: ସର୍ବନିମ୍ନ 5.8 ଡିଗ୍ରୀ ସେଲସିୟସ ରେକର୍ଡ କରିଛି ପାଣିପାଗ ବିଭାଗ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ.
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଦିନକୁ ଦିନ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ନିମ୍ନମୁଖୀ ହେବାରେ ଲାଗିଛି ପାରଦ l ପରା ନିମ୍ନମୁଖୀ ହେବା ସହ ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ । ଜାଡ଼ରେ କମ୍ପୁଛି ସାରା ସହର ଓ ଗ୍ରାମାଞ୍ଚଳ । ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହେବା ସହ ଅଞ୍ଚଳରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହୋଇଛି । ସଞ୍ଜ ନଇଁଲେ ସହରର ରାସ୍ତାଘାଟ ଜନଶୁନ୍ୟ ହେବା ସହ ସଡ଼କ ସୁନସାନ ହେବାରେ ଲାଗିଛି । ରାତି ଗଡ଼ିଲେ କୁହୁଡି କାୟାବିସ୍ତାର କରିବା ସହ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହିବାର ଭ୍ରମ ସୃଷ୍ଟି ହେଉଛି । ରାତି ବଡ଼ିଲେ ଜାଡକୁ ଶୀତ ବଢ଼ିବାରେ ଲାଗୁଛି । ଦିନରେ ଥଣ୍ଡାର ପ୍ରକୋପ ଅନୁଭବ ହେଉଥିବା ବେଳେ ରାତିରେ ଏହା ଆହୁରି ବୃଦ୍ଧି ପାଉଛି l ବିନା ଗରମ ପୋଷାକ ହେଉ କି ବିନା ନିଆଁରେ ରହିବା କଷ୍ଟ ହୋଇପଡିଛି।ଗରିବ ଲୋକଙ୍କ ଜୀଵନ ପ୍ରବଳ ଶୀତ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି । ସ୍ଥାନୀୟ ସହରରେ ଆଜିର ତାପମାତ୍ରା ୫.୮ଡିଗ୍ରୀ ରେକର୍ଡ କରାଯାଇଥିବା ସ୍ଥାନୀୟ ଏଏମଏଫୟୁ ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ସହରର ତାପମାତ୍ରା ଠାରୁ ଦୁର୍ଗମ ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ ଆହୁରି କମ ତାପମାତ୍ରା ରହୁଥିବା ଅନୁମାନ କରିହେଉଛି । ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପ୍ରବଳ ଥଣ୍ଡା ହେବା ବି ଅନୁମାନ କରାଯାଉଛି । ଦିନକୁ ଦିନ ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି । ଶୀତ ଆରମ୍ଭ ହେବା ଠାରୁ ଘୁ.ଉଦୟଗିରି ଅଞ୍ଚଳରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିବା ଦେଖା ଦେଇଛି l ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସି ଘୁ.ଉଦୟଗିରି ଅଂଚଳର ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରୁଛନ୍ତି l ତେଣୁ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l











