ହେଡଲାଇନସ୍:

ସାମ୍ବାଦିକଙ୍କ କିଡନୀ ପ୍ରତିରୋପଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗାଇଦେଲେ ସହାୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଦିତ୍ୟଙ୍କୁ ୨ଲକ୍ଷ ଟଙ୍କାର ଚେକ ହସ୍ତାନ୍ତର କଲେ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ 

ଭୁବନେଶ୍ୱର: କଥାରେ ଅଛି ସକାଳ କହେ ଦିନଟି କେମିତି ହେବ | ମାନେ "ମର୍ଣିଂ ସୋଜ ଦି ଡେ" |  ଆଉ ସାମ୍ବାଦିକଙ୍କ କଲ୍ୟାଣ ପ୍ରତି ସରକାର ଏବେ ଅଧିକ ଯତ୍ନବାନ ହେବ ଆରମ୍ଭ କରିଛନ୍ତି ତାହା ପ୍ରମାଣିତ ହୋଇଛି ଢେଙ୍କାନାଳର ଜଣେ ସାମ୍ବାଦିକଙ୍କ କିଡନୀ ପ୍ରତିରୋପଣ ପାଇଁ ଆବଶ୍ୟକ ଚିକିତ୍ସା ସହାୟତା ଯୋଗାଇଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖାଇଥିବା  ତତ୍ପରତାରୁ | ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ଏ ଆଭିମୁଖ୍ୟ ଯେ ନଥିଲା ତାହା କହିବା ଭୁଲ ହେବ | ହେଲେ ଅଭାବ ଥିଲା କେବଳ,  ସାମ୍ବାଦିକଙ୍କ ପ୍ରତିନିଧି ଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସାମ୍ବାଦିକଙ୍କ ସମସ୍ୟା ଠିକଣା ଢଙ୍ଗରେ ଉପସ୍ଥାପିତ କରିବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କର  | ବହୁଧା ଗୋଷ୍ଠୀରେ  ବିଭାଜିତ ସାମ୍ବାଦିକ ସଂଘ ଓ ସେମାନଙ୍କ ପତିଆରା ରାଜନୀତି ଭିତରେ ସାମ୍ବାଦିକଙ୍କ ସ୍ୱାର୍ଥ ଛନ୍ଦି ହୋଇ ପଡୁଥିବା ବେଳେ ସରକାରଙ୍କ ପାଖରେ ସାମ୍ବାଦିକଙ୍କ ସମସ୍ୟା ପହଂଚି ପାରୁନଥିଲା | ହେଲେ ଏବେ ସେ ସମସ୍ୟା ଆପାତତଃ ଦୂର ହୋଇଛି ଆଉ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ସେତୁ ପାଲଟିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା  ବରିଷ୍ଠ ତଥା ଅଭିଜ୍ଞ  ସାମ୍ବାଦିକ ମାନସ ମଙ୍ଗରାଜ | 

ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱ ତଥା ଗଣମାଧ୍ୟମ କ୍ଷେତ୍ରରେ ସଂସ୍କାର ଆଣିବା ଦାୟିତ୍ୱ ଶ୍ରୀ ମଙ୍ଗରାଜଙ୍କୁ ପ୍ରଦାନ କରିବା ପରେ ତାହାର ମିଳିଛି ତତ୍କାଳ ସୁଫଳ | କିଡନୀ ରୋଗରେ ଆକ୍ରାନ୍ତ ଜଣେ ଯୁବ ସାମ୍ବାଦିକଙ୍କୁ ତାଙ୍କର ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ଯୋଗାଇଦେଇଛନ୍ତି ଅର୍ଥ ରାଶି | ସରକାରଙ୍କ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସେ ସହାୟତ ରାଶି ସମ୍ପୃକ୍ତ ସାମ୍ବାଦିକଙ୍କୁ ହସ୍ତାନ୍ତର କରିବା ପରେ ତାଙ୍କର ଚିକିତ୍ସା ରାସ୍ତା ସୁଗମ ହୋଇ ପାରିଛି |  ଖବର ଅନୁଯାୟୀ ସାମ୍ବାଦିକ  ଦୈନିକ ‘ପ୍ରମେୟ’ ଖବରକାଗଜର ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ଆଦିତ୍ୟ ପଣ୍ଡାଙ୍କର ଦୁଇଟି ଯାକ କିଡ଼ନୀ ଅକାମୀ ହୋଇଯାଇଛି । ଭାଇର ଜୀବନ ବଞ୍ଚାଇବାକୁ ତାଙ୍କ ଭଉଣୀ ତାଙ୍କ କିଡ଼ନୀ ଦେବାକୁ ଆଗେଇ ଆସିଛନ୍ତି । କିଡ଼ନୀ ପ୍ରତିରୋପଣ ପାଇଁ ଆବଶ୍ୟକ ଖର୍ଚ୍ଚ ପଣ୍ଡା ପରିବାରକୁ ଅସହାୟ କରିଦେଇଥିବା ବେଳେ ଏ ଖବର ପହଂଚିଥିଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ | ମୁଖ୍ୟମନ୍ତ୍ରୀ  ଏଥିପାଇଁ ଦେଖାଇଛନ୍ତି ତତ୍ପରତା | ତୁରନ୍ତ ବଢ଼ାଇ ଦେଇଛନ୍ତି ସହାୟତାର ହାତ । ଆଦିତ୍ୟଙ୍କ କିଡ଼ନୀ ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ  ମଙ୍ଗରାଜ ଏହି ବାବଦ ଚେକ ପ୍ରଦାନ କରଛନ୍ତି ସାମ୍ବାଦିକ ଆଦିତ୍ୟଙ୍କୁ | ସହାୟତା ପାଇଥିବା ସାମ୍ବାଦିକ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜଣେ ସାମ୍ବାଦିକ ଭାବେ ମାନସଙ୍କର ସାମ୍ବାଦିକଙ୍କ ପ୍ରତି ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଦୀର୍ଘଦିନର ସାମ୍ବାଦିକତାର ଅଭିଜ୍ଞତା ରଖିଥିବା ଶ୍ରୀ ମଙ୍ଗରାଜ ସାମ୍ବାଦିକଙ୍କ ବାସ୍ତବ ସମସ୍ୟା ବିଷୟରେ ବେଶ ଅବଗତ ଥିବା ଯୋଗୁ ଆଗାମୀ ଦିନରେ ସାମ୍ୱାଦିକ କଲ୍ୟାଣ ଓ ଗଣମାଧ୍ୟମ କ୍ଷେତ୍ରରେ ଅନେକ ସଂସ୍କାର ଆସିପାରିବ ବୋଲି ସାମ୍ବାଦିକଙ୍କ ମହଲରେ ଆଶା ସଂଚାର ହୋଇଛି | 

0
0
0
s2sdefault