ମେଲଛାମୁଣ୍ଡା. ବରଗଡ ଜିଲ୍ଲା ଘେଁସ ରେଂଜ ଅର୍ନ୍ତଗତ ଦିପ୍ତିପୁର ସେକସନ ଅଧିନସ୍ଥ ଘନାମାଳ ଗ୍ରାମବାସୀ ଅତଙ୍କିତ ଅବସ୍ଥାରେ ଅଛନ୍ତି । କିଛି ଦିନ ପୂର୍ବେ ଗ୍ରାମର ଦେବାନନ୍ଦ ବେହେରା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଦୃଶ୍ୟ ଗ୍ରାମବାସୀଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଶନିବାର ଭୋର୍ ରୁ ସେହି ହାତୀ ଗାଁ ମୁଣ୍ଡକୁ ଚାଲି ଆସିଥିବା ଘଟଣା ଗ୍ରାମବାସୀ ମାନଙ୍କୁ ଆହୁରି ଆତଙ୍କିତ କରିଥିଲା । ଗ୍ରାମବାସୀ ହାତୀର ଉପସ୍ଥିତିକୁ ନେଇ ବନ କର୍ମଚାରୀଙ୍କୁ ଗ୍ରାମର ମାଉସୀ ମନ୍ଦିର ପ୍ରାଙ୍ଗଣରେ ଅଟକ ରଖି ଅଂଚଳବାସୀ ଙ୍କ ଧନ ଜୀବନ ସୁରକ୍ଷା ଦାବୀ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଡି.ଏଫ.ଓ ଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ରେବତୀ ରଂଜନ ଯୋଶୀ ଘଟଣା ସ୍ଥଳକୁ ଆସି ଗ୍ରାମବାସୀଙ୍କ ସହିତ ଆଳୋଚନା କରିଥିଲେ । ଅସନ୍ତୁଷ୍ଟ ଗ୍ରାମବାସୀ ଉପସ୍ଥିତ ଅଧିକାରୀଙ୍କୁ ସୁରକ୍ଷା ଦାବି, ଗ୍ରାମରେ ସୋଲାର ଲାଇଟ ବ୍ୟବସ୍ଥା କରିବା, ହାତୀ ପଳ ନଆସିବା ପାଇଁ ସୋଲାର ଫେନ୍ସିର ବ୍ୟବସ୍ଥା କରିବା, ହାତୀପଳ ଘଉଡାଇବା ପାଇଁ ଉପଯୁକ୍ତ ସୁରକ୍ଷାକର୍ମୀ ଯୋଗାଇଦେବା, ହାତୀପଳ କରୁଥିବା ଫସଲ କ୍ଷତିର ଉପଯୁକ୍ତ ଆକଳନ କରି ସଠିକ୍ ମୂଲ୍ୟ ଯୋଗାଇ ଦେବା, ହାତୀ ପଳ ଘଉଡାଇବା ପାଇଁ ଉପଯୁକ୍ତ ଲାଇଟ ଯୋଗାଣ କରିବା ସହ ବନପାଳ ପୂର୍ଣ୍ଣଚନ୍ଦ୍ର ଦୋରା ଙ୍କ କାର୍ଯ୍ୟ ଅବହେଲା ଯୋଗୁଁ ତାଙ୍କର ଧନ ଜୀବନ ନଷ୍ଟ ହେଉଥିବା ଦାବି କରିଥିଲେ । ଆହୁରି ମଧ୍ୟ ଅଂଚଳର ଦାୟିତ୍ୱରେ ଥିବା ବନ କର୍ମ•ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଏସିଏଫ୍ ଶ୍ରୀ ଯୋଶୀ ଗ୍ରାମବାସୀଙ୍କ ବିଭିନ୍ନ ଦାବୀ ଗୁଡିକୁ ଡିଏଫଓ ଙ୍କୁ ଜଣାଇବା ସହ ଅଂଚଳର ସୁରକ୍ଷା ପାଇଁ ମୌଖିକ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଅଟକ ବନ କର୍ମଚାରୀଙ୍କୁ ଛାଡିଥିଲେ । ଏସିଏଫ ଯୋଶୀଙ୍କ ସହ ୱାର୍ଡମେମ୍ବର ନବୀନ ସେଠ, ଗହଳ ମହାନନ୍ଦ, ସନ୍ତୋଷ ଗଡତିଆ, ସୋମନାଥ ବାରିକ, ବାସନ୍ତୀ ପଧାନ, ଅନିରୁଦ୍ଧ ରଣା, କୌଶିକ ଗଡତିଆ, ଝସକେତନ ମେହେର, ସଂଜୀବ ଗଡତିଆ, ନବିନ ଗଡତିଆ, ଶୁକ୍ରି ଗଡତିଆ, ସୁଶ୍ରୀ ପଧାନ ପ୍ରମୁଖ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ । ପ୍ରକାଶଯୋଗ୍ୟ ଯେ ଏକ ହାତୀ ପଲରୁ ଏକ ହାତୀ ବାଟ ବଣା ହୋଇ ଅଂଚଳରେ ଆତଙ୍କ ସୃଷ୍ଟି କରି ଚାଲିଥିଲେ ମଧ୍ୟ ବନ କର୍ମଚାରୀ ହାତୀଟିକୁ ଠାବ କରି ନପାରିବା ଅଂଚଳବାସୀଙ୍କ ନିଦ ହଜେଇ ଦେଇଛି । ଅସନ୍ତୋଷ ଗ୍ରାମବାସୀ କାଳେ କିଛି ଅଘଟଣ ନ ଘଟାଇବେ ବୋଲି ମେଲଛାମୁଣ୍ଡା ପୁଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସୂଚନା ଥାଉକି ଆଗରୁ ଜ୍ଞାନ ଗ୍ରାମର ବିପ୍ର ସାମିନୀ ଙ୍କ ହାତୀ ଅକ୍ରମଣରେ ମୃତ୍ୟୁ ହୋଇଥିଲା । ଦୁବୁଲବାହାଲ ଛକ ଠାରୁ କିଛି ଦୂରରେ ଜଣେ ଅଜଣା ମହିଳା ହାତୀ ଆକ୍ରମଣର ଶିକାର ହୋଇଥିଲେ । ଏହି କାରଣରୁ ଲୋକମନେ ହାତୀ ଆତଙ୍କରେ ରହିଥିବା କାରଣରୁ ରାତ୍ର ସମୟରେ ଯିବା ଆସିବାକୁ ସୁରକ୍ଷିତ ମଣୁ ନାହାନ୍ତି ।