ହେଡଲାଇନସ୍:

ଭୁବନେଶ୍ୱର ଓ  ରାସ୍-ଅଲ୍-ଖଇମା ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ

ମଧ୍ୟ-ପ୍ରାଚ୍ୟ ଦେଶ ଗୁଡିକରେ କାମ କରୁଥିବା ଓଡିଆ ଲୋକଙ୍କ ଏହା ଦୀର୍ଘ ଦିନର ଦାବୀ

ଏହି ବ୍ୟବସ୍ଥା ହେଲେ ଉପସାଗରୀୟ ଦେଶ ଗୁଡିକରେ କାମ କରୁଥିବା ଓଡିଆ ଲୋକ ଉପକୃତ ହେବେ

ପ୍ରସ୍ତାବିତ ବିମାନ ସେବା ଭାରତ ଏବଂ ୟୁଏଇର ବ୍ୟବସାୟିକ ସମ୍ପର୍କୁ ମଜବୁତ୍ କରିବ

ଭୁବନେଶ୍ୱର( SPB )– ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିଚାଳିତ ହେବା ପରେ ୨୦୧୫ରୁ ଏଠାକୁ ବିଦେଶୀ ଯାତ୍ରୀ ତଥା ପର୍ଯ୍ୟଟକ ଏବଂ ଏନ୍ଆର୍ଆଇଙ୍କ ସଂଖ୍ୟା ବଢିଛି । ଭୁବନେଶ୍ୱରରୁ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଓଡିଆ ଏନଆରଆଇ ଏବଂ ମଧ୍ୟ-ପ୍ରାଚ୍ୟ ଦେଶ ଗୁଡିକରେ କାମ କରୁଥିବା ଓଡିଆ ଲୋକଙ୍କ ଦୀର୍ଘ ଦିନରୁ ଦାବୀ ରହିଛି । ଏହି ବ୍ୟବସ୍ଥା ହେଲେ ବିଶେଷ ଭାବରେ ଆବୁଧାବୀ, ଦୁବାଇ, ଶାର୍ଜାହ, ରିଆଦ୍, ବାହରେନ୍ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶ ଗୁଡିକରେ କାମ କରୁଥିବା ଅଧିକ ସଂଖ୍ୟକ ଓଡିଆ ଲୋକ ଉପକୃତ ହେବେ ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତମାନ ଏୟାର ଏସିଆ ଦ୍ୱାରା ପରିଚାଳିତ ହେଉଥିବା ଏକମାତ୍ର ଅନ୍ତର୍ଜାତୀୟ ବିମାନ ସିଧାସଳଖ ଭୁବନେଶ୍ୱରରୁ ମ୍ୟାଲେସିଆର କୁଆଲା ଲୁମପୁର ପର୍ଯ୍ୟନ୍ତ ଚଳାଚଳ କରୁଛି । ସଂପ୍ରତି ଭୁବନେଶ୍ୱର ବିମାନ ବନ୍ଦର ଦେଶର ଦ୍ରୁତ ଗତିରେ ବଢୁଥିବା ବିମାନବନ୍ଦର ମଧ୍ୟରୁ ଅନ୍ୟତମ । ୨୦୧୭-୧୮ରେ ଯାତ୍ରୀ ହାର ୪୧ ପ୍ରତିଶତ ବୃଦ୍ଧି ପାଇ ୩୨ ଲକ୍ଷରୁ ଉଦ୍ଧ୍ୱର୍ରେ ପହଁଚିଛି । ଯାତ୍ରୀ ସୁବିଧା ଏବଂ ବିମାନବନ୍ଦର ସଂପ୍ରସାରଣ ପ୍ରକଳ୍ପ ବର୍ତମାନ କାର୍ଯ୍ୟାଧୀନ ଥିବାବେଳେ ଆଗାମୀ ଦିନରେ ଏହି ସୁବିଧା ଭୁବନେଶ୍ୱର ବିମାନବନ୍ଦରର ବିମାନ ସେବାକୁ ଗତି ଦେବ ।

ଶ୍ରୀ ପ୍ରଧାନ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ତାଙ୍କର ସୂଚନାନୁସାରେ ରାସ୍-ଅଲ୍-ଖଇମାରେ ନୂଆ ବିମାନ ସେବା ପାଇଁ ସ୍ପାଇଶ ଜେଟ୍ ଏବଂ ୟୁଏଇ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱରରୁ ରାସ୍-ଅଲ୍-ଖଇମା ମଧ୍ୟରେ ସଂଯୋଗ ପାଇଁ ସ୍ପାଇଶ ଜେଟକୁ ମଧ୍ୟ ସୁପାରିଶ କରିବା ପାଇଁ ଶ୍ରୀ ପ୍ରଧାନ ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି । 

ଓଡିଶା ଲୋକଙ୍କର ସୁବିଧାକୁ ଧ୍ୟାନରେ ରଖି ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ୍-ଖଇମା ମଧ୍ୟରେ ଖୁବ ଶୀଘ୍ର ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ପୁରୀଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ପ୍ରସ୍ତାବିତ ବିମାନ ସେବା ଭାରତ ଏବଂ ୟୁଏଇର ସମ୍ପର୍କକୁ ମଜବୁତ୍ କରିବ ଏବଂ ଦୁଇ ଦେଶର ବ୍ୟବସାୟକୁ ମଧ୍ୟ ବଢାଇବାରେ ସହାୟକ ହେବ ବୋଲି କେନ୍ଦମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି  

0
0
0
s2sdefault