ଦିନିକିଆ ମୟୁରଭଞ୍ଜ ଗସ୍ତରେ ରାଜ୍ୟପାଳ ଗଣେଶୀଳାଲ
ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶାର ରାଜ୍ୟପାଳ ଗଣେଶୀଳାଲ ଆଜି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ପ୍ରଥମେ ରାସଗୋବିନ୍ଦପୁର ବ୍ଲକ ଅଧିନସ୍ଥ ମାଣିକପୁରଠାରେ ୧୯୯୨ ମସିହାରେ ପ୍ରତିଷ୍ଠିତ ଚକାଡୋଳା ବିଦ୍ୟାପୀଠର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପରିଚାଳନା ସମିତିର ସଭାପତି ଡ଼ା ଆଦ୍ୟତ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନ ସଭାରେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ଏବଂ ଜିଲ୍ଲା ପରିଷଦ ସୁଜତା ମୁର୍ମୁ ,ବିଜେପିର ମୟୂରଭଞ୍ଜ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ଆର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ଗୋପିବଲ୍ଲଭ ଭୂୟାଁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସଭାପତି ଡ଼। ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ା ଆଦ୍ୟତ ପଣ୍ଡା, ତାରାକାନ୍ତ ପରିଡା, ଶିରିଶ ଚନ୍ଦ୍ର ଗିରି, ଶିରିଶ ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ମହାନ୍ତି ଓ ପ୍ରଧାନଶିକ୍ଷକ ଗୋପିବଲ୍ଲଭ ଭୂୟାଁ ଙ୍କୁ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀଳାଲ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବିଗତ ବର୍ଷ ମାନଙ୍କରେ ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ପଲ୍ଲବୀ ପଣ୍ଡା, ଅଭିଷେକ ପଣ୍ଡା, ପାଥସାରଥି ପଣ୍ଡା, କାତ୍ତିକସାହୁ, ସୁଧିର ମହାନ୍ତଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ ।
ଏହାପରେ ରାଜ୍ୟପାଳ ବାରିପଦା ତଖତପୁରସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପରିସରରେ ପ୍ରସନ୍ନ ଦଶ ଫାଉଣ୍ଡେସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ତଥା ପୂର୍ବତନ ବିଧାୟକ ପ୍ରସନ୍ନ ଦାଶଙ୍କ ଜୀବନୀ ଉପରେ ଆଧାରିତ "କର୍ମବୀର ପ୍ରସନ୍ନ ଦାସ " ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ କର୍ମବୀର ଶବ୍ଦ ସ୍ବର୍ଗତଃ ଦାଶଙ୍କ ପାଇଁ ଯଥାର୍ଥ ବୋଲି ବର୍ଣ୍ଣନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରେ ଉକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଳାଲ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କର୍ମବୀର ଶବ୍ଦର ତାତ୍ପର୍ଯ୍ୟ ଉପରେ ବୁଝାଇଥିଲେ । ଚନ୍ଦ୍ର ସମସ୍ତଙ୍କୁ ଆଲୋକ ପ୍ରଦାନ କରେ କିନ୍ତୁ ନିଜ ଭିତରେ ଥିବା ଅନ୍ଧାରକୁ ପ୍ରକାଶ କରେ ନାହିଁ , ପୁଣି ସୂର୍ଯ୍ୟ ନିଜେ ଜଳି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଆଲୋକ ପ୍ରଦାନ କରୁଥିଲେ ମଧ୍ୟ ନିଜର କଷ୍ଟ ପ୍ରକାଶ କରେ ନାହିଁ । ସେହିପରି ଏହି ସଂସାରରେ ମା ଓ ପିତା ନିଜ ଉପରେ ଯେତେ କଷ୍ଟ ଆସିଲେ ମଧ୍ୟ ନିଜ ସନ୍ତାନ ଉପରେ ତାହା ପଡ଼ିବାକୁ ଦିଅନ୍ତି ନାହିଁ ଓ ସମସ୍ତ ଦୁଃଖକଷ୍ଟକୁ ସହ୍ୟ କରି ନିଜର କର୍ମ କରିଚାଲି ଥାନ୍ତି ବୋଲି ପ୍ରକାଶ କରିଥିଲେ । ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବାରିପଦାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।