସହିତ ଏହା ସେବାୟତ ଓ ସରକାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ହାଇ ପ୍ରୋଫାଇଲ ଡ୍ରାମା ଜନସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି । 

                 ୧୯୪୯ ଜାନୁଆରୀ ୧ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଓ ଜାନୁଆରୀ ୨ରେ ମୟୂରଭଞ୍ଜ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ଭାବେ ଶାସିତ ହେବା ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ତକ୍ରାଳୀନ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ; ଯାହା ମାର୍ଜାର ଏଗ୍ରୀମେଣ୍ଟ ଭାବେ ପରିଚିତ ।  ଏହି ସମୟରେ ରାଜ୍ୟ ସରକାରଙ୍କ ସହ ମୟୂରଭଞ୍ଜ ଦେଶୀୟ ରାଜ୍ୟ ମିଶ୍ରଣ ବେଳେ ରାଜଦରବାର ସମୟରେ ପ୍ରଚଳିତ ସମସ୍ତ ଦେବନୀତି ସରକାର ଅବ୍ୟାହତ ରଖିବେ ବୋଲି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ତଦ୍ଅନୁଯାୟୀ ରାଜଦରବାର ସମୟରେ ପାଳନ କରାଯାଉଥିବା ସମସ୍ତ ଦୈନନ୍ଦିନ ନୀତି ଓ ପର୍ବାଣୀ ନୀତିର ଏକ ବିଷଦ ବିବରଣୀ ଏକ ସ୍ୱତନ୍ତ୍ର ରେଜିଷ୍ଟାରରେ ପଞ୍ଜିକୃତ କରାଯାଇଥିଲା , ଯାହାକୁ ଡଉଲ ରେଜିଷ୍ଟାର କୁହାଯାଉଛି । ପରବର୍ତ୍ତି ସମୟରେ ସରକାର  ରାଜଦରବାର ସମୟରେ ପ୍ରଚଳିତ ସମସ୍ତ ଦେବନୀତିରେ ବିଘ୍ନ ଘଟାଇବାର ସମ୍ଭାବନା ରହିଥିବାରୁ ମହାରାଜା ପ୍ରତାପଚନ୍ଦ୍ର କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଛାଡ଼ି ଦେଇଯାଇଥିଲେ । 

          ମୟୂରଭଞ୍ଜ ଓଡ଼ିଶା ରାଜ୍ୟର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବା ପରେ ମହାରାଜାଙ୍କ ସମୟରେ ରହିଥିବା ସମସ୍ତ ମଠ , ମନ୍ଦିର ଓ ଏହାର ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ ନିମନ୍ତେ ଦେବୋତ୍ତର ବିଭାଗ ହାତରେ ନ୍ୟସ୍ତ କରାଗଲା ଏବଂ ଉକ୍ତ ବିଭାଗ ବାରିପଦା ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଲା । କିନ୍ତୁ ଦେବୋତ୍ତର ବିଭାଗ କୌଣସି କାରଣରୁ ଏହି ଗୁରୁଦାୟିତ୍ୱ ସମ୍ଭାଳିବାରେ ବିଫଳ ହେବାରୁ ମଠ ମନ୍ଦିର ନାମରେ ମହାରାଜା ଛାଡ଼ି ଦେଇଯାଇଥିବା ସମ୍ପତ୍ତିକୁ ମୁଷ୍ଟିମେୟ ସରକାରୀ କର୍ମଚାରୀ, ସମାଜର କେତେକ ପ୍ରଭାବଶାଳୀ ବ୍ୟକ୍ତି ଦଖଲକୁ ନେଇଯାଇଥିବା ବେଳେ କିଛି ସମ୍ପତ୍ତି ସରକାରୀ ଖାତାକୁ ଚାଲିଗଲା । ରହିଗଲା ଅଳ୍ପ କିଛି ମୂଲ୍ୟହୀନ ସମ୍ପତ୍ତି । ମହାପ୍ରଭୂଙ୍କ ସମ୍ପତ୍ତିରୁ କିଛି ସମ୍ପତ୍ତିକୁ ମଧ୍ୟ ଶାଗମାଛ ମୂଲ୍ୟରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ ଲିଜ ସୂତ୍ରରେ ପ୍ରଦାନ କରାଗଲା । ସେହିପରି ମହାରାଜା ମହାପ୍ରଭୂଙ୍କ ସେବାକାର୍ଯ୍ୟରେ ନିୟୋଜିତ ହୋଇଥିବା ସେବକ ସେବୀକାମାନଙ୍କୁ ଦେଇଥିବା ଜାଗିରୀ ସମ୍ପତ୍ତି ମଧ୍ୟ ବାଦ ପଡ଼ିନାହିଁ । ମହାପ୍ରଭୂଙ୍କ ସେବକମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ଧ୍ରୁତରାଷ୍ଟ୍ର ସାଜି ଆଖିରେ ଅନ୍ଧପୁଟଳି ବାନ୍ଧି ବସିଛି । ପୁଣି ଡଲଲ ରେଜିଷ୍ଟାର ଅନୁସାରେ ଦୈନିକ ନୀତି, ପର୍ବାଣୀ ନୀତି ମିଳୁନାହିଁ ସାମଗ୍ରୀ । ଫଳରେ ବିଭିନ୍ନ ସମୟରେ ମହାପ୍ରଭୂଙ୍କ ଦୈନନ୍ଦିନ ସେବାକାର୍ଯ୍ୟରେ ବିଘ୍ନ ଘଟି ଆସୁଛି । ପୁଣି ମହାପ୍ରଭୂମାନଙ୍କ ସେବକ ସେବୀକାମାନଙ୍କ ପାଉଣା ବାବଦରେ ଦେବୋତ୍ତର ବିଭାଗ ଯାହା ଯୋଗାଇ ଦେଉଛି ତାହା ସେମାନଙ୍କ ପରିବାରର ଗୋଟାଏ ଦିନର ଖର୍ଚ୍ଚକୁ ମଧ୍ୟ ନିଅଣ୍ଟ ପଡ଼ୁଛି । 

 ଏହି ସମସ୍ତ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ନିମନ୍ତେ ସେବାୟତମାନେ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ଦାବିପତ୍ର, ଆନେ୍ଦାଳନ , ଧାରଣା ଓ  ଅନଶନ ଆଦି ଚଳାଇ ଆସୁଛନ୍ତି । ରାଜ୍ୟ ସରକାର, ଏଣ୍ଡୋମେଣ୍ଟ କମିଶନର, ଜିଲ୍ଲାପ୍ରଶାସନ କେବଳ ଆଶ୍ୱାସନା ପରେ ଆଶ୍ୱାସନା ଦେଇ ଚାଲିଛନ୍ତି । ପୂର୍ବତନ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ନେତୃତ୍ୱରେ ଏକାଧିକ ଥର ବୈଠକ ବସିଥିଲା । କିନ୍ତୁ କଣସି ସୁଫଳ ମିଳିପାରିନଥିଲା । 

            ଏହି ସମୟରେ ଗତ ଏପ୍ରିଲରେ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ପ୍ରଚାର ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ବାରିପଦା ଗସ୍ତରେ ଆସି ମହାପ୍ରଭୂ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ଦର୍ଶନରେ ଯାଇଥିବା ବେଳେ ସେବାୟତମାନେ ସେମାନଙ୍କର ବିଭିନ୍ନ ଦାବି ଓ ଦୈନନ୍ଦିନ ସମ୍ମୁଖୀନ ହୋଇ ଆସୁଥିବା ବିଭିନ୍ନ ସମସ୍ୟାଗୁଡ଼ିକ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ସେବାୟତମାନଙ୍କ ଦାବିଗୁଡ଼ିକୁ ନିର୍ବାଚନ ପରେ ପୂରଣ କରାଇବାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । କିନ୍ତୁ ନିର୍ବାଚନ ପରେ ସେବାୟତମାନଙ୍କ ଦାବିଗୁଡ଼ିକ ପୂରଣ ନିମନ୍ତେ  ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେବାୟତମାନେ ନବୀନ ନିବାସ ପଦଯାତ୍ରାରେ ବାହାରି ଥିଲେ ଏବଂ ରାଜସ୍ୱ ମନ୍ତ୍ରୀ ତଥା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟକ ସୁଦାମ ମାର୍ଣ୍ଡି ସେବାୟତମାନଙ୍କୁ ନବୀନ ନିବାସ ନେଇ ଦାବି ପୂରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ପରବର୍ତ୍ତି ସମୟରେ ସେବାୟତମାନଙ୍କୁ ନେଇ ଭୂବନେଶ୍ୱରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରାଇଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ଦାବିଗୁଡ଼ିକ ଅବିଳମ୍ବେ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ମନ୍ତ୍ରୀ, ପଦାଧିକାରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ପରେ ମନ୍ତ୍ରୀ ପ୍ରତାପ ଜେନା ବାରିପଦା ଗସ୍ତରେ ଆସି ସେବାୟତମାନଙ୍କ ସହ ବୈଠକରେ ବସି ଆଲୋଚନା କରିଥିଲେ । ଏହାପରେ ଦ୍ୱିତୀୟ ବୈଠକ ଭୂବନେଶ୍ୱରରେ ବସିଥିଲେ ମଧ୍ୟ ସେବାୟତମାନଙ୍କ ଦାବି ଓ ସମସ୍ୟା କେବଳ ଆଲୋଚନା ଓ ବୈଠକରେ ସିମୀତ ରହିଯାଇଥିଲା । ଏହି ସମୟରେ କେବଳ ବାରିପଦାକୁ ବାଦ ଦେଇ ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାର ବିଭିନ୍ନ ମନ୍ଦିରକୁ କୋଟି କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଚାଲିଛନ୍ତି । ଏଥିରେ ସେବାୟତମାନେ ନଭେମ୍ବର ୩୦ ମଧ୍ୟରେ ସେମାନଙ୍କ ଦାବି ପୂରଣ କରାନଗଲେ ଡ଼ିସେମ୍ବର ୧ରେ ସାମୂହିକ  ଇସ୍ତଫା ଦେବାର ଚେତାବନୀ ଦେବା ସଂଗେସଂଗେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଥିଲେ । ଏହି ସମୟରେ ଗତ ନଭେମ୍ବର ୨୬ରେ ଭୂବନେଶ୍ୱରଠାରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ କାର୍ତ୍ତିକେୟନ ପାଣ୍ଡିଆନ, ପରାମର୍ଶଦାତା ବାଲକ୍ରୀଷ୍ଣନ୍ ପ୍ରମୁଖଙ୍କ ସମେତ  ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସାକ୍ଷାତ କରି ଆଲୋଚନା କରିବାପରେ ସାମୂହିକ ଇସ୍ତଫାକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସେବାୟତ ଅରୁଣ ମିଶ୍ର ନଭେମ୍ବର ୨୭ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

                   ସେବାୟତମାନଙ୍କ ସ୍ମାରକ ପତ୍ର ପ୍ରଦାନ, ଆନ୍ଦୋଳନ , ଅନଶନ, ପଦଯାତ୍ରା, ସାମୂହିକ ଇସ୍ତଫା ଆଦିକୁ ନେଇ ସରକାର, ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା ଖେଳ ଉପରେ ସେବାୟତମାନଙ୍କ ପ୍ରେସ ଇସ୍ତାହାର, ସାମ୍ବାଦିକ ସମ୍ମିଳନୀ  ଗଣମାଧ୍ୟମରେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ହେବ  ଧାରାବିବରଣୀ ପ୍ରଦାନ ଭଳି ବିସ୍ତୃତ ଖବର ପସାରିତ ହେବାରେ ଲାଗିଛି ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । 

 

0
0
0
s2sdefault