ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୦ ପାଇଁ ପ୍ରସ୍ତୁତି ବୈଠକ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ମହୋତ୍ସବ କମିଟି ତରଫରୁ ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀମେଳା ୨୦୨୦ ପ୍ରସ୍ତୁତି ସାଧାରଣ ବୈଠକ ପଂଚାୟତ ସମିତି ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ବିଭୁପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ବୈଠକରେ କମିଟି ସମ୍ପାଦକ ତଥା ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ ପୂର୍ବ ଏବଂ ବର୍ତମାନ ମହୋତ୍ସବ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବସମ୍ମତିକ୍ରମେ ୨୦୨୦ ମସିହା ଜାନୁଆରୀ ମାସ ୯,୧୦,୧୧,୧୨ ଗୁର, ଶୁକ୍ର, ଶନି, ରବି ୪ ଦିନ ଧରି ଓଡ଼ଗାଁ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ପୂର୍ବ କମିଟି ବଳବତର ରହିବା ସହିତ ରବିନ୍ଦ୍ରନାଥ ପଷ୍ଟିଙ୍କୁ କାର୍ଯ୍ୟକାରୀ କମିଟିର ନୁତନ ସଭ୍ୟ ଭାବରେ ଗ୍ରହଣ କରାଗଲା । ବିଧାନସଭା ଚାଲିଥିବା ଯୋଗୁଁ କମିଟିର ସଭାପତି ନୟାଗଡ଼ ବିଧାୟକ ତଥା କୃଷି ସଶକ୍ତିକରଣ, ପ୍ରାଣୀସମ୍ପଦ, ମତ୍ସ୍ୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅନୁପସ୍ଥିତ ଥିଲେ ହେଁ ପରବର୍ତି ବୈଠକରେ ସେ ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତିର ତଦାରଖ କରିବେ ବୋଲି ସମ୍ପାଦକ ସାଧାରଣ ସଭାରେ କହିଥିଲେ । ମହୋତ୍ସବକୁ ସୁଚାରୁରୁପେ ପରିଚାଳନା ନିମନ୍ତେ ଗଠନ କରାଯାଇଥିବା ବିଭିନ୍ନ ସବ୍ କମିଟି ଗୁଡିକ ଶାନ୍ତି ଶୃଙ୍ଖଳାର ସହିତ ସେମାନଙ୍କର ଦାୟିତ୍ୱ ତୁଲାଇବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ବ୍ଲକ ଏବଂ ପୋଲିସ ପ୍ରଶାସନ ତରଫରୁ ଆବଶ୍ୟକୀୟ ସହଯୋଗ ମିଳିବ ବୋଲି ସମ୍ପାଦକ କହିଥିଲେ । ମହୋତ୍ସବକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଏହାର ପ୍ରଚାର ପ୍ରସାର ନିମିତ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ନିର୍ମାଣ ସହିତ ଆଲୋକି କରଣ କରିବାକୁ ଓଡ଼ଗାଁ ବାର ଆସୋସିଏସନ ସଭାପତି ଇନ୍ଦୁଭୁଷଣ ମିଶ୍ର ପରାମର୍ଶ ଦେଇଥିଲେ ।