ହେଡଲାଇନସ୍:

ଡିସେମ୍ବର 24ରୁ ପଞ୍ଚ ଦିବସୀୟ ନୟାଗଡ଼ ଜିଲ୍ଲା ମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ମନ୍ତ୍ରୀ ଡ଼ଃ ଅରୁଣ ସାହୁଙ୍କ ଉପସ୍ଥିତିରେ ହେଲା ପ୍ରସ୍ତୁତି ବୈଠକ

  • ଓରମାସ୍  ପଲ୍ଲିଶ୍ରୀ ମେଳାରେ ଲାଗିବ ଅନ୍ୟୁନ ଶହେଟି ଷ୍ଟଲ

  • କୌଣସି ଷ୍ଟଲରେ ବ୍ୟବହାର ହେବନାହିଁ ପ୍ଲାଷ୍ଟିକ

ନୟାଗଡ଼,(ବିଶ୍ୱଜିତ ନାୟକ) : ‘ନୟାଗଡ ଜିଲ୍ଲା ମହୋତ୍ସବ’ ଡିସେମ୍ବର ମାସ ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳନ ହେବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ ଏକ ପ୍ରସ୍ତୁତି ବୈଠକ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡିଆରଡିଏ ସୃଜନ ଗୃହରେ ବୈଠକ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସସକ୍ତିକରଣ, ମତ୍ସ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। 

ଏହି  ପାଞ୍ଚ ଦିବାସୀୟ ମହୋତ୍ସବକୁ  ସରସ, ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ ବୈଠକରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ମହୋତ୍ସବ ଅବସରରେ  ଅନୁଷ୍ଠିତ ହେବାକୁ ଥିବା  ଓରମାସ୍  ପଲ୍ଲିଶ୍ରୀ ମେଳାରେ ଶହେ ଗୋଟି ସରକାରୀ ଓ ବେସରକାରୀ ଷ୍ଟଲ ନିର୍ମାଣ କରାଯିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । କନ୍ୟା ଭ୍ରୁଣ ହତ୍ୟା ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଉତ୍ସବର ପ୍ରତ୍ୟେକ ଦିବସରେ କିଛି ବାର୍ତ୍ତା ଜନସାଧାରଣକୁ ଦିଆଯିବା ଉପରେ ଜିଲ୍ଲାପାଳ ଶ୍ରୀମତି ଟୁଡୁ ମତ ଦେଇଥିଲେ । ସେହିପରି   କୌଣସି ଷ୍ଟଲରେ ପାଲିଥିନ ର ବ୍ୟବହାର ନକରିବା ପାଇଁ  ଜିଲ୍ଲାପାଳ ଡଃ ଟୁଡୁ ମତ ଦେଇଥିଲେ ।

ଏହା ସହିତ ପୂରୁଣା ବର୍ଷ ଭଳି ପୁସ୍ତକ ନଛାପି ଡିଜିଟାଲ ସ୍ମରଣୀକା ପ୍ରକାଶ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଯେପରି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆସି ପାରିବ ସେ ପ୍ରସଙ୍ଗରେ ଆଲୋଚନା ହୋଇଥିଲା  ।  ଜିଲ୍ଲା ମହୋତ୍ସବରେ ଜିଲ୍ଲା ଭିତରେ ଥିବା ପ୍ରତିଭାମାନଙ୍କୁ ଯଥାସମ୍ଭବ ସୁଯୋଗ ଦେବାକୁ ନିଷ୍ପତ୍ତି ଦିଆଯାଇଛି । ଗତବର୍ଷ ପରି ଏବର୍ଷ ମଧ୍ୟ ବିଭିନ୍ନ କମିଟିରେ ଯେଉଁ ଅଧିକାରୀମାନେ ଯେଉଁ ଦାୟିତ୍ୱ ତୁଲାଉଥିଲେ ଏବର୍ଷ ମଧ୍ୟ ସେହି ଦାୟିତ୍ୱ ତୁଲାଇବାକୁ ନିଷ୍ପତ୍ତି ନିଆଯାଇଛି । ମହୋତ୍ସବରେ ଆଇନ ଶୃଙ୍ଖଳାକୁ ବିଶେଷ ଗୁରୁତ୍ୱ ଦେବାକୁ ପୁଲିସ ପ୍ରଶାସନ କରିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀ  ସୂଚନା ଦେଇଥିଲେ । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଲୋକସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ ନାୟକ, ନୟାଗଡ଼ର ବୁଦ୍ଧିଜୀବୀ, ଆଇନଜିବୀ, ବରିଷ୍ଠ ନାଗରିକ, ରାଜନେତା, ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

0
0
0
s2sdefault