ରାୟଗଡା (ସରୋଜ ସାହୁ)– ଚଳିତ ମାସ ୧୯ ତାରିଖ ଦିନ ଆଲେପି-ଧନବାଦ୍ ଟ୍ରେନରୁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଯୁବକକୁ ଅପହରଣ ଘଟଣାରେ ରାୟଗଡା ପୋଲିସ ୩ ଜଣ ନାବାଳକ ସମତେ ୬ ଜଣଙ୍କୁ ଗିରଫ କରିଥବା ବେଳେ ମୁଖ୍ୟ ଆସାମୀ ସହ ୫ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଫେରାର ମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଏଚ. ଶିବା ମଧ୍ୟ ସାମିଲ ଥିଲା । ମୁଖ୍ୟ ଅଭିଯୁକ୍ତ ହାଡିପା ଶିବାକୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସର୍ଚ ଅପରେସନ ଚାଲୁ ରହିଥିଲା । ତେବେ ଆଜି ଭୋର ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାୟଗଡ ଆରକ୍ଷୀ ଅଧିକ୍ଷକ ଡ. ସର୍ବଣା ବିବେକ ଏମ ଙ୍କ ନିର୍ଦେଶ କ୍ରମେ ରାୟଗଡା ଥାନା ସବଇନିସପେକ୍ଟର ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ରାୟଗଡ ସଦର ମହକୁମା ଠାରୁ ୮ କି.ମି ଦୂରରେ ଥିବା ଶଙ୍କେସ ମନ୍ଦିର ନିକଟସ୍ଥ ଜଙ୍ଗଲରେ ପୋଲିସ ଚଢଉ କରିଥିଲା । ସେହି ସମୟରେ ମୁଖ୍ୟ ଅଭିଯୁକ୍ତ ଶିବା ସହ ଅନ୍ୟ ୩ ଜଣ ଅଭିଯୁକ୍ତ ମଧ୍ୟ ଜଙ୍ଗଲରେ ଉପସ୍ଥିତ ଥିଲେ । ପୋଲିସ ଆସୁଥିବା ଦେଖି ପ୍ରଥମେ ଅଭିଯୁକ୍ତ ମାନେ ପୋଲିସ ଉପରକୁ ପଥର ଫୋପାଡି ଥିଲେ ଏଥିରେ ହାବିଲଦାର ଦିଲିପ ହୋତା ଆହତ ହୋଇଥିବା ଜଣାପଡିଛି । ପରେ ମୁଖ୍ୟ ଅଭିଯୁକ୍ତ ଶିବା ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଫୁଟାଇଥିଲା । ଫଳରେ ରାୟଗଡା ଥାନା ସବଇନିସପେକ୍ଟର ରିଗାନ କିଣ୍ଡୋ ଆହତ ହୋଇଥିଲେ । ପୋଲିସ ପକ୍ଷରୁ ପାଲଟା ୨ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା ଓ ଏଥିରେ ଗୁଳିଟି ମୁଖ୍ୟ ଅଭିଯୁକ୍ତ ଶିବାର ବାମ ଗୋଡରେ ବାଜିଥିଲା । ଶିବାକୁ ଗୁଳି ବାଜିଥିବା ଦେଖି ଅନ୍ୟ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ପୋଲିସ ଗୋଟିଏ ବନ୍ଧୁକ ସହ ୯ଟି ଜୀବନ୍ତ ଗୁଳି ଜବତ କରିଥିଲେ । ରାୟଗଡା ଥାନା ସବଇନିସପେକ୍ଟର ରିଗାନ କିଣ୍ଡୋ ଏବଂ ମୂଖ୍ୟ ଅଭିଯୁକ୍ତ ଶିବାକୁ ପ୍ରାଥମିକ ଚିକିତ୍ସା ନିମନ୍ତେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ କଡା ସୁରକ୍ଷା ମଧ୍ୟରେ ଅଧିକ ଚିକିତ୍ସା ନିମନ୍ତେ ଶିବାକୁ ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି ମେଡିକେଲ କଲେଜରେ ଭର୍ତି କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ଆଜି ରାୟଗଡା ଜିଲ୍ଲା ଆରକ୍ଷୀ ଅଧିିକ୍ଷକ ଡ.ସର୍ବଣା ବିବେକ ଏମ ଘଟଣା ସଂପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶିବା ନାମରେ ରାୟଗଡା ଥାନାରେ ବର୍ତମାନ ସୁଦ୍ଧା ୫୦ ରୁ ଉର୍ଧ୍ଵ ମାମଲା ରାୟଗଡ ଥାନାରେ ରୁଜ୍ଜୁ ହୋଇଥିବା ବେଳେ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ଭାବେ ରାୟଗଡା ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି କରିଥିଲା । ଶିବା ନାମରେ ରାୟଗଡା ଥାନାରେ ଏକାଧିକ ମାମଲା ରୁଜୁ ହୋଇଥିବା ବେଳେ ଶିବା ବିଭିନ୍ନ ଡକାୟତି ମାମଲା, ଅପହରଣ, ମନ୍ଦିରରୁ ମୂର୍ତି ଚୋରି, ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବା ଭଳି ସଙ୍ଗିନ ମାମଲାରେ ସଂପୃକ୍ତ ଥିବା ରାୟଗଡ ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ପ୍ରକାଶ ।