୧୦ ମାସ ହେବ ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱ ସମ୍ଭାଳିଛନ୍ତି ସଂସ୍କୃତି ଅଧିକାରୀ
ପର୍ଯ୍ୟଟନସ୍ଥଳୀ ବିକାଶ ବାଧାପ୍ରାପ୍ତ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
ବାରିପଦା(ଦିଲ୍ଲୀପ ମହାନ୍ତି )- ପର୍ଯ୍ୟଟନ ଶିଳ୍ପ ରୋଜଗାରର ଏକ ମାଧ୍ୟମ । ମୟୂରଭଞ୍ଜ ଜିଲ୍ଲାରେ ବୃହତ୍ତ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ହୋଇପାରିନଥିବାରୁ କେବଳ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ଭବ ହୋଇପାରିଲେ ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାରର ରାସ୍ତା ଫିଟାଇ ପାରନ୍ତା । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପ୍ରାକୃତ୍ତି ସୌନ୍ଦର୍ଯ୍ୟର ଗନ୍ତାଘର । ଏଥି ସହିତ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରାୟ ୧୯ରୁ ଅଧିକ ପର୍ଯ୍ୟଟନସ୍ଥଳୀକୁ ଚିହ୍ନଟ କରାଯାଇଛି । ପୁଣି ରହିଛି ଖିଚିଂ ଓ ବାରିପଦା ସଂଗ୍ରାହାଳୟ । ଯଶୀପୁର କୁମ୍ଭୀର ଗବେଷଣା କେନ୍ଦ୍ର ଆଦି । କିନ୍ତୁ କେଉଁ ପର୍ଯ୍ୟଟନସ୍ଥଳିକୁ ରାସ୍ତା ନାହିଁ, ପୁଣି କେଉଁଠି ବିଜୁଳି ଓ ରହିବାର ସୁବିଧା ନାହିଁ । ଖିଚିଂର ଉନ୍ନୟନ ନିମନ୍ତେ କୋଟିଏ ଟଙ୍କାର ଅନୁଦାନ ଆସିଥିବା ବେଳେ ଏହା ଖର୍ଚ୍ଚ ହୋଇନପାରି ପଡ଼ିରହିଛି । ଜିଲ୍ଲାରେ ପର୍ଯ୍ୟଟନସ୍ଥଳଗୁଡ଼ିକ ନିମନ୍ତେ ସରକାରୀ ଭାବେ ମୋଟ ୨୦ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଥିବା ବେଳେ ରହିଛନ୍ତି ମାତ୍ର ୮ ଜଣ କର୍ମଚାରୀ । ବାରିପଦାଠାରେ ଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ମଞ୍ଜୁରୀ ପ୍ରାପ୍ତ ପଦବୀ ୬ ମଧ୍ୟରୁ ଜଣେ ଠିକା କର୍ମଚାରୀ, ଚୌକିଦାର ଓ ପିଅନକୁ ନେଇ ଚାଲିଛି କାର୍ଯ୍ୟାଳୟ । ୨୦୧୯ ଫେବୃଆରୀରୁ ପର୍ଯ୍ୟଟନ ଅଧିକାରୀ ପଦବୀ ଖାଲିପଡ଼ିଛି । କାମ ଚଳାଉଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ । ପର୍ଯ୍ୟଟନ ଅଧିକାରୀ ଭାବେ ଜଣେ ମହୀଲା ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିଲେ ମଧ୍ୟ ବାରିପଦା ନ ଆସି ଭୂବନେଶ୍ୱରରେ କାର୍ଯ୍ୟକରୁଛନ୍ତି । ଅର୍ଥାତ୍ ଭୂବନେଶ୍ୱର କାର୍ଯ୍ୟାଳୟରେ କାର୍ଯ୍ୟ ଦରମା ମୟୂରଭଞ୍ଜରୁ । ପୁଣି ଜିଲ୍ଲାର ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟ ଜଣେ ଢେ଼ଙ୍କାନାଳରେ କାର୍ଯ୍ୟ କରୁଛନ୍ତି । ଜିଲ୍ଲାରେ ପର୍ଯ୍ୟଟନ ଅଧିକାରୀ ନଥିବାରୁ ପର୍ଯ୍ୟଟନସ୍ଥଳିଗୁଡ଼ିକର ଉନ୍ନୟନ ବାଧାପ୍ରାପ୍ତ ହୋଇଛି । ଆସିଥିବା ଟଙ୍କାର ୟୁସି ଯାଇପାରୁ ନାହିଁ । ଫଳରେ ପରବର୍ତ୍ତି ସମୟରେ ପର୍ଯ୍ୟଟନସ୍ଥଳର ବିକାଶ ନିମନ୍ତେ ଅର୍ଥ ଆସିପାରୁ ନାହିଁ । ମୋଟ ଉପରେ ଜିଲ୍ଲାରେ ପର୍ଯ୍ୟଟନ ବିଭାଗ ବିନା ମୁରବୀରେ ଚାଲୁଥିବାରୁ ପର୍ଯ୍ୟଟନସ୍ଥଳିଗୁଡ଼ିକର ରକ୍ଷଣାବେକ୍ଷଣ ଓ ବାକାଶ ଠପ୍ ହୋଇପଡ଼ିଛି । ପୁଣି ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକଗୁଡ଼ିକରୁ ମୋଟ ୨୪୫ ଜଣ ବରିଷ୍ଠ ନାଗରିକ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯିବାର ଚିହ୍ନଟ କରାଯାଇଛି । କିନ୍ତୁ ଏହି କାର୍ଯ୍ୟ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ଶେଷ ହୋଇପାରିନାହିଁ । ସରକାରଙ୍କ ଉଦାସୀନତା ଓ ଅପାରଗତା କାରଣରୁ ମୟୂରଭଞ୍ଜ ପର୍ଯ୍ୟଟନ ବିଭାଗ ଶ୍ରୀହୀନ ହୋଇପଡ଼ିଥିବାର ଅଭିଯୋଗ କରିଛନ୍ତି ସିଟୁ ଶ୍ରମିକ ସଙ୍ଗଠନର ନେତା ଆଇନଜୀବୀ ରବି ଗୋସ୍ୱାମୀ । ସେହିପରି ଶ୍ରୀଗୋସ୍ୱାମୀ ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ସରକାର ଓ ୫ଟି କାର୍ଯ୍ୟକ୍ରମ ପ୍ରତି ଅଙ୍ଗୁଳି ଉଠାଇଛନ୍ତି । ଏଥି ସହିତ ଜିଲ୍ଲାରେ ଅବିଳମ୍ବେ ସ୍ଥାୟୀ ପର୍ଯ୍ୟଟନ ଅଧିକାରୀ ନିଯୁକ୍ତି ସହ ଖାଲିପଡ଼ିଥିବା ପଦବୀଗୁଡ଼ିକୁ ଅବିଳମ୍ବେ ପୂରଣ କରାଯିବା, ସମସ୍ତ ପର୍ଯ୍ୟଟନସ୍ଥଳ ଗୁଡ଼ିକର ଉନ୍ନୟନ ସହ ପର୍ଯ୍ୟଟକମାନଙ୍କ ଯାତାୟତ, ରହିବା ଓ ସେମାନଙ୍କର ସୁରକ୍ଷା ଆଦିର ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ଦାବି କରିଛନ୍ତି ।