ବାରିପଦା (ଦିଲ୍ଲୀପ ମହାନ୍ତି )- ଜଙ୍ଗଲ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିସହିତ ଜଙ୍ଗଲ ସୁରକ୍ଷା କମିଟି ମଧ୍ୟ ଗଠନ କରିଛନ୍ତି । ଜଙ୍ଗଲରୁ ଗଛକଟାକୁ ନେଇ ବନବିଭାଗ ଜଙ୍ଗଲ ସୁରକ୍ଷା କମିଟି ମୁଣ୍ଡରେ ଦୋଷ ଲଦି ଅଧିକାଂଶ ସମୟରେ ଖସି ଯାଉଥିବା ଦେଖାଯାଉଛି । ଏଭଳି ଘଟଣା ଆଜି ବେତନଟୀ ରେଞ୍ଜ ଅଧିନ ଚକୁଳିଆ ଗ୍ରାମ ଜଙ୍ଗଲରୁ ଦଶ ଚକିୟା ଟ୍ରକରେ ପଟାଶ ଗଛ ଚୋରା ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ମାନେ ଟ୍ରକକୁ ଅଟକ ରଖି ବେତନଟୀ ବନବିଭାଗକୁ ଖବର ଦେଇଛନ୍ତି । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲପର ଟ୍ରକ ଛାଡି ଫେରାର ହୋଇଯାଇଛନ୍ତି । ଦୀର୍ଘ ଦିନ ହେବ ଲଗାତାର ଚକୁଳିଆ ଗ୍ରାମ ଜଙ୍ଗଲରୁ ଆକାଶି , ମହୁଲ ,ପଟାଶ ଗଛ ଚୋରି ହେଇ ଚାଲିଥିଲା । ବେତନଟୀର ଏହି ଚକୁଳିଆ ଗ୍ରାମରେ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଦିନ ବେଳେ କାମ କରି ଥକ୍କା ହୋଇ ଘରକୁ ଫେରି ସନ୍ଧ୍ୟା ହେଲେ ଖିଆପିଆ ଶେଷ କରି ଶୀଘ୍ର ଶୋଇପଡନ୍ତି । ଏହାର ସୁଯୋଗ ନେଇ କିଛି ମାଫିଆ ରାତିରେ ମେସିନ ଦ୍ୱାରା ଗଛ କାଟି ପୋଡଶୀ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରିଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ ମାନେ । ଚକୁଳିଆ ଜଙ୍ଗଲ ସୁରକ୍ଷା କମିଟି ଦିନ ବେଳେ ନଜର ରଖିଥାନ୍ତି ଜଙ୍ଗଲ ଉପରେ । ଜଙ୍ଗଲରୁ କୌଣସି ବ୍ୟକ୍ତି ଗଛ ଯାଇଲେ ପ୍ରଥମେ ତା ନିକଟରୁ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବା ପରେ ଗ୍ରାମ କମିଟି ବସି ବିଚାର କରିଥାନ୍ତି । କିନ୍ତୁ ମାଫିଆମାନେ ମେସିନ କରତ ବ୍ୟବହାର କରି ରାତି ଓ ଦିନରେ ସୁବିଧା ଦେଖି ଗଛ କାଟି ବାହାରକୁ ଚୋରା ଚାଲାଣ କରିଥାନ୍ତି ।
କିଛି ଅସାଧୁ ବନ କର୍ମଚାରୀଙ୍କ ପାଇଁ ଏହା ସମ୍ଭବ ହେଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ । ପୂର୍ବରୁ କାଠ ମାଫିଆ ଜଙ୍ଗଲରେ ଗଛ କାଟି ଚୋରା ଚାଲାଣ କରୁଥିବା ବିଷୟକୁ ନେଇ ଗ୍ରାମବାସୀମାନେ ବନବିଭାଗକୁ ଜଣାଇଥିଲେ ; କିନ୍ତୁ ବନବିଭାଗ ଜଙ୍ଗଲ ସୁରକ୍ଷା ଦାୟିତ୍ବ କମିଟିର ବୋଲି କହି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଥାନ୍ତି । ଏହାର ସୁଯୋଗ ନେଇ ମାଫିଆମାନେ ବେଧଡକ ମୂଲ୍ୟବାନ ଗଛ କାଟି ଚାଲାଣ କରୁଛନ୍ତି ବୋଲି ଚକୁଳିଆ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେବେ ଆଜି ପୂର୍ବାହ୍ନରେ ଜଙ୍ଗଲ ଭିତରୁ ଏକ କାଠ ବୋଝେଇ ଟ୍ରକ ବାହାରିବା ଦେଖି ଗ୍ରାମବାସୀମାନେ ଟ୍ରକକୁ ଅଟକାଇଥିଲେ । ଏହି ସମୟରେ ଟ୍ରକର ଡ୍ରାଇଭର ଓ ହେଲପର କୌଶଳ କ୍ରମେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଉକ୍ତ ଟ୍ରକରେ ମୂଲ୍ୟବାନ ପଟାଶ ଗଛ ଗଣ୍ଡି ରହିଥିବାର ଦେଖି ବନବିଭାଗ ଓ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ।
ବନବିଭାଗ ପହଞ୍ଚି ଟ୍ରକ ଓ କାଠକୁ ଜବତ କରିଛି । କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । କିନ୍ତୁ ବେତନଟୀ ବନବିଭାଗର ଉପବନାଞ୍ଚଳ ଅଧିକାରୀ ରାଜେଶ କୁମାର ମହାକୁଡ଼ ଜବତ କାଠର ଆନୁମାନିକ ୫୦ ରୁ ୬୦ ହଜାର ଟଙ୍କା ହେବ ଏବଂ କାଠ ଚୋରା ଚାଲାଣ ପଛରେ ଯିଏ ବି ଥିବ ତଦନ୍ତ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ । ଏହା ପରେ ଜଙ୍ଗଲ ଭିତରକୁ ଯିବା ପରେ ଅନେକ ଗୁଡ଼ିଏ ମୋଟା ଗଛ କଟାଯାଇ ପଡିଥିବା ଦେଖିବାକୁ ମିଳିଥିଲା ।